ଉପଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ
ଗଞ୍ଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ୍ ଅଧୀନ ମୁଜାଗଡ଼ ପଞ୍ଚାୟତର ଢେପାଗୁଡ଼ା ଗ୍ରାମ ହେଉଛି ଏକ ଉପାନ୍ତ ଅଞ୍ଚଳ। କିନ୍ତୁ ଉକ୍ତ ଗ୍ରାମରେ ପକ୍କାରାସ୍ତା ସହ ନଦୀରେ ଏକ ସ୍ଥାୟୀ ପୋଲ ନିର୍ମାଣ ହୋଇପାରୁନି। ଏଣୁ ଏଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଗଞ୍ଜାମ ଏସ୍.ପି. ଓ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିକୁ ଆସି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବଣପାହାଡ଼ ଘେରା ଢେପାଗୁଡ଼ା ଗ୍ରାମରେ ପ୍ରାୟ ୨୦ ପରିବାର ବସବାସ କରୁଛନ୍ତି। ଗ୍ରାମ ଦେଇ ବଡ଼ନଦୀ ଯାଇଥିବା ବେଳେ ବର୍ଷା ହେଲେ ବଢ଼ି ପାଣି ଆସିବାରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛି। ଫଳରେ ପିଲାଙ୍କ ସ୍କୁଲ୍ ଯିବା ଠାରୁ ଆରମ୍ଭ କରି ଡାକ୍ତରଖାନା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏନେଇ ବାରମ୍ବାର ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କିଛି ବର୍ଷ ପୂର୍ବରୁ ତତ୍କାଳୀନ ସରପଞ୍ଚ ଉକ୍ତ ନଦୀରେ ଏକ କାଠ ପୋଲ ନିର୍ମାଣ କରିଥିବା ବେଳେ ବର୍ତ୍ତମାନ ତାହା ଭାଙ୍ଗିବାକୁ ବସିଲାଣି। ଫଳରେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇଛନ୍ତି।ସେହିପରି ସରକାରୀ ସୁବିଧା କହିଲେ କେବଳ ୫ କିଲୋ ଚାଉଳ ମିଳୁଛି। ତାହା ପୁଣି ତିନୋଟି ପରିବାର ପାଇଁ ଚାଉଳକୁ ଛାଡ଼ିଦେଲେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ସତେ ଯେମିତି ଏମାନଙ୍କ ପାଇଁ ସାତସପନ | ଗ୍ରାମବାସୀଙ୍କ କହିବା ପ୍ରକାରେ ନିର୍ବାଚନ ସମୟରେ ଗ୍ରାମ ନେତାମାନେ ଆସି ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପରେ ସବୁ ଭୁଲିଯାଆନ୍ତି ।
ଏଥିପାଇଁ ଗ୍ରାମବାସୀ ଓ ପୂର୍ବତନ ସରପଞ୍ଚ ଅଭିଯୋଗ ଶୁଣାଣି ଶିବିରରେ ସ୍ମାର କପତ୍ର ପତ୍ର ପ୍ରଦାନ କରିଛନ୍ତି। ତେବେ ଉପାନ୍ତ ଢେପାଗୁଡ଼ା ଗ୍ରାମ ଉପରେ ପ୍ରଶାସନର କୃପାଦୃଷ୍ଟି କେବେ ପଡ଼ିବ ତାହା ଦେଖିବାକୁ ବାକି ରହିଲା।








