ହେଡଲାଇନସ୍:

ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବରକନ୍ୟା ଝରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ଲକ୍ଷ୍ମୀଧର ସାହୁ/(ଶ୍ରୀକାନ୍ତ କୁମାର ମିଶ୍ର)): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ ପାଦଦେଶରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ସୌନ୍ଦର୍ଯ୍ୟମୟ ସ୍ଥାନଟି ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବାବେଳେ ଏହି ଝରଣା ନିକଟକୁ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥି, ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧୂମାନେ ଗସ୍ତ କରିଥିଲେ ।

ବିଧାୟକ ଡ. ସାହୁ ଝରଣାକୁ ଦେଖି ବିମୋହିତ ହେବା ସହ ଏହାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଝରଣା ପାଖରେ ଭୋଜି ଭାତ କରାଯିବା ଦ୍ବାରା ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ରହିଥିବାରୁ ବିଧାୟକ ଏହାକୁ ବାରଣ କରିଛନ୍ତି । ଝରଣା ନିକଟକୁ ରାସ୍ତା ନିର୍ମାଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହା ସହିତ ଝରଣା ତଳଭାଗରେ ଭୋଜିଭାତ କରିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ପାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଏହି ସ୍ଥାନକୁ ଅଧିକ ଲୋକାଦୃଷ୍ଟି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ଦେଇଛନ୍ତି । ସାରା ରାଜ୍ୟରୁ କିଭଳି ପର୍ଯ୍ୟଟକଏଠାକୁ ଆସି ବଣଭୋଜି କରିବେ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଏହା ସହିତ ଚିରଶ୍ରୋତା ଝରଣାର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ସହିତ ଏହାକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ବିଧାୟକ ଡ଼ ସାହୁ ପ୍ରକାଶ କରିଛନ୍ତି।

0
0
0
s2sdefault