ଭୁବନେଶ୍ୱର,: ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରିକାନ୍ତି ବେହେରା ଗତକାଲି ଦେଇଥିବା ମନ୍ତବ୍ୟ ବିଜୁ ଜନତା ଦଳ ସରକାରର ଦଳିତ, ଆଦିବାସୀ ଓ ମହିଳା ବିରୋଧି ଆଭିମୁଖ୍ୟର ପ୍ରତିଫଳନ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟ ସଭାପତି ଡ. ବିଭୂପ୍ରସାଦ ତରାଇ କଡା ସମାଲୋଚନା କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ତରାଇ କହିଛନ୍ତି ଯେ, ଅତୀତରେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ସ୍ତରରେ ରାଜ୍ୟରେ ଚାଲିଥିବା ବ୍ୟାପକ କମିଶନି କାରବାରକୁ ସ୍ୱୀକାର କରିଥିଲେ । ନଗଦରେ ପୋଲିସ ବିଭାଗରେ ବ୍ୟାପକ କମିଶନି କାରବାର ଚାଲୁଥିବା ସତ୍ୟତାକୁ ଖୋଦ୍ ପୋଲିସ ବିଭାଗର ରାଷ୍ଟ୍ରମନ୍ତ୍ରୀ ସ୍ୱୀକାର କରିଛନ୍ତି । ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ଉପରେ ପ୍ରତିବର୍ଷ ଶତକଡା ୮% ନିର୍ଯ୍ୟାତନା ବୃଦ୍ଧି ପାଉଥିବା ବେଳେ ବୋଧ ହୁଏ ଗୃହମନ୍ତ୍ରୀଙ୍କ ପାଖରେ ସୂଚନା ନାହିଁ । ରାଜ୍ୟରେ ପୋଲିସର ଅସହଯୋଗ କାରଣରୁ ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା ଅଦ୍ୟାବଧି ୨୨ହଜାରରୁ ଉର୍ଦ୍ଧ୍ୱ ମାମଲାର ଚାର୍ଜସିଟ୍ ଦିଆଯାଇନଥିବାରୁ ମାମଲା ଗୁଡିକ ବିଚାର ନହୋଇ ପଡିିରହିଛି । ଏହା ରାଜ୍ୟ ସରକାରଙ୍କ ଦଳିତ ଓ ଆଦିବାସୀ ବିରୋଧି ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଡ. ତରାଇ କହିଛନ୍ତି ।
ଦଳିତ ଆଦିବାସୀ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ବିଜୁ ଜନତା ଦଳ ନେତା, ମନ୍ତ୍ରୀ ଓ ବିଧାୟକ ମାନେ ଅନୁଭବ ନକରି ଅପରାଧୀଙ୍କୁ ଖସାଇ ଦେବା ପାଇଁ କରୁଥିବା ଉଦ୍ୟମକୁ ଆହୁରି ପ୍ରୋତ୍ସାହନ ଯୋଗାଇଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ । ଅତୀତରେ ଘଟିଥିବା ପିପିଲିର ବେବିନା, କୁନ୍ଦୁଲିର ସସ୍ମିତା ଓ ରାୟଗଡା ଜିଲ୍ଲା ଅଣ୍ଡିରାକଂଚର ଗର୍ଭବତୀ ଦଳିତ ମହିଳା ମୁଲା ନାଏକଙ୍କ ହତ୍ୟା ଘଟଣାରେ ଶାସକ ଦଳ ନେତା, କମ୍ପାନୀ ଓ ପୋଲିସ ବିଭାଗର ମିଳିତ ଷଡଯନ୍ତ୍ର ସମଗ୍ର ଓଡିଶାରେ ଚାଂଚଲ୍ୟକର ଘଟଣା ହୋଇଥିଲାବେଳେ ମନ୍ତ୍ରୀ ମହୋଦୟ ଏସବୁ ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିବା ନିନ୍ଦନୀୟ କେବଳ ନୁହେଁ ଏ ବର୍ଗ ସମୁଦାୟଙ୍କ ପାଇଁ ଦୁର୍ଭାଗ୍ୟଜନକ । ସେହିପରି ହତ୍ୟାର ଶିକାର ହୋଇଥିବା ମହିଳା କ୍ରିକେଟିୟର ରାଜଶ୍ରୀ ସ୍ୱାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହୋଇଥିଲେ ବି ମନ୍ତ୍ରୀ ଆଖି ବୁଜି ଦେଇଛନ୍ତି ବୋଲି ଡ. ତରାଇ କହିଛନ୍ତି ।
