-
• ସର୍ବଭାରତୀୟ ସ୍ତରୀୟ ପୁରସ୍କାର ପ୍ରାପ୍ତି ପାଇଁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ
-
• କୃଷକମାନଙ୍କ ସମସ୍ୟାକୁ ବୁଝି ଆଗକୁ ଆହୁରି ଭଲ କାମ କରିବାକୁ ପରାମର୍ଶ
ଭୁବନେଶ୍ୱର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ, ଜଳସମ୍ପଦ ବିଭାଗ ଏବଂ ନିଗମର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ସାକ୍ଷାତ କରିଥିଲେ l ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଓଡିଶା ଉଠାଜଳସେଚନ ନିଗମ କ୍ରମାଗତ ଦ୍ଵିତୀୟ ଥର ପାଇଁ ସର୍ବଭାରତୀୟ ସ୍ତରରେ ୱାଟର ଡାଇଜେଷ୍ଟ ୱାଟର ଆୱାର୍ଡ-୨୦୨୩ପ୍ରାପ୍ତ ହୋଇଥିବାରୁ ମନ୍ତ୍ରୀ ଶ୍ରୀମତୀ ସାହୁ ଖୁସି ବ୍ୟକ୍ତ କରି ଓଏଲ୍ ଆଇସିଟିମକୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକଙ୍କର କଲ୍ୟାଣ ପାଇଁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନକୁ ଗୁରତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତାରେ ସଫଳତା ହାସଲ କରି ଓଏଲଆଇସି ଜାତୀୟ ସ୍ତରରେ କ୍ରମାନ୍ୱୟରେ ୨ଥର ପୁରସ୍କୃତ ହେବା ଅତ୍ୟନ୍ତ ଗୌରବର କଥା l ସେହିଭଳି ନିଗମ ଜରିଆରେ କାର୍ଯ୍ୟକାରୀ ହେଉଥିବା ଅନ୍ୟ ଯୋଜନାଗୁଡ଼ିକ ମଧ୍ୟ ଅଧିକ ସଫଳତାର ସହ କାର୍ଯ୍ୟକାରୀ କରାଇ କୃଷକମାନଙ୍କ ଆର୍ଥିକ ବିକାଶରେ ସହାୟକ ହେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱାରୋପ କରିଥିଲେ l ଏହି ଅବସରରେ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ ଓଏଲଆଇସି ଅଧ୍ୟକ୍ଷ ଏବଂ ନିଗମର ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
ପ୍ରକାଶ ଥାଉକି, ଚଳିତ ମାସ ମାର୍ଚ୍ଚ ୧୬ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ଓଏଲଆଇସି ତରଫରୁ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଏହି ପୁରସ୍କାର ଗ୍ରହଣ କରିଥିଲେ । ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପଗୁଡିକ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକୀୟ ଜଳସେଚନ ସୁବିଧା ଯୋଗାଇଦେବା ଦ୍ଵାରା ଉଭୟ ଖରିଫ ଓ ରବି ଋତୁରେ ବିବିଧ ଚାଷ ପ୍ରକ୍ରିୟାରେ ସହାୟକ ହୋଇପାରିଥିବାରୁ ଓଏଲଆଇସିକୁ ଏହି ପୁରସ୍କାର ମିଳିଛି । ସେହିପରି ଜଳ ସଂପଦ ବିଭାଗର ଉପର ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପୁରସ୍କୃତ ହୋଇଛି ।
ବିଭାଗୀୟ ମନ୍ତ୍ରୀଙ୍କୁ ଏହି ସାକ୍ଷାତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, (ଇଣ୍ଚରନାଲ ଭିଜିଲାନ୍ସ)ତଥା ସ୍ୱତନ୍ତ୍ର ଶାସନ ସଚିବଶ୍ରୀ ବାଲେଶ୍ୱରନାଥ ସାହୁ, ନିର୍ବାହୀ ଯନ୍ତ୍ରୀ, ଓଏଲଆଇସି ଶ୍ରୀ ଜନାର୍ଦ୍ଦନ ମାଝିଙ୍କ ସମେତ ନିଗମର ଅନ୍ୟ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।