ମଡେଲ୍ ପାଠାଗାର ଉଦ୍ଘାଟନ କଲେ ‘ମୋ ସ୍କୁଲ୍’ ଅଧ୍ୟକ୍ଷା
ଭୁବନେଶ୍ୱର(ଶାସକ ପ୍ରଶାସକ): ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏକ ଶିଶୁ ସଂସାଧନ ପାଠାଗାର (Children’s Resource Centre-cum-Library ) ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ ନିର୍ମିତ ହୋଇଥିବା ଏହି ପାଠାଗାରକୁ ‘ମୋ ସ୍କୁଲ୍’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଉଦ୍ଘାଟନ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ । ‘ମୋ ସ୍କୁଲ୍’ ଦ୍ୱାରା ଏକ ମଡେଲ୍ ସେଣ୍ଟର ଭାବରେ ନିର୍ମିତ ଏହି ପାଠାଗାରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ଶିକ୍ଷଣ ଉପକରଣ ଉପଲବ୍ଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏଠାରେ ଯୋଗାଇ ଦିଆଯାଇଛି । ଛୋଟ ପିଲାମାନେ ଯେପରି ଶବ୍ଦ, ସଂଖ୍ୟା, ବାକ୍ୟ ଗଠନ, ଖଣ୍ଡବାକ୍ୟ, କାହାଣୀ, ହସକଥା ଓ କବିତା ଆଦି ସହଜରେ ଶିଖିପାରିବେ ତାହାକୁ ଦୃଷ୍ଟିରେ ରଖି ‘ଖେଳରେ ଖେଳରେ ଶିକ୍ଷା’କୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି ଏଠାକାର ଶିକ୍ଷକ, ଶିକ୍ଷୟିତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ବିଭିନ୍ନ ପ୍ରକାର ଶିକ୍ଷାମୂଳକ ଉପକରଣ ରହିଛି । ସେହିଭଳି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ ଅନେକ ଉପାଦେୟ ପୁସ୍ତକ ଏହି ମଡେଲ୍ ପାଠାଗାରରେ ଉପଲବ୍ଧ ଅଛି । ଏହି ସଂସାଧନ କେନ୍ଦ୍ର ରବିବାର ଓ ଅନ୍ୟନ୍ୟ ସରକାରୀ ଛୁଟିଦିନମାନଙ୍କରେ ମଧ୍ୟ ପିଲାମାନଙ୍କ ପାଇଁ ଖୋଲା ରହିବ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ମଧ୍ୟ ଛୁଟିଦିନମାନଙ୍କରେ ଆସି ସେଠାରେ ଶିକ୍ଷାଲାଭ କରିପାରିବେ ବୋଲି ଶିକ୍ଷୟିତ୍ରୀ ରନିମଞ୍ଜରୀ ଦାସ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ‘ମୋ ସ୍କୁଲ୍ ଅଭିଯାନ’ ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ଯୋଗଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିନବ ଶିକ୍ଷା ଉପକରଣ ବ୍ୟବହାର ଦିଗରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ‘ମୋ ସ୍କୁଲ୍ ଅଭିଯାନ’ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା, ଉପ-ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର ଏବଂ ଭୁବନେଶ୍ୱର ବ୍ଲକ୍ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।