ହେଡଲାଇନସ୍:

"୧୯୯୯ ମହାବାତ୍ୟା ପରବର୍ତୀ ବିପର୍ଯ୍ୟୟ ପ୍ରସ୍ତୁତି ଓଡ଼ିଶାକୁ ମଡେଲରେ ପରିଣତ କରିଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାରେ ମହାନଦୀ ପ୍ରଣାଳୀରେ ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ବନ୍ଧର ତଳମୁଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ:ଏମ୍. ଏମ୍. ରାଜେନ୍ଦ୍ରନ୍

ଭୁବନେଶ୍ୱର, ୨୧/୦୮: ଓଡ଼ିଶାର ଉପକୂଳ ଅଂଚଳକୁ ୧୯୯୯ରେ ଛାରଖାର କରିଥିବା ମହାବାତ୍ୟା ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ନୀତି ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟକୁ ଏକ ମଡେଲ ଭାବେ ଉଭା ହେବାକୁ ସାହାଯ୍ୟ କରିଛି ବୋଲି ରାଜ୍ୟର ପୂର୍ବତନ ରାଜ୍ୟପାଳ ଶ୍ରୀ ଏମ୍. ଏମ୍. ରାଜେନ୍ଦ୍ରନ୍ କହିଛନ୍ତି ।
ବିପର୍ଯ୍ୟୟ ପ୍ରସ୍ତୁତିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବାରୁ ୧୯୯୯ ବାତ୍ୟାରେ ୧୦,୦୦୦ରୁ ଅଧିକ ଲୋକ ମୃତୁ୍ୟ ବରଣ କରିଥିବା ସ୍ଥଳେ ପରବର୍ତୀ କାଳରେ ଆସିଥିବା ବଡ଼ ବାତ୍ୟାରେ ମାତ୍ର ୨୦ରୁ କମ୍ ଲୋକଙ୍କ ଜୀବନ ଯାଇଥିଲା ବୋଲି ରବିବାର ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଅ)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରାଜେନ୍ଦ୍ରନ୍ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ତାଙ୍କ ଲିଖିତ ଇଂରାଜୀ ଆତ୍ମଜୀବନୀର ଓଡ଼ିଆ ଅନୁବାଦ “ସେବା ଅବ୍ୟାହତ” ଉନ୍ମୋଚିତ ହୋଇଥିଲା ।
ସୋଆ ପକ୍ଷରୁ ପ୍ରକାଶିତ ଏହି ଆତ୍ମଜୀବନୀର ଓଡ଼ିଆ ସଂସ୍କରଣରେ ଜଣେ ବୁ୍ୟରୋକ୍ରାଟ ଭାବେ ଓ ୧୯୯୯ ଓ ୨୦୦୪ ମଧ୍ୟରେ ଓଡ଼ିଶାାର ରାଜ୍ୟପାଳ ଭାବେ ସେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି ।
ଶ୍ରୀ ରାଜେନ୍ଦ୍ରନ୍ କହିଥିଲେ ଯେ ବାତ୍ୟା ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିଜର ଅଭିଜ୍ଞତାକୁ ବ୍ୟବହାର କରି ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ରାଜ୍ୟର ପୁନର୍ଗଠନ କରିବା ପାଇଁ ତତ୍ପର ହୋଇ ଉଠିଥିଲେ ।
ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ତକ୍ରାଳୀନ ପ୍ରତିରକ୍ଷା ମନ୍ତ୍ରୀ ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍ଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କ୍ୟାବିନେଟ କମିଟି ଗଠନ କରିଥିଲେ ।
କିନ୍ତୁ ରାଜଭବନରେ ତାଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ପରେ ଶ୍ରୀ ଫର୍ଣ୍ଣାଣ୍ଡିଜ କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ ଯେ ଶ୍ରୀ ରାଜେନ୍ଦ୍ରନ୍ ସ୍ଥିତି ଉପରେ ଦୃଢ଼ ନିୟନ୍ତ୍ରଣ ରଖିଥିବାରୁ କାର୍ଯ୍ୟ ତଦାରଖ ନିମନ୍ତେ କ୍ୟାବିନେଟ କମିଟିର ଆଉ ଆବଶ୍ୟକତା ନାହିଁ ।
