ହେଡଲାଇନସ୍:

ଡଟ୍ ଫେଷ୍ଟ ଉବାଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନାମିକା ଦାସ

ମୁଁ ଆଜ୍ଞା ପୁରୀ ରଘୁରାଜପୁର, ପଟ୍ଟଚିତ୍ରର ଗାଁର ଗୋଟେ ଅଯୋଗ୍ୟ ପୁଅ । ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମୋ ବାପା-ଭାଇ ସମସ୍ତେ ପଟ୍ଟଚିତ୍ର ବେଉସାରେ ଲାଗିଛନ୍ତି । ମୋ ଦେଇ ପାଠ ହେଲାନି କି ସେ ରଙ୍ଗତୁଳୀ ସୁହାଇଲାନି । ମୁଁ କାଳେ ସୁଧୁରିଯିବି ବୋଲି ବାହା ବି କରେଇ ଦେଲେ, ହେଲେ ମୁଁ କଉ ବିଗିଡି ଥିଲି ଯେ ସୁଧୁରି ଥାନ୍ତି । ବାହାଘର ବର୍ଷକରେ ପୁଅ । ତା’ପରେ ନନା ମତେ ବଢ଼ିଲା ପାଣିକୁ ଠେଲିଲା ଭଳି ଶୁଣେଇ ଦେଲେ ତୁ ରୋଜଗାର କରି ତୋ ପିଲା-ସ୍ତ୍ରୀ କଥା ବୁଝ । ନହେଲେ ଏବେ ବି ସମୟ ଅଛି ପୈତୃକ ବେଉସା ଶିଖ ।
ମୁଁ ହାର ମାନିବା ମଣିଷ ତ ନଥିଲି ବାସ୍ ଘର ଛାଡି ଭୁବନେଶ୍ୱର ବାହାରିଲି, ନାନାଙ୍କୁ ତ ସିଧା କଥା କେବେ ହେଇନଥିଲି, ବୋଉ ଆଉ ମୋ ସ୍ତ୍ରୀ କୁ ଜୋର୍‌ରେ କହିଥିଲି ମୁଁ ରୋଜଗାର କରି ଦେଖେଇବି । ଆସି ପହଞ୍ଚିଲି ଭୁବନେଶ୍ୱର ଷ୍ଟେସନ, ବ୍ରାହ୍ମଣ ପୋଷାକ (ଯୋଡ) ମୁଣ୍ଡରେ ଚୁଟି, ପୁରା ଦିନ ବୁଲିଲି ମୋ ମନ ଲାଖି କାମଟେ ପାଇଲିନି, କଉ ମନ୍ଦିରରେ କାମଟେ ମିଳୁ ବୋଲି ଛୋଟ ବଡ ମନ୍ଦିର ବୁଲିଲି । ମନ୍ଦିର କାମରେ ସକାଳ ସଂଧ୍ୟା ଆଉ ବାକି ସମୟ ମୋର ଫାଙ୍କା ଦରକାର ଥିଲା ।
ଏଠି ଦୋକାନ ମାନଙ୍କରେ ସକାଳ ଧୂପ ଆଉ ବଡ ବାବୁମାନଙ୍କ ଘର ଠାକୁର ଲାଗି ବି ମୋ ଭଳି ବ୍ରାହ୍ମଣଙ୍କ ଚାହିଦା ବେଶୀ । ଷ୍ଟେସନ ଦି ପଟେ ଚକ୍ ମକ୍ କରୁଥିବା ଦୋକାନ- ଦୋକାନ ଯାଇ ପୂଜାରୀ ଦରକାର କି ପଚାରି ପଚାରି ତିନି ନମ୍ବର ରାମ ମନ୍ଦିର ଯାଏଁ ଆସିଲି । ଦୁଇ-ତିନି ଦୋକାନର ସକାଳ ପୂଜା କାମ ବି ପାଇଲି । ରାମ ମନ୍ଦିର ତ ବାପା-ମା ଲୋ ସେଠି