ହେଡଲାଇନସ୍:

ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ: ଆତଙ୍କିତ ନ ହେବାକୁ ଜିଲ୍ଲାପାଳଙ୍କ ଅନୁରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼: ବରଗଡ଼ ଜିଲ୍ଲାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଯୋଗାଣ ଏବଂ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ନିରୀକ୍ଷଣ କମିଟିର ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଅଧ୍ୟକ୍ଷତା କରି ଜିଲ୍ଲାରେ ଏଲପିଜି ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା, ଯୋଗାଣ ପ୍ରଣାଳୀ ଏବଂ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ।ବୈଠକରେ ସମସ୍ତ ଏଲପିଜି ଏଜେନ୍ସି ଓ ପେଟ୍ରୋଲ ପମ୍ପମାନଙ୍କ କାର୍ଯ୍ୟପ୍ରଣାଳୀ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ନ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଉପଲବ୍ଧ ରଖି ସମୟୋପଯୁକ୍ତ ଭାବେ ବଣ୍ଟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଜିଲ୍ଲାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ତେଣୁ ଖାଉଟିମାନେ ଅଯଥା ଆତଙ୍କିତ ହୋଇ ପାନିକ ବୁକିଂ କରିବାର କୌଣସି ଆବଶ୍ୟକତା ନାହିଁ।
କଳାବଜାରୀ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରରେ ମନିଟରିଙ୍ଗ କମିଟି ଗଠନ ସହ ଦୁଇଟି ଉପଖଣ୍ଡ ସ୍ତରରେ ଟାସ୍କ ଫୋର୍ସ ସ୍କ୍ୱାର୍ଡ ଗଠନ କରାଯାଇଛି। ଏହାସହ ପ୍ରତି ବ୍ଲକରେ ତହସିଲଦାର ଓ ବିଡିଓଙ୍କୁ ନିରୀକ୍ଷଣ କଠୋର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରୀରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଚେତନ କରିଛନ୍ତି।
ଏହାସହ ଖାଉଟିମାନଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବାବେଳେ ହେଲ୍ପଲାଇନ ନମ୍ବର ୦୬୬୪୬–୨୩୩୦୩୩ ଜାରି କରାଯାଇଛି। ଆବଶ୍ୟକ ସ୍ଥଳରେ ଖାଉଟିମାନେ ଏହି ନମ୍ବର କିମ୍ବା ଏଚପିସିଏଲ, ବିପିସିଏଲ ଓ ଆଇଓସିଏଲ ଯୋଗାଣ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିପାରିବେ।ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହାଙ୍କ ସହ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ କଳ୍ୟାଣ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

0
0
0
s2sdefault