ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କେନ୍ଦ୍ରୀୟ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି I ଏହି ଅବସରରେ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାଲାଙ୍ଗସୁଗା ଛକ ନିକଟରେ କେନ୍ଦ୍ରୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିମନ୍ତେ ଭୂମିପୂଜନ ସହ ଶିଳାନ୍ୟାସର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ I ଆଦିବାସୀ ବେଶ ଭୁଷାରେ ଆଭୂଷିତ ହୋଇ ବହୁ ସଂଖ୍ୟକ ସ୍ଥାନୀୟ ଆଦିବାସୀ ମହିଳା ଏବଂ ପୁରୁଷ କେନ୍ଦ୍ରମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣେଇ ପାରମ୍ପରିକ ନୃତ୍ୟ ମାଧ୍ୟମରେ ମଞ୍ଚ ଉପରକୁ ପାଛୋଟି ନେଇଥିଲେ I ମଞ୍ଚାସିନ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଥିବା ବେଳେ ମଞ୍ଚାସିନ ଅତିଥି ଭାବେ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଷ୍ଟ୍ରୀୟ ଜନଜାତି ଉପ-ସଭାପତି ପବିତ୍ର କଁହର, ବ୍ଲକଅଧ୍ୟକ୍ଷା ସୁଷମା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ବିଡିଓ ଆଶିଷ କୁମାର ତ୍ରିପାଠୀ, ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ମଞ୍ଚ ପରିଚାଳନା କରିଥିଲେ I କିନ୍ତୁ ଦୁଃଖର ବିଷୟ ଉକ୍ତ ଭିତ୍ତି ପ୍ରସ୍ତରରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ଅଞ୍ଚଳ ବାସୀ ଉକ୍ତ ତ୍ରୁଟିକୁ ସଂଶୋଧନ କରିବା ନିମନ୍ତେ ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ I












