୨୦୧୯ ବ୍ୟାଚ୍ ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍ତମ ବ୍ୟବହାର ପୂର୍ବକ ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର :ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୧୯ ବ୍ୟାଚ୍ ଓଡ଼ିଶା ପ୍ରଶାସନିକ ସେବାର ୩୬ ଜଣ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପ୍ରଶିକ୍ଷଣ ସମାପ୍ତି ପରିପ୍ରେକ୍ଷୀରେ ଏକ ଦୀକ୍ଷାନ୍ତ ସମାରୋହ ଆଜି ସଂଧ୍ୟାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବିଭିନ୍ନ ଉଦାହରଣ ମାଧ୍ୟମରେ ଅଧିକାରୀମାନଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରି ନିଷ୍ଠାର ସହ ଓ ନ୍ୟାୟ ସଙ୍ଗତ ଭାବେ କାର୍ଯ୍ୟ ସଂପାଦନ କରିବା, ସୁବ୍ୟବହାର ପୂର୍ବକ ନିଜର ଭାବମୂର୍ତ୍ତି ଓ ସୁନାମ ବଜାୟ ରଖିବାକୁ କହିଥିଲେ । ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ନୂତନ ସମୃଦ୍ଧ ଓଡିଶା ଗଠନରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରକାଶ କରି ଆଗାମୀ ଦିନରେ ସେମାନେ ନିଜକୁ କିପରି ଲୋକମାନଙ୍କ ସେବାରେ ନିୟୋଜିତ କରିପାରିବେ ସେ ସମ୍ପର୍କରେ ପରାମର୍ଶ ଦେଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ସମାବେଶରେ ନୂତନ ଭାବେ ଯୋଗ ଦେଇଥିବା ୬ ଜଣ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବୀଶ ଓ ଭାରତୀୟ ଅର୍ଥ ସେବାର ୫ ଜଣ ଶିକ୍ଷାନବିଶ ମଧ୍ୟ ଉପସ୍ଥିତ ଥିଲେ ।
ଓଡ଼ିଶା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମା ଅଧ୍ୟକ୍ଷତା କରି ପ୍ରୋବେସନରମାନଙ୍କୁ ସାଧୁତା ଓ ଏକାଗ୍ରତାର ସହ କାର୍ଯ୍ୟ କରିବା ନେଇ ଶପଥପାଠ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଶର୍ମା କହିଥିଲେ ଯେ, ଜଣେ ଅଧିକାରୀ ସ୍ୱେଚ୍ଛାଚାରିତା ମନୋଭାବାପନ୍ନ ନହୋଇ କିପରି ଭଲ ଲୋକସେବକ ହୋଇପାରିବ, ଏହି ପ୍ରଶିକ୍ଷଣ ସେଥିପାଇଁ ଉଦ୍ଦିଷ୍ଟ । ରାଜ୍ୟ ସରକାରଙ୍କ ‘୫-ଟି’ ଆଧାରରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ୱଦେବା ସହ ଗାନ୍ଧିଜୀଙ୍କର ଟାଲିସମାନ(ତାବିଜ)ର ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ । ଅଧିକାଂଶ ଅଧିକାରୀ ବୈଷୟିକ ଜ୍ଞାନକୌଶଳର ବିଷୟର ଛାତ୍ରଛାତ୍ରୀ ହୋଇଥିବା ଯୋଗୁଁ ସେମାନେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଭଲ କାମ କରିପାରିବେ ବୋଲି କହିଥିଲେ ।
ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଶିକ୍ଷାନବିଶ ମାନଙ୍କୁ ରାଜସ୍ୱ ଆଇନ ଅନୁପାଳନ ସଂପର୍କିତ ପରାମର୍ଶ ଦେଇ ଜନସାଧାରଣଙ୍କୁ ସେବା ପ୍ରଦାନ ବେଳେ ଲୋକମାନେ ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ କହିଥିଲେ । ନିଜ ଭିତରେ ଥିବା ସାହିତ୍ୟ, ସଂଗୀତ, ନୃତ୍ୟ, କ୍ରୀଡା ଆଦି ସୃଜନଶୀଳତାକୁ ଜାରି ରଖିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ପଂଚାୟତିରାଜ, ପାନୀୟ ଜଳ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଯୋଗଦେଇ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାର ମେରୁଦଣ୍ଡ ବୋଲି ଅଭିହିତ କରି ଦୁର୍ନିତିମୁକ୍ତ ରହି ସ୍ୱଚ୍ଛତା ବଜାୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣରେ ସହଯୋଗ କରିଥିବା ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀ ଶ୍ରୀ ଦିଲୀପ ରାଉତରାଏ, ଉଦୟ ନାରାୟଣ ଦାସ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପ୍ରଶିକ୍ଷଣ ଦେଇଥିବା ପ୍ରଶିକ୍ଷକ, ଶ୍ରେଷ୍ଠ ପ୍ରୋବେସନର, ମେଣ୍ଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ତଥା କୋର୍ସ ଡାଇରେକ୍ଟର ଡଃ ହିମାଂଶୁ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ଡଃ. ମମତାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏକାଡେମୀର ଯୁଗ୍ମ ସଚିବ ଶ୍ରୀ ମନୀଶ ଅଗ୍ରୱାଲ ଉପସ୍ଥିତ ଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଉକୃର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡଃ. ଶଶାଙ୍କ ଗ୍ରହାଚାର୍ଯ୍ୟ ଏହି ପ୍ରଶିକ୍ଷଣରେ ଦିଆଯାଇଥିବା ବିଭିନ୍ନ ପାଠ୍ୟକ୍ରମ ସଂପର୍କରେ ବିଭିନ୍ନ ଭାବେ ଅବଗତ କରିଥିଲେ । ପ୍ରଶିକ୍ଷଣ ନେଇଥିବା ଅଧିକାରୀମାନେ ଟ୍ରେନିଂରୁ କିପରି ଉପକୃତ ହୋଇଛନ୍ତି ନିଜ ନିଜର ଅନୁଭୁତି କହିଥିଲେ । ପ୍ରଶିକ୍ଷଣରେ ସମସ୍ତ ପ୍ରୋବେସନରମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।

0
0
0
s2sdefault