ହେଡଲାଇନସ୍:

ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ବା ଏସଡିଜି କିପରି ହାସଲ କରିହେବ ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
ଏହି ଲକ୍ଷ୍ୟ କିପରି ବ୍ଲକ ସ୍ତରରୁ ଜିଲ୍ଲା ସ୍ତରରୁ ହାସଲ କରାଯାଇ ପାରିବ ସେଥିପାଇଁ ଗଜପତି ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ପ୍ରଶାସନ ଏବଂ ସାମର୍ଥ ଓପିଡି ଭିନ୍ନକ୍ଷମ ବିଭାଗ ପକ୍ଷରୁ ମିଳିତ ଭାବରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କର୍ମଶାଳାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ସାମର୍ଥ ଓପିଡି ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ,ଶ୍ରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ , ପୌରାଧ୍ୟକ୍ଷା , ପାରଳାଖେମୁଣ୍ଡି , ଶ୍ରୀମତୀ ବାଲା ସାୟମା , ଅଧ୍ୟକ୍ଷା ,ପଞ୍ଚାୟତ ସମିତି , କାଶୀନଗର , ଶ୍ରୀମତୀ ସୁନେମି ମଣ୍ଡଳ , ଅଧ୍ୟକ୍ଷା , ପଞ୍ଚାୟତ ସମିତି , ଗୁମ୍ମା , ଡ଼.ଗୁଣନିଧି ନାୟକ , ଜିଲ୍ଲାପରିଷଦ, ଗଜପତି ଓ ଏସଡିଜି ରାଜ୍ୟ ତାଲିମ୍ ବିଶେଷଜ୍ଞ ଶ୍ରୀ ସରୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଶିବିର ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ୧୭ ଟି ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି। ଏହାର ଲକ୍ଷ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ଏଜେଣ୍ଡାରେ ରାଜ୍ୟ ତଥା ଜିଲ୍ଲାରୁ ଦାରିଦ୍ର୍ୟ ସମ୍ପୁର୍ଣ୍ଣ ଦୂରୀକରଣ , ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଧା ମୁକ୍ତ ରାଜ୍ଯ ଗଠନ କରିବା , ସମସ୍ତଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା , ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା , ମହିଳା ସଶକ୍ତିକରଣ ପକ୍ରିୟାକୁ ତ୍ଵରାନିତ କରାଇବା , ଲିଙ୍ଗଗତ ଅସାମନତା ଦୂର କରିବା , ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା , ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା , ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା କରିବା ପାଇଁ ଦୃଷ୍ଟାନ୍ତ ମୂଳକ , ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରଯାଇଥିଲା।
ଏହି ଦିନିଆ ପ୍ରଶିକ୍ଷଣ ଶିବିରରେ ଏସଡିଜି ରାଜ୍ୟ ତାଲିମ ବିଶେଷଜ୍ଞ ଶ୍ରୀ ସରୋଜ କୁମାର ଦାଶ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଠିକ ତଥ୍ୟ ଅନୁଯାୟୀ ତୃଣମୂଳ ସ୍ତରକୁ ଯାଇ ସରକାରଙ୍କ ଯୋଜନା ସଫଳ ରୂପାୟନ ପୂର୍ବକ ଜାତିସଂଘ ଦ୍ଵାରା ସ୍ଥିରୀକୃତ ହୋଇଥିବା ୧୭ଟି ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ପଞ୍ଚାୟତ ସ୍ତରରୁ ବ୍ଲକ ସ୍ତର ଏବଂ ଜିଲ୍ଲାସ୍ତରରେ ଯୋଜନାର ସଫଳ ରୂପାୟନ ହୋଇ ପାରିଲେ ରାଜ୍ୟରେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିପାରିବ ବୋଲି ତାଲିମ ଦେଇଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସ୍ବାସ୍ଥ୍ୟ , ଶିକ୍ଷା , ପୋଷଣକୁ ମଧ୍ୟ ସମାନ ଗୁରୁତ୍ଵ ଦେଲେ ଏହି ୧୭ଟି ଲକ୍ଷ୍ୟ ନିଶ୍ଚିତ ସାଧନ ହୋଇପାରିବ ବୋଲି ସୂଚନା ଦେଇଥିଲେ। ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ନିରନ୍ତର ଭାବେ ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଲେ ଏବଂ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଲେ ଏହି ଦୀର୍ଘସ୍ଥାୟୀ ବିକାଶ ନିଶ୍ଚିତ ସମ୍ଭବ ହୋଇ ପାରିବ ବୋଲି ସମସ୍ତେ ମତ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଏହାକୁ ସମାଧାନ କରିବା ସହ ସେହି ଅଞ୍ଚଳର ସମ୍ବଳକୁ ଉପଯୋଗ କରି କାର୍ଯ୍ୟରେ ଲଗାଇଲେ ଏକ ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ପର ହୋଇ ପାରିବ , ଯାହା ଫଳରେ ଭବିଷ୍ୟତ ପିଢ଼ିର ବିକାଶ ସମ୍ଭବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ମତ ଦେଇଥିଲେ। ଏହା ସହିତ ୧୫ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ , ଶ୍ରୀ କପିଳେଶ୍ୱର ତାଣ୍ଡି , ଗୋଷ୍ଠୀ ଉନ୍ନୟନ ଅଧିକାରୀ , କାଶୀନଗର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ସମସ୍ତ ବିଏସଏସଓ , ସମସ୍ତ ସରପଞ୍ଚ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଏ. ଜଗନ୍ନାଥ ରାଜୁ , ଭିନ୍ନକ୍ଷମ ସଂସ୍ଥାର ସେକ୍ରେଟାରୀ ସିସିଡ଼ି , ଗଜପତି ଓ ଶ୍ରୀ ସନ୍ତୋଷ କୁମାର ମହାରଣା , ସେକ୍ରେଟାରୀ ସାମର୍ଥ ଓପିଡି ଗଜପତି ଧନ୍ୟବାଦ ଅର୍ପଣ କରିଥିଲେ। ସାମର୍ଥ ସଂସ୍ଥାର ସମସ୍ତ କର୍ମଚାରୀ ଏହି ଶିବିରରେ ସହଯୋଗ କରିଥିଲେ।

0
0
0
s2sdefault