ଅନୁସୂଚିତ ଜାତିବର୍ଗଙ୍କ ପାଇଁ ଏକ ସଂରକ୍ଷିତ ଆସନରୁ ନିର୍ବାଚିତ ମନ୍ତ୍ରୀ ଶ୍ରୀ ବେହେରା ଦଳିତ ଏବଂ ଆଦିବାସୀ ମାନଙ୍କ ସୁରକ୍ଷା ପାଇଁ “ଦଳିତ ଆଦିବାସୀ ନିର୍ଯ୍ୟାତନା ଆଇନ”କୁ କଡାକଡି ଭାବରେ ରାଜ୍ୟରେ ଲାଗୁ କରି ଏହି ବର୍ଗର ଲୋକମାନଙ୍କର ରକ୍ଷା କବଚ ହେବା ପରିବର୍ତେ ନିର୍ଯାତିତ ଦଳିତ, ଆଦିବାସୀ, ମହିଳା ଓ ଶିଶୁ ମାନଙ୍କ ପ୍ରତି ବିଦ୍ରୁପ କରିବାକୁ ପଛାଇ ନାହାଁନ୍ତି । ତେଣୁ ରାଜ୍ୟ ସରକାର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଏହି ମନ୍ତବ୍ୟ ପାଇଁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ଦଳିତ, ଆଦିବାସୀ ଓ ମହିଳା ବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଡ. ତରାଇ କହିଛନ୍ତି ।
ଓକିଲ, ସ୍ଥାନୀୟ ଜନପ୍ରତିନିଧି ଏବଂ ପୋଲିସ କମିଶନି କାରବାରରେ ସମ୍ପୃକ୍ତ ଏହିକଥା କହିଲା ବେଳେ ମନ୍ତ୍ରୀ ତାଙ୍କର ନିଜ ବିଭାଗର ପୋଲିସକୁ କାଠଗଡାରେ ଛିଡା କରାଇ ଦଳିତ ଓ ଆଦିବାସୀ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଅତ୍ୟାଚାରକୁ ବଢାଇବା ପାଇଁ ପରୋକ୍ଷ ଭାବେ ପ୍ରୋତ୍ସାହନ ଦେଉଛନ୍ତି । ସେହିପରି ଯେଉଁ ସ୍ଥାନୀୟ ପ୍ରତିନିଧି ତଥା ସରପଂଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ସମ୍ପୃକ୍ତିକୁ ନେଇ କଥା ଉଠାଇଛନ୍ତି ପରୋକ୍ଷରେ ତାଙ୍କ ଦଳର ଅସଲ ଚରିତ୍ରକୁ ପ୍ରକାଶ କରିଛନ୍ତି । କାରଣ ରାଜ୍ୟରେ ସର୍ବାଧିକ ସ୍ଥାନୀୟ ପ୍ରତିନିଧି ତାଙ୍କ ଦଳର ଏବଂ ତାଙ୍କ ନିଜ ଦଳ ସମର୍ଥିତ ବୋଲି ଡ. ତରାଇ କହିଛନ୍ତି ।
୨୩ବର୍ଷର କୁଶାସନରେ ଦଳିତ, ଆଦିବାସୀ, ମହିଳା ଓ ଶିଶୁ ମାନେ ନ୍ୟାୟ ପାଇପାରିନାହାଁନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀ ନିଜ ସରକାରଙ୍କୁ କ୍ଲିନ ଚିଟ୍ ଦେବାପାଇଁ ଏପରି ଅଗଣତାନ୍ତ୍ରିକ ମନ୍ତବ୍ୟ ଦେଇଛନ୍ତି । ଗୃହବିଭାଗର ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ୍ ରାଜ୍ୟ ସରକାର ଓ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବୟାନ ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି । ସେଥିପାଇଁ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ଦଳିତ ଓ ଆଦିବାସୀ ବିରୋଧି ବୟାନ ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍ ଆଗକୁ ରାଜରାସ୍ତାରେ ବିଜେପି ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଡ. ତରାଇ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଗଣମାଧ୍ୟମ ମୁଖ୍ୟ ଦିଲିପ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
"ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତି ରାଜ୍ୟ ସରକାରଙ୍କ ଦଳିତ ଆଦିବାସୀ ମନୋଭାବକୁ ସ୍ପଷ୍ଟ କରୁଛି"
- Hits: 290











