ନୟାଗଡ଼:ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଆଉ ମାତ୍ର ୨ ଦିନ ଥିଲାବେଳେ ପ୍ରତିକ୍ଷିତ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ ରେଳ ଗଡିବା ଆଶା ମଉଳି ଯାଇଛି। ରଥଯାତ୍ରାରେ ଦଶପଲ୍ଲାରୁ ରେଳ ଗଡିବା ନେଇ ଦଶପଲ୍ଲା
ଅଞ୍ଚଳବାସୀ ଯେଉଁ ଆଶା ପୋଷଣ କରିଥିଲେ ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଖୋର୍ଦ୍ଧା–ବଲାଙ୍ଗୀର ୩୦୧ କିମି ଦୈର୍ଘ୍ୟ ଏହି ରେଳ ଲାଇନ ମଧ୍ୟରୁ ୧୧୫.୩୬ କିମି ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ସେଥିମଧ୍ୟରୁ ଖୋର୍ଦ୍ଧାରୋଡ-ନୂଆଗାଁ ମଧ୍ୟରେ ୯୦.୪୩ କିମି ରହିଥିବା ବେଳେ ବର୍ତ୍ତମାନ ନିର୍ମାଣାଧୀନ ନୂଆଗାଁ–ଦଶପଲ୍ଲାମଧ୍ୟରେ ୧୫.୪୪୫ କିମି ରେଳ ଲାଇନ୍ ମାର୍ଚ୍ଚ ମଧ୍ୟରେ ରେଳ ଗଡିବା ଲକ୍ଷ୍ୟ ରହିଥିଲା ।
ଗତ ଜାନୁଆରୀ ମାସରେ ମହାପ୍ରବନ୍ଧକ ସୁନକର ଖୋର୍ଦ୍ଧାରୋଡ଼–ବଲାଙ୍ଗୀର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ ଏବଂ ନିର୍ମାଣାଧୀନ ସେତୁ ଓ ଅନ୍ୟାନ୍ୟ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ସେ ଯାତ୍ରୀ କୈନ୍ଦ୍ରିକ ସୁବିଧାଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦଶପଲ୍ଲା ମଧ୍ୟରେ ଥିବା ୧୫.୫ କିମି ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ଟି ମାଇନର୍ ଓ ୩ଟି ମେଜର ବ୍ରିଜ୍ ସହିତ ୧୫ଟି ରୋଡ୍ ଅଳ୍ପର ବ୍ରିଜ୍(ଏମୟୁବି) ଏବଂ ୪ଟି ରୋଡ୍ ଓଭର ବ୍ରିଜ୍(ଆରଓବି) ସହିତ ଅନ୍ୟାନ୍ୟ ନିମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ଼-ନୂଆଗାଁ ରେଳ ସେକ୍ସନକୁ ନିରୀକ୍ଷଣ କରିଥିଲାବେଳେ ନୂଆଗାଁ ଓ ଦଶପଲ୍ଲା ମଧ୍ୟରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟ ବି ସମୀକ୍ଷା କରିଥିଲେ। ବର୍ତ୍ତମାନ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରେନ ଟ୍ରାଏଲରେ ରହିଛି । ଏଭଳି ପରିସ୍ଥିତିରେ ଏକ ମାଲବାହୀ ଟ୍ରେନକୁ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରାଏଲରେ ଛଡାଯାଇଥିଲା । ଖୋର୍ଦ୍ଧା ରୋଡ ଠାରୁ ଦଶପଲ୍ଲା ରେଳ ଷ୍ଟେସନର ଦୂରତା ୧୦୫ କିମି ଥିଲାବେଳେ ରେଳଧାରଣା କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଛି । ନୟାଗଡ ଜିଲା ନୂଆଗାଁରୁ ଦଶପଲ୍ଲା ଷ୍ଟେସନର ଦୂରତା ୧୫ କିମି ୬୦୦ ମିଟର। ଏହି କାର୍ଯ୍ୟ ବି ଶେଷ ହୋଇଛି । ୨ଟି ବଡ ଓଭର ବ୍ରିଜ,୫୭ନଂ ଜାତୀୟ ରାଜପଥ ଉପରେ ସୁବଳୟା, ଦଶପଲ୍ଲା-ଗଣିଆ ରାଜ୍ୟ ସଡକ ପଥ ମଧୁପୁର ଠାରେ ଏକ ବ୍ରିଜ କାମ ଶେଷ ହୋଇଛି । ଗତ ୬ତାରିଖରେ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ ଟ୍ରେନକୁ ଦଶପଲ୍ଲା ପର୍ଯ୍ୟନ୍ତ ଛଡା ଯାଇଥିଲା। ଉକ୍ତ ଟ୍ରେନ ଆସିବା ପରେ ଦଶପଲ୍ଲାର ପ୍ରଭୁ ମହାବୀରଙ୍କ ଠାରୁ ଅଙ୍ଗବସ୍ତ୍ର ଆଣି ପୂଜକ ହନୁମାନଙ୍କ ମନ୍ତ୍ର ପାଠ କରି ଲୋକ ପାଇଲଟଙ୍କ ପୂଜା କରାଯାଇଥିଲା । ଅତି ଉତ୍କଣ୍ଠାର ସହିତ ଦଶପଲ୍ଲାର ଶତାଧିକ ଲୋକ ଟ୍ରେନକୁ ଦେଖିବାକୁ ଗହଳି ବି ଜମାଇଥିଲେ ।
ଗତ ୧୨ ତାରିଖରେ ଆନୁଷ୍ଠାନିକ ଭାବେ ଟ୍ରେନ ଇଞ୍ଜିନ ପରୀକ୍ଷାମୂଳକ ଭାବେ ଆସିବାର କାର୍ଯ୍ୟକ୍ରମ ମଧ୍ୟ ଥିଲା। ପରେ ରେଲୱେ ସେପ୍ଟି କମିଶନରଙ୍କର ପରିଦର୍ଶନରେ ଆସି ରିପୋର୍ଟ ଦେବା ପରେ ୨୦ ତାରିଖ ଶ୍ରୀଗୁଣ୍ଡିଚା ତିଥିରେ ଏହି ଷ୍ଟେସନ ଉଦ୍ଘାଟନ କରାଯିବା ସହ ଦଶପଲ୍ଲାରୁ ଟ୍ରେନ୍ ଗଡିଥାନ୍ତା। ହେଲେ ଯାହା ଆଶା କରା ଯାଉଥିଲା ତାହା ଘଟିଲାନି। ଏବେ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ଟ୍ରେନ ନୂଆଗାଁରୁ ପୁରୀ ଯିବାପାଇଁ ସୂଚନା ମିଳିବା ପରେ ଦଶପଲ୍ଲାବାସୀଙ୍କର ଟ୍ରେନରେ ବସି ପୁରୀ ରଥଯାତ୍ରା ଦେଖିଯିବା ଆଶା ମଉଳି ଯାଇଛି।
ରାଜ୍ୟ
ରଥଯାତ୍ରାକୁ ଦଶପଲ୍ଲା ଟ୍ରେନ ଚାଲିବା ଆଶା ମଉଳିଲା
- Hits: 303











