ସୁନ୍ଦରଗଡ/ ଭୁବନେଶ୍ୱର :- ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୯୬୫-୬୬ ମସିହାରେ ରାଜସ୍ୱ ବୋର୍ଡ ଅଧୀନରେ ସ୍ୱତନ୍ତ୍ର ରିଲିଫ ଆୟୋଗ ଗଠନ କରାଯାଇଥିଲା। ବର୍ତ୍ତମାନ ଏହି ଆୟୋଗ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଅନ୍ତର୍ଭୁକ୍ତ। ଏହି ବିଭାଗ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯେପରିକି ତୁରନ୍ତ ରିଲିଫ୍ ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟ, ପୁନର୍ବାସ କାର୍ଯ୍ୟ ଏବଂ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଲୋକଙ୍କୁ ମିଳିବାକୁ ଥିବା ସହାୟତା ରାଶି ପ୍ରଦାନ କରିବା ପାଇଁ ଅନ୍ୟ ସରକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥାଏ| କିନ୍ତୁ ଅନେକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ସରକାର ଙ୍କ ବିଭିନ୍ନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହୁଅନ୍ତି ହିତାଧିକାରୀ। ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରତିଛବି ଦେଖିବାକୁ ମିଳିଛି।
ପ୍ରକୃତି କୃତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ସହାୟତା ପାଇଁ ଆବେଦନ କରି ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି ମୃତକଙ୍କ ଅସହାୟ ପରିବାର ବର୍ଗ।
ପ୍ରକାଶ ଯେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅନ୍ତର୍ଗତ ଅଲେଇକେରା ଗ୍ରାମର ମଦନ ଦାସ ଗତ ୧୫ ଅଗଷ୍ଟ ୨୦୨୦ ରେ କୌଣସି କାରଣବଶତଃ ନିଆଁ ଲାଗି ମୃତ୍ୟୁବରଣ କରିଥିଲେ କିନ୍ତୁ ଆବେଦନ ପରେ ମଧ୍ୟ ସହାୟତା ରାଶି ପାଇନଥିବା ତାଙ୍କ ସ୍ତ୍ରୀ ଶାନ୍ତିଲତା ଦାସ ଅଭିଯୋଗ କରିଛନ୍ତି, ସେହିପରି ସୁନ୍ଦରଗଡ଼ ସଦର ତହସିଲ ଅନ୍ତର୍ଗତ ବାଦଲପଡା ଗାଁ ର କେଶବ ବାଗ ନାମକ ୨୩ ବର୍ଷୀୟ ଯୁବକ ଗତ ୧୪ ଅକ୍ଟୋବର ୨୦୧୯ ରେ ନିଆଁରେ ପୋଡ଼ି ଯାଇ ବୁର୍ଲା ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ତାଙ୍କ ପରିବାର ମଧ୍ୟ ଆବେଦନ କରିଥିଲେ ହେଁ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି।
ସେହିପରି ୨୬ ମାର୍ଚ୍ଚ ୨୦୨୧ ରେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ ସୁନ୍ଦରଗଡ଼ ସଦର ତହସିଲ ଅନ୍ତର୍ଗତ ଅମଶରଙ୍ଗା ଗାଁର ଧର୍ମେନ୍ଦ୍ର ରଣା। ତାଙ୍କ ପରିବାର ମଧ୍ୟ ଏକ୍ସ ଗ୍ରାସିଆ ଆବେଦନ କରି ସହାୟତା ପାଇଁ ଅପେକ୍ଷାରତ।
ସେହିପରି ସୁନ୍ଦରଗଡ଼ ସଦର ତହସିଲ ଅନ୍ତର୍ଗତ ତଳସରା ଗ୍ରାମର ୪୫ ବର୍ଷୀୟ ବସନ୍ତ କାଲୋ ଗୋରୁ ଖୋଜି ଯିବାବେଳେ କୂଅ ରେ ପଡ଼ି ଗତ ୨୫ ସେପ୍ଟେମ୍ବର ୨୦୨୨ ରେ ମୃତ୍ୟୁବରଣ କରିଥିଲେ, ସୁନ୍ଦରଗଡ଼ ସଦର ତହସିଲ ଅନ୍ତର୍ଗତ ଅମଶଡେଗି ଗ୍ରାମର ଅମ୍ବିକା ସା ନଦୀ ରେ ଗାଧୋଇ ଥିବା ବେଳେ ପାଣି ରେ ବୁଡ଼ି ଗତ ୨୭ ମେ ୨୦୨୧ ମସିହା ରେ ମୃତ୍ୟୁବରଣ କରିଥିଲେ, ଉଭୟଙ୍କ ପରିବାର ମଧ୍ୟ ଏକ୍ସ ଗ୍ରାସିଆ ସହାୟତା ଅପେକ୍ଷାରେ ଅଛନ୍ତି।
ଏହି ସମସ୍ତ ଗରିବ ଅସହାୟ ପରିବାର ମାନଙ୍କୁ ଯଥାଶୀଘ୍ର ସହାୟତା ପ୍ରଦାନ କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଜନସାଧାରଣ ଦାବୀ କରିଛନ୍ତି।
ରାଜ୍ୟ
ସରକାରୀ ଯୋଜନା କାହା ସ୍ବାର୍ଥ ରେ : ଆବେଦନ ପରେ ମଧ୍ୟ ମିଳୁନି ସହାୟତା
- Hits: 721