କୁରାଳ ସମବାୟ ସମିତି ଅର୍ଥ ହେରଫେର ଘଟଣା
ଓଡ଼ଗାଁ, ୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲା ଓଡ଼ଗାଁ ବ୍ଲକ ଅଧିନସ୍ଥ କୁରାଳ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ୬ କୋଟି ଟଙ୍କାରୁ ଉର୍ଦ୍ଧ ହେରଫେର ହୋଇଥିବା ନେଇ ୨୦୧୬-୧୭ ରେ ଅଭିଯୋଗ ହୋଇଥିଲା । ପ୍ରାୟ ୬୦୦ ରୁ ଉର୍ଦ୍ଧ ଜମାକର୍ତାଙ୍କ ଜମା ଟଙ୍କା, ଋଣ ପରିଷୋଧ ତଥା ସବସିଡି ଆଦି ଟଙ୍କା ତତ୍କାଳୀନ ସମିତି ସମ୍ପାଦକ କାଳୁ ଚରଣ ରାଉତ ହେରଫେର କରିଥିବା ନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଥିଲା । ସମବାୟ ସମିତିରୁ ଜମାକାରୀଙ୍କ ଟଙ୍କା ଠକେଇ କରିଥିବା ସମ୍ପାଦକଙ୍କ ସମ୍ପତ୍ତି ଜବତ କରିବାକୁ ଯାଇଥିବା ଅଧିକାରୀ, ପୁଲିସ ଆଜି ଖାଲି ହାତରେ ଫେରିଥିଲେ । ୨୦୨୧ ମସିହା ମାମଲା ନମ୍ବର ୧ ଅନୁସାରେ ତାଙ୍କ ନାମରେ ୩ କୋଟି ୩ ଲକ୍ଷ ୭୪ ହଜାର ୪୦୨ ଟଙ୍କା ରିକୋଭରୀ ନିଦ୍ଦେର୍ଶ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସୁଧ ବଢ଼ି ୪ କୋଟିରୁ ଉର୍ଦ୍ଧ୍ୱ ହୋଇଥିବା ସୂଚନା ମିଳିଛି । ଏହି ଅର୍ଥ ରିକୋଭରୀ ପାଇଁ ଆଜି କୁରାଳ ସମବାୟ ସମିତି ଜରିଆରେ ସମବାୟ ସମିତି ସମୂହ କାର୍ଯ୍ୟାଳୟ ପକ୍ଷରୁ ଅସ୍ଥାବର ସମ୍ପତ୍ତି ଜବତ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସମବାୟ ସମିତି ସମୂହ ଉପସହକାରୀ ନିବନ୍ଧକ ସୁଦାମ ଚରଣ ଜେନା, ଓଡ଼ଗାଁ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ଓଡ଼ଗାଁ କେନ୍ଦ୍ର ବ୍ୟାଙ୍କ ଶାଖା ପରିଚାଳକ ଦେବାଶିଷ କର ଏବଂ ପୁଲିସ ଫୋର୍ସ କୁରାଳରେ ପହଞ୍ଚିଥିଲେ । ସକାଳ ୮ଟା ୩୦ରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ କାଗଜ ପତ୍ର ଯୋଗାଡରେ ବହୁ ସମୟ ସରିଥିଲା । ଏଥିସହିତ ଚଢ଼ାଉ ସମ୍ପର୍କରେ ପୂର୍ବତନ ସମ୍ପାଦକ କାଳୁ ଚରଣ ରାଉତଙ୍କୁ ପୂର୍ବରୁ ସୂଚନା ମଧ୍ୟ ଦିଆ ସରିଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ଉକ୍ତ ଟିମ ଶ୍ରୀଯୁକ୍ତ ରାଉତଙ୍କ ଘର ଉପରେ ଚଢ଼ାଉ କରି ତନଖି କରିବା ବେଳକୁ କୈାଣସି ଅସ୍ଥାବର ସମ୍ପତ୍ତି ସେଠାରୁ ପାଇନଥିଲେ । ସମ୍ପତ୍ତି ଜବତ ପାଇଁ ସମବାୟ ସମିତିରୁ ପ୍ରାୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା ବେଳେ ଗୋଟିଏ ଟଙ୍କାର ସମ୍ପତ୍ତି ଜବତ କରିନପାରି ଅଧିକାରୀ ଓ ପୋଲିସ ପ୍ରଶାସନ ଖାଲି ହାତରେ ଫେରିଥିଲେ । ଏନେଇ ପୁନଃ ଜମାକାରୀ ମାନଙ୍କ ମୁହଁରେ ନିରାଷାଭାବ ଦେଖିବାକୁ ମିଳିଥିଲା । ଏନେଇ କୁରାଳ ସମବାୟ ସମିତି ସଭାପତି କାହ୍ନୁ ପଣ୍ଡା ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକାରୀଙ୍କ ଖାମଖିଆଲ ନୀତି ଏବଂ ଅଭିଯୁକ୍ତକୁ ଆଗୁଆ ସୂଚନା ଦିଆଯିବା ଦ୍ୱାରା ସବୁ ଫସର ଫାଟି ଯାଇଥିବା କହିଛନ୍ତି ।