ହେଡଲାଇନସ୍:

ଉତ୍ତର ଘୁମୁସର ବନଖଣ୍ଡ ରେ ପୁଣି ଦନ୍ତାର ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛଅ ମାସରେ ପ୍ରାଣ ହରାଇଲେଣି ୪ ହାତୀ

ଭଞ୍ଜନଗର,/ନିଲୁ ବିଷୋୟୀ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ତାରସିଂ ବନାଞ୍ଚଳର ମାଣପୁର ବିଟ୍ ରେ ରହିଥିବା ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ପରିବା କ୍ଷେତରେ ଆଜି ସକାଳ ସମୟରେ ଏକ ଦନ୍ତାହାତୀର ମୃତ ଦେହ ଠାବ କରାଯାଇଛି। ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଅଧିକାରୀ ମାନେ ସେଠାରେ ପହଞ୍ଚି ତଦନ୍ତ କରିବା ସହ ବ୍ୟବଚ୍ଛେଦ କରିବା ସହ ନିକଟରେ ପୋତି ଦେଇଥିବା ଜଣାପଡିଛି। ହାତୀଟିର ବୟସ ଆନୁମାନିକ ୩୫ ରୁ ୪୦ ହେବ ବୋଲି ଡିଏଫଓ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ସମୟରେ ହାତୀର ପେଟ ନିକଟରେ ୩ଟି ଗୋଲେଇ କଣା ଥିବା ସହ କଳା ପଡିଯାଇଥିବାରୁ ପୂର୍ବରୁ ଅନ୍ୟ କୌଣସି ଦନ୍ତା ସହ ଝଗଡାରୁ ଏଭଳି କଣା ହୋଇଥିବା ବେଳେ ଖାଦ୍ୟ ନଳୀ ସଂକ୍ରମଣ ରୁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତ ରୁ ଅନୁମାନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ତଦନ୍ତ ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ତାରସିଂ ବନାଞ୍ଚଳର ଗାୟଗଣ୍ଡା ସେକ୍ସନ୍ ରେ ୮ ଟିକିଆ ହାତୀପଲ ଘୂରୀ ବୁଲୁଥିବା ବେଳେ ସେଠାରୁ ଉକ୍ତ ଦନ୍ତା ଅଲଗା ହୋଇ ମାଣପୁର ଆଡକୁ ଚାଲି ଆସିଥିଲା। ଏକ ପୋଟଳ ପରିବା ବଗିଚା ଭିତରେ ପଡି ଯାଇଥିବା ଆଜି ଦେଖିବାକୁ ମିଳିଥିଲା। ହାତୀର ଶରୀରର ବାହାର ପାର୍ଶ୍ବରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲା। ଉକ୍ତ ଘଟଣାକୁ ନେଇ ଭୂବନେଶ୍ବରର ଏକ ଜଏଣ୍ଟ ଟାସ୍କ୍ ଫୋର୍ସ ପୁଲିସ୍ ଇନ୍ସପେକ୍ଟର ରେଣୁବାଳା ସାହୁଙ୍କ ନେତୃତ୍ବରେ ରେଞ୍ଜ ଅଫିସର ଜୟନ୍ତ କୁମାର ଦାସ,ସବ୍ ଇନ୍ସପେକ୍ଟର ବଳରାମ ପ୍ରସାଦ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଜଗନ୍ନାଥପ୍ରସାଦ,ତାରସିଂ ପ୍ରାଣୀଧନ ନିରୀକ୍ଷକ ଉପସ୍ଥିତ ରହି ବ୍ୟବଚ୍ଛେଦ କରିଥିଲେ। ସେଠାରେ ମୃତହାତୀଟିର ଶରୀର ଭିତରୁ ବିଭିନ୍ନ ଅଂଶ ସଂଗ୍ରହ କରିଥିଲେ। କିଛି ସ୍ବାସ୍ଥଗତ ସମସ୍ୟା କାରଣରୁ ଦନ୍ତାଟିର ମୃତ୍ୟୁ ହୋଇଥିବା ବନ ବିଭାଗ ଅନୁମାନ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ,ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି,ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଶୂଳପାଣି ଶତପଥୀ,ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାଶ,ତାରସିଂ ରେଞ୍ଜର କୃତ୍ତିବାସ କୁମାର,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା,ତାରସିଂ ବନପାଳ କଳାବଦନ ଦାସଙ୍କ ସମେତ ବନପାଳ ଓ ବନରକ୍ଷୀ ମାନେ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି, ଉତ୍ତର ଘୁମୁସର ବନଖଣ୍ଡରେ ଗତ ୬ ମାସ ମଧ୍ୟରେ ୪ ଟି ହାତୀର ଜୀବନ ଯାଇଛି। ଗତ ବର୍ଷ ଜୁଲାଇ ମାସ ୭ ତାରିଖରେ ଦିନ ମୁଜାଗଡ ବନାଞ୍ଚଳର ଗୁଣ୍ଡୁରିବାଡି ବିଟ୍ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଏକ ଦନ୍ତାହାତୀର ଦାନ୍ତ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ଶିକାରୀ ମାନେ ଦନ୍ତାକୁ ମାରି ତାର ଦନ୍ତା ଲୁଟ କରି ନେଇଥିଲେ। ଏହାର କିଛି ଦିନ ପରେ ଜଗନ୍ନାଥ ପ୍ରସାଦ ବନାଞ୍ଚଳର କନ୍ଧନୂଆପଲି କାଜୁ ବଗିଚା ରେ ବିଦ୍ୟୁତ ଆଘାତ ରେ ଏକ ଦନ୍ତାରେ ମୃତ୍ୟୁ ଘଟିଥିଲା। ଶିକାରୀ ମାନେ ଦନ୍ତାର ଏକ ଦାନ୍ତକୁ କାଟି ନେଇଥିଲେ। ସେହିପରି ସେପ୍ଟେମ୍ବର ମାସ ୩ ତାରିଖରେ ତାରାସିଙ୍ଗି ବନାଞ୍ଚଳର ରାମ୍ପ ଜଙ୍ଗଲରେ ଚିକିତ୍ସା ଅଭାବରୁ ଏକ ଦନ୍ତାର ମୃତ୍ୟୁ ଘଟିଛି।
ଏଭଳି ଦାନ୍ତ କାଟି ନେବା ଘଟଣା ଓ ହାତୀ ମୃତ୍ୟୁ ଉକ୍ତ ବନଖଣ୍ଡରେ ଆଗରୁ କେବେ ହୋଇନଥିବା ବେଳେ ବନ ବିଭାଗ ପାଇଁ ଏହା ଚାଲେଞ୍ଜ୍ ସୃଷ୍ଟି କରିଥିଲା। ପୂର୍ବରୁ ଦୁଇଟି ଦନ୍ତାହାତୀ ମୃତ୍ୟୁ ମାମଲାରେ ୨ ଜଣ ବନପାଳ, ୨ ଜଣ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୯ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ଏହାର କିଛି ମାସ ପରେ ପୁଣି ତାରାସିଙ୍ଗି ବନାଞ୍ଚଳର ମାଣପୁର ନିକଟରେ ଦନ୍ତାର ମୃତ୍ୟୁ ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି।

0
0
0
s2sdefault