
ଭୁବନେଶ୍ୱର/ ରାୟପୁର : ଅନ୍ତରାଷ୍ଟ୍ରିୟ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ମୁକ୍ତ ଦିବସ ଅବସରରେ ଛତିଶଗଡ଼ ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଉପସ୍ଥିତ ଅଧିକାରୀଙ୍କୁ ରାଜଭବନରେ ସଂପୂର୍ଣ୍ଣ ରୂପେ ଏକକ ବ୍ୟବହାର ପ୍ଲାଷ୍ଟିକ୍କୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜଭବନରେ ବ୍ୟବହୃତ ସମସ୍ତ ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତେ କପଡା, କାଗଜ, ଝୋଟ ପ୍ରସ୍ତୁତ ସାମଗ୍ରୀକୁ ବ୍ୟବହାର କରିବାକୁ ଆଦେଶ ଜାରିକରିଛନ୍ତି ।
ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ବର୍ତମାନ ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁଁ ହେଉଥିବା ପ୍ରଦୂଷଣ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟିଛି । ଆମେ ସମସ୍ତେ ମିଳିତ ଭାବରେ ଏହା ଉପରେ ସଚେତନ ହେବା ସହିତ ଏହାର ଉପଯୋଗକୁ କମାଇବା ଏବଂ ଏହାର ବିକଳ୍ପ ବ୍ୟବହାର କରିବା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ କାର୍ଯ୍ୟକାରି କରିବା । ଯେତେବେଳେ ଆମର ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ବଜାର, ହାଟ ସ୍ଥାନକୁ ଗଲାବେଳେ କପଡା ଓ ଝୋଟ ଆଦି ବ୍ୟାଗର ବ୍ୟବହାର କରିବା । ଆମକୁ ବଂଚାଇ ରଖିବା ପାଇଁ ପ୍ରକୃତି ଯେଉଁଭଳି ତାର ଉପାଦାନ ମାନ ଆମର ବ୍ୟବହାର ଯୋଗାଇ ଦେଉଛି ସେହିଭଳି ଆମେ ପ୍ରକୃତି ବଂଚାଇ ରଖିବା ପାଇଁ ଏହିଭଳି ଛୋଟ ଛୋଟ ପଦକ୍ଷେପମାନ ଗ୍ରହଣ କରିବା ଉଚିତ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି ।
ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାଗ ମୁକ୍ତ ଦିବସ ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରି ପ୍ରକୃତିକୁ ବଂଚାଇବା ସହିତ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ନିର୍ମାଣ କରିବାରେ ସହାୟକ ହେବା ପାଇଁ ସମସ୍ତ ରାଜ୍ୟବାସୀଙ୍କ ସମେତ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।











