ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ସ୍ ସଂସ୍ଥା ଆନୁକୂଲ୍ୟରେ ତା୨୩.୩.୨୦୨୩ରିଖ ଦିନ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ୨୮ ଜିଲ୍ଲାରୁ ଆସିଥିବା ୮୦୦ ସ୍କାଉଟ୍ ଗାଇଡ଼୍ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଶିବିର “ରେନବୋ ”ର ତା୨୫.୩.୨୦୨୩ ଦିନ ହେଉଛି ଉଦ୍ୟାପନୀ ଉତ୍ସବ । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡଃ. (ଶ୍ରୀମତୀ) ମିନତୀ ବେହେରା, ମହିଳା କମିଶନ, ଓଡ଼ିଶା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ସ୍କାଉଟ୍ ଗାଇଡ଼୍ “ସ୍ୱଚ୍ଛ ଭାରତ ଏବଂ ସବୁଜ ଭାରତ” କାର୍ଯ୍ୟକ୍ରମରେ ସ୍କାଉଟ୍ ଗାଇଡ଼୍ ପରିସରକୁ ସଫାସୁତୁରା କରିଥିଲେ । ପିଲାମାନଙ୍କୁ ସ୍କାଉଟ୍ ଗାଇଡ଼୍ ସଂପର୍କରେ ବିଭିନ୍ନ ପ୍ରଶ୍ନଉତ୍ତର ପ୍ରତିଯୋଗିତା କରାଯାଇ ସେମାନଙ୍କର ଶିକ୍ଷାର ବିକାଶ କରାଯାଇଥିଲା ।
ପିଲାମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ଆଣିବା ତଥା ଶରୀରକୁ ନିରୋଗ ରଖିବା ଉଦେ୍ଧଶ୍ୟରେ ପ୍ରତ୍ୟେକ ଦିନ ପ୍ରାତଃ ସମୟରୁ ଏରୋବିକ୍ ଏବଂ ଯୋଗାସନ କରିଥିଲେ । ପରେ ପରେ ଦକ୍ଷତା ବିକାଶ କ୍ଷେତ୍ରରେ ସ୍କାଉଟ୍ ଗାଇଡ଼୍ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇଥିଲା । ଛାତ୍ରଛାତ୍ରୀମାନେ ରଙ୍ଗୀନ କାଗଜରେ ବିଭିନ୍ନ ପ୍ରକାରର ଫୁଲ ଏବଂ ସୌଖୀନ ପଦାର୍ଥମାନ ତିଆରି କରି ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ । ଏହାପରେ ଅନ୍ୟ ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଥିଲା ‘ପୃଥିବୀ ସୁରକ୍ଷା’ । ଉକ୍ତ କାର୍ଯ୍ୟକ୍ରମରେ ସ୍କାଉଟ୍ ଗାଇଡ଼୍ ମାନେ ପୃଥିବୀ ସୁରକ୍ଷା ଉପରେ ସୁନ୍ଦର ଅଭିନୟ କରି ସମସ୍ତଙ୍କୁ ମୁଗ୍ଧ କରିବା ସହିତ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ ।
ଏତଦ୍ ବ୍ୟତୀତ ଭିନ୍ନ ଏକ କାର୍ଯ୍ୟକ୍ରମ ଥିଲା ଓଡ଼ିଶାର ରୁଚିକର ଖାଦ୍ୟ ପ୍ରସ୍ତୁତି । ସ୍କାଉଟ୍ ଗାଇଡ଼୍ ମାନେ ନିଜ ନିଜ ଅଂଚଳର ଖାଦ୍ୟ ନିଜେ ପ୍ରସ୍ତୁତ କରି ପରିବେଷଣ କରିଥିଲେ । ସ୍କାଉଟ୍ ଗାଇଡ଼୍ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଲଡ଼ୁ ଅତି ପ୍ରିୟ ଥିଲା । ଏତଦ୍ ବ୍ୟତୀତ କୋଳି ଆଚାର, ଆରିଷା, ରସାବଳି, ଝାଲ୍ ମୁଢ଼ି ଏପରି ଅନେକ ପ୍ରକାରର ସ୍ୱାଦିଷ୍ଟ ଦ୍ରବ୍ୟ ପ୍ରସ୍ତୁତ କରିଥିଲେ ।
ସାନ୍ଧ୍ୟକାଳୀନ ଅଧିବେଶନ ଥିଲା ଅତି ମନୋମୁଗ୍ଧକର । ସ୍କାଉଟ୍ ଓ ଗାଇଡ଼୍ ମାନଙ୍କୁ ଉତ୍ସାହ ଓ ଉଦ୍ଧୀପନା ଜାଗ୍ରତ କରିବା ଏବଂ ଆତ୍ମବିଶ୍ୱାସ ବିକାଶ ପାଇଁ ‘ଡାନସ୍ ବୋନାଞ୍ଜା’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବାଦ୍ୟ ସଂଗୀତର ତାଳେ ତାଳେ ସ୍କାଉଟ୍ ଗାଇଡ଼୍ ମାନଙ୍କ ନୃତ୍ୟ ଅତିଥି ମାନଙ୍କୁ ଆମୋଦିତ କରିଥିଲା । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରତିଯୋଗିମାନଙ୍କୁ ସାର୍ଟିଫିକେଟ୍ ଏବଂ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା ।
ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ସଫଳତାର ସହ ଶେଷ ହୋଇଛି ।
ରାଜ୍ୟ
ରାଜ୍ୟ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଶିବିର “ରେନବୋ”ର ଉଦଯାପନୀ ଉତ୍ସବ
- Hits: 318











