ଜଗତସିଂହପୁର/ସୁମନ୍ତକୁମାରଦାସ:ପୁସ୍ତକ ମେଳାର ଷଷ୍ଠ ସଂଧ୍ୟାରେ ଯୁବ ସାହିତ୍ୟିକ ରଜତରଶ୍ମୀ ସ୍ବାଇଁ ଓ କଥାକାର ଡଃ ତୃପ୍ତି ରଞ୍ଜନ ଦାସ"ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ସାହିତ୍ୟର କେବେବି ବିନାଶ ନାହିଁ, କିନ୍ତୁ ସାହିତ୍ୟକୁ ବଞ୍ଚେଇ ରଖିବା ପାଇଁ ହେଲେ ଅଧିକରୁ ଅଧିକ ପଢିବା ଆବଶ୍ୟକ । ଆସନ୍ତା କାଲି ପାଇଁ ଲେଖିବାକୁ ହେଲେ ଆଜିକୁ ପଢିବାକୁ ପଡିବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଅତିଥି ମାନେ ତାଙ୍କ ସାହିତ୍ୟିକ ଜୀବନର ଅଭୁଲା ସ୍ମୃତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ଅତିଥିମାନଙ୍କୁ ତାଙ୍କ ସାହିତ୍ୟିକ କୃତ୍ତି ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର ଯୁଗ୍ମ ସମ୍ପାଦକ ନରେଶ ଦାସ ସଭାପତିତ୍ବ କରିଥିଲେ । ପୁସ୍ତକ ମେଳାର ଆଜିର ସଂଧ୍ୟା ଆଧ୍ୟାତ୍ମିକ ପ୍ରଚାରକ ଓ ସାହିତ୍ୟିକ ବସନ୍ତ କୁମାର ଦାସଙ୍କୁ ଉତ୍ସର୍ଗ କରାଯାଇଥିଲା । ସ୍ବର୍ଗତ ବସନ୍ତ କୁମାର ଦାସ ଜଣେ ଆଧ୍ୟାତ୍ମିକବାଦୀ,ସମାଜ ସଂସ୍କାରକ ଓ ସାହିତ୍ୟିକ ଭାବେ ଜନମାନସରେ ପରିଚିତ ଥିଲେ ବୋଲି ଆଜିର ସଭାର ସଭାପତି ନରେଶ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ।ଆଜି ବିଶିଷ୍ଟ ଗାଳ୍ପିକ ଇଂ ବିଷ୍ଣୁ ସାହୁଙ୍କ ପୁସ୍ତକ "ବିଷ୍ଣୁ ସାହୁ ଙ୍କ ନିର୍ବାଚିତ ଗଳ୍ପ" ଉନ୍ମୋଚିତ ହୋଇଥିଲା।ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକାରୀ ସଦସ୍ୟ ମାନସ କୁମାର କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନ ଶିକ୍ଷକ ଶୁକଦେବ ସାହୁ ଚାଳିଶ ହଜାର ଟଙ୍କା ମୂଲ୍ୟର ପୁସ୍ତକ କ୍ରୟ କରିଥିବାରୁ ଓ ସିଦ୍ଧ ବାରଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଠ ହଜାର ଟଙ୍କା ମୂଲ୍ୟର ପୁସ୍ତକ କ୍ରୟ କରିଥିବାରୁ ପୁସ୍ତକ ମେଳା ମଞ୍ଚରେ ଉଭୟଙ୍କୁ ନାଇଜର କୁଳସଚିବ ଡ଼ଃ ଅଭୟ ନାୟକ ସ୍ମୃତି ଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ଅପରାହ୍ନରେ ମହିମା ସ୍କୁଲ୍ ଅଫ୍ ନର୍ସିଂ ପ୍ରାୟୋଜିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଡା ରୁଦ୍ର ନାରାୟଣ ଦାଶ ଜିଲ୍ଲା, ଜଗତସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ମହିମା ସ୍କୁଲ୍ ଅଫ୍ ନର୍ସିଂ ର ନିର୍ଦ୍ଦେଶକ ଗଣେଶ୍ୱର ମାଣିଆ ଅତିଥି ଭାବେ ଉପସ୍ଥିତ ରହି ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଚୌଧୁରୀ ପରିଚାଳନା କରିଥିବାବେଳେ ସାମ୍ବାଦିକ ତନ୍ମୟ ପଣ୍ଡା,ଅବିନାଶ ସ୍ବାଇଁ ଓ କୃଷ୍ଣଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ । ସେହିପରି ପୂର୍ବାହ୍ନରେ ଜଗତସିଂହପୁର ସାହିତ୍ୟ ପରିଷଦ ପକ୍ଷରୁ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଗତକାଲିର ଅତିଥି ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ଦ୍ବାରା ଶକୁନ୍ତଳା ମହାନ୍ତି ଙ୍କ ପୁସ୍ତକ ଅମୁଲ୍ୟ ରତ୍ନ, ସୁନାକାର ସାମନ୍ତରାୟ ଙ୍କ ପୁସ୍ତକ ମରଣ ଫାସରେ ଜୀବନ ବନ୍ଧା, ପ୍ରିୟତମା ସାହୁ ଙ୍କ ପୁସ୍ତକ ଚେତନାର ଚିତ୍ର,ବିଦ୍ୟଶ୍ରିତାଙ୍କ ଆମରଥାଇନ୍ ଟେଲ୍ ଅଫ୍ ୟାଭିରେଖା ପୁସ୍ତକ ଉନ୍ମୋଚିତ ହୋଇଥିଲା।ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ, ବରିଷ୍ଠ କର୍ମକର୍ତ୍ତା ହେମନ୍ତ କୁମାର ରଥ, କର୍ମକର୍ତ୍ତା ଲାଲା ସଂଗ୍ରାମ କେଶରୀ ରାୟ, ଭଗବାନ ଦାଶ,,ସାରଦା ପ୍ରସାଦ ଦାସ, ରବିନ୍ଦ୍ରନାଥ ମିଶ୍ର, ନାଟ୍ୟକାର କୈଳାସ ମଲ୍ଲିକ,,ପ୍ରଦୀପ୍ତ ମିତ୍ର,ପ୍ରଶାନ୍ତ କୁମାର ମହାପାତ୍ର,ସୁଧୀର କୁମାର ମହାନ୍ତି, ବିବୁଧ ରଞ୍ଜନ ମହାନ୍ତି, ଅବନୀକାନ୍ତ ମହାରଣା, ଶୁଷମା ପ୍ରଧାନ,ପ୍ରମୁଖ ସହଯୋଗ କରିଥିଲେ।
ରାଜ୍ୟ
କାଲି ପାଇଁ ଲେଖିବାକୁ ହେଲେ ଆଜିକୁ ପଢିବାକୁ ହେଵ
- Hits: 261