-
ବିଧାନ ପରିଷଦ ସଭ୍ୟ ପଦ ପାଇଁ ଟଙ୍କା ଆଦାୟ ମାମଲାରେ ଫୌଜଦାରୀ ମାମଲା ହେବାକୁ ଯାଉଛି
-
ବିବାଦୀୟ ଓ କଳଙ୍କିତ ଛବି ଥିବା ନେତାଙ୍କ ଯୋଗୁଁ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ
ଭୁବନେଶ୍ୱର: ଓଡ଼ିଶାରେ ତାମିଲନାଡୁ ମଡେଲ ଶାସନ ଚାଲିଛି ବୋଲି ମନ୍ତବ୍ୟ ଦେଇଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଆଜି ବିଜେଡି ପକ୍ଷରୁ କଟାକ୍ଷ କରାଯାଇଛି । ୨୩ ବର୍ଷ ହେଲା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇ ଆସୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲା ଭଳି ଯୋଗ୍ୟତା ତାଙ୍କ ଭଳି ବାରମ୍ଵାର ପ୍ରତ୍ୟାଖ୍ୟାତ ହୋଇ ଆସୁଥିବା ଓଡ଼ିଶାବିରୋଧୀ ନେତାଙ୍କର ନାହିଁ ବୋଲି ଚେତାଇ ଦେଇଛି ବିଜେଡି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ବର ନିର୍ବାଚନରେ ବି ଜିତି ପାରିନଥିବା ଓଡ଼ିଶା ବିଜେପିର କୁହାଳିଆ ନେତା ପୃଥ୍ୱୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶାବିରୋଧୀ ବୟାନ ଦିଅନ୍ତି । ଏଯାଏଁ ରାଜନୀତିରେ ସାବାଳକତ୍ୱ ପ୍ରାପ୍ତ ହୋଇନଥିବା ପୃଥ୍ୱୀରାଜଙ୍କୁ ଓଡ଼ିଶାରେ କେହି ଜଣେ ମଧ୍ୟ ଗୁରୁତ୍ୱର ସହ ନିଅନ୍ତି ନାହିଁ । ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି, ସେ ବିଷୟରେ ବଡ଼ ବଡ଼ କଥା କହୁଥିବା ପୃଥ୍ୱୀରାଜ ବାବୁ ନିଶ୍ଚୟ ଭଲ ଭାବରେ ଜାଣିଥିବେ ଯେ ଗୋଟିଏ ଆନ୍ଧ୍ର ମଡେଲ୍ ମଧ୍ୟ ରହିଛି । ଯେଉଁ ମଡେଲରେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରିଦେବା ପାଇଁ ଆଶାୟୀମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି । ଶୁଣିବାକୁ ମିଳୁଛି, ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ମଧ୍ୟ ହେବାକୁ ଯାଉଛି ଏବଂ ଏଥିରେ ସଂପୃକ୍ତ ଲୋକ ଖୁବଶୀଘ୍ର ଗିରଫ ହେବାର ସମ୍ଭାବନା ରହିଛି ।
ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ ଓଡ଼ିଶା ବିଜେପିର କାର୍ୟ୍ୟଶୈଳୀ ଦେଖି ଲାଗୁଛି, ବୋଧହୁଏ ତାଙ୍କ ଦଳର ରାଜ୍ୟ ସଂଗଠନରେ କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି ଯିଏକି ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ । ନହେଲେ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ଯେକୌଣସି ମୁହୂର୍ତ୍ତରେ ଜେଲ ଯିବାର ଆଶଙ୍କା ଥିବା ଜୁନିୟର ଲୋକଙ୍କୁ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଛାଡ଼ି ନ ଥାନ୍ତେ । ତେଣୁ ଓଡ଼ିଶା ବିଜେପିକୁ ଆମର ପରାମର୍ଶ, ଆଗକୁ ସେମାନେ ଏ ନେଇ ସତର୍କ ରୁହନ୍ତୁ । ନଚେତ୍ ଏଭଳି ବିବାଦୀୟ ଓ କଳଙ୍କିତ ଛବି ଥିବା ନେତାଙ୍କ ଯୋଗୁଁ ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ ।