ଏହା ପରେ ରାଜ୍ୟର ଉପକୂଳବର୍ତୀ ଅଂଚଳରେ ବହୁ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା ଯେଉଁଠାରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନେ ଆଶ୍ରୟ ନେଇପାରିବେ ।
ଶିକ୍ଷାବିତ୍ ତଥା ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଶ୍ରୀ ରାଜେନ୍ଦ୍ରନଙ୍କ ପତ୍ନୀ ଶ୍ରୀମତି ସୁଶୀଳା ରାଜେନ୍ଦ୍ରନ ଏବଂ ପୁସ୍ତକର ଓଡ଼ିଆ ଅନୁବାଦକ ତଥା ସୋଆ ବିଶ୍ୱବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ । ସୋଆ ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଶ୍ରୀ ରାଜେନ୍ଦ୍ରନ୍ କହିଥିଲେ ଯେ ଓଡ଼ିଶାରେ ଅତିବାହିତ ପାଂଚ ବର୍ଷ ତାଙ୍କ ଜୀବନର ଶ୍ରେଷ୍ଠ ସମୟ ଥିଲା । ଏଠାରେ ତାଙ୍କୁ ଲୋକଙ୍କ ଭଲ ପାଇବା ସହ ପ୍ରଶାସନ ସମର୍ଥନ ମିଳିଥିଲା ।
ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ସେ ସଫଳ ହୋଇପାରିଥିଲେ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ନିଯୁକ୍ତି କ୍ଷେତ୍ରରେ ତାଙ୍କୁ ସ୍ୱାଧୀନତା ମିଳିଥିଲା ବୋଲି ସେ କହିଥିଲେ । ସେହି ସମୟରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପ୍ରତିଷ୍ଠା କରାଯାଇଥିଲା ଏବଂ ସେ ସେତେବେଳେ ଆଇଆଇଟି, ଖଡ଼ଗପୁରର ନିର୍ଦ୍ଦେଶକ ଥିବା ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କୁ ଏହାର ପ୍ରଥମ କୁଳପତି ଭାବେ ନିଯୁକ୍ତ କରିଥିଲେ ।
ଏହି ଅବସରରେ ଓଡ଼ିଶାରେ ମହାନଦୀ ପ୍ରଣାଳୀରେ ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ବନ୍ଧର ତଳମୁଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।
ହୀରାକୁଦ ବନ୍ଧର ତଳମୁଣ୍ଡରେ ପ୍ରାୟ ୪୮ ହଜାର ବର୍ଗ କିମି କ୍ୟାଚମେଂଟ ଅଂଚଳରେ ହେଉଥିବା ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରାୟତଃ ବନ୍ୟା ସମସ୍ୟା ଦେଖାଦେଉଛି । ତେଣୁ ମହାନଦୀରେ ଆସି ପଡ଼ିଥିବା ଅନ୍ୟ ନଦୀଗୁଡ଼ିକ ଉପରେ ବନ୍ଧ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ଏଥିରେ ବିଦ୍ୟୁତ ଉତ୍ପାଦନ ମଧ୍ୟ କରାଯାଇ ପାରିବ ବୋଲି ସେ କହିଥିଲେ ।
ତାଙ୍କ ଆତ୍ମଜୀବନୀକୁ ଓଡ଼ିଆରେ ଅନୁବାଦ ଓ ଏହାର ପ୍ରକାଶନ କାର୍ଯ୍ୟକୁ ହାତକୁ ନେଇଥିବାରୁ ଶ୍ରୀ ରାଜେନ୍ଦ୍ରନ ସୋଆକୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଫେସର (ଡଃ) ମହାପାତ୍ର ଶ୍ରୀ ରାଜେନ୍ଦ୍ରନଙ୍କୁ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ । ପ୍ରଫେସର ଶର୍ମା କହିଥିଲେ ଯେ ପୂର୍ବରୁ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ପୁସ୍ତକରେ ଓଡ଼ିଆ ଅନୁବାଦ କରିଥିଲେ ହେଁ ଶ୍ରୀ ରାଜେନ୍ଦ୍ରନଙ୍କ ଆତ୍ମଜୀବନୀ ଅନୁବାଦ କରିବା ତାଙ୍କୁ ଏକ ନୂତନ ଅନୁଭୂତି ପ୍ରଦାନ କରିଛି ।

0
0
0
s2sdefault