ପୂଜାରୀ ହେବା ଲାଗି ମୋତେ ଆଉ ଗୋଟେ ଜନ୍ମ ନେବାକୁ ପଡିବ, ପୁରୀର ଶୁଣି ମନ୍ଦିର ଦୁଇବେଳା ଫୁଲକଢ଼ା, ସଫା କାମ ମିଳିଲା । ଆଉ ଖାଇବାଟା ବି ବ୍ୟବସ୍ଥା ହେଇଗଲା । ଆହୋ ମୁଁ ପୁରୀ ଲୋକ ଅରୁଆ ଡାଲମାଟେ ହେଲେ ଶାନ୍ତି । ଏମିତି ଏମିତି ଗୋଟେ ମୋବାଇଲ୍ କିଣିଲି ଆଉ ଘରକୁ ଗଲେ ଭୁବନେଶ୍ୱର ରାମ ମନ୍ଦିର, ଭଳିକି ଭଳି ମେଳା, ଆଲୁଅ ସଜା, ପୂଜା ବେଳେ ଆକାଶ ଛୁଆଁ ତୋରଣ ଫଟୋ ଦେଖେଇ ବଡିମା କରେ କି ଦେଖ ମୁଁ କେମିତି ଜାଗାରେ ଅଛି ଆଉ ତମେମାନେ ସନ୍ଧ୍ୟା ହେଲେ ଲାଇଟ୍ ଗୁଡା ଡିବି ଜଳିଲା ଭଳି ଲାଗୁଥିବା ଜାଗାରେ । ବଡ ଭାଇ ପୁଅ, ମୋ ସ୍ତ୍ରୀ ଓ ପୁଅ କୁହନ୍ତି ଆମକୁ ବି ଟିକେ ନଉନା, ଟି.ଭି.ରେ ଯାହା ଦେଖିଛୁ, ସତରେ ଟିକେ ଭୁବନେଶ୍ୱର ଦେଖନ୍ତୁ । ସବୁଥର କହି ଖସେ କି ଆରଥରକୁ ଆସେ ନେଇଯିବି ।
ଏବେ ରାମ ମନ୍ଦିର ଠାରୁ ପ୍ରଦର୍ଶନୀ ପଡିଆ, ବୁଦ୍ଧ ମନ୍ଦିର ଯାଏଁ ଉଠା ଦୋକାନୀରେ ଭରପୁର । ପରିବା, ଫଳ, ଲୁଗା ପଟା, ଘର ସଜା ଜିନିଷ ସବୁ ମିଳେ । ମୁଁ ବି ଫୁଲ୍ ପାଉଡର ଚନ୍ଦନ ଆଉ ପିତଳ ଗଡୁଟେ ଧରି ଏ ମୁଣ୍ଡ ସେ ମୁଣ୍ଡ ଦୋକାନରେ ପାଣି ଛିଞ୍ଚି, ଚନ୍ଦନ ଟୋପାଟେ ଦୋକାନୀକୁ ମାରି ଯାହା ଦଶ-ପାଞ୍ଚ ମିଳେ ଲୁଗାରେ ଖେଂଚେ । ଏମିତିକି ପରଦା ବିକୁଥିବା ମୁସଲମାନ ଦୋକାନୀ ବି ଚନ୍ଦନ ନ ନେଇ ମତେ ଦେଖୁ ଦେଖୁ ଦଶଟଙ୍କାଟେ ବଢ଼େଇ ଦିଏ ।
ପ୍ରଦର୍ଶନୀ ପଡିଆ ରୋଡ୍‌, ସ୍କୁଲ କାନ୍ଥ ବାଡ ସବୁ ଚିତ୍ର, ରଙ୍ଗରେ ସଜା ହେଉଥିଲା, ସଜା ସଜି ଦେଖି ଆଖି ଖୋସି ହେଇଯାଉଥାଏ, ଆମ ଓଡିଶାରେ ହକି ବିଶ୍ୱକପ୍ ହେବ, ଆଉ ତା’ ସହ ତାଳ ଦେଇ “ଡଟ୍ ଫେଷ୍ଟ” ରାମ ମନ୍ଦିରରୁ କାମ ସାରି ଉଠା ଦୋକାନୀମାନଙ୍କ ଆଡେ ଗଡୁଟା ଧରି ବାହାରିଲି, ହେଲେ କେହି ନଥିଲେ । ସେମାନେ କୁଆଡେ ସୁନ୍ଦର ଭୁବନେଶ୍ୱରର ଶୋଭା ନଷ୍ଟ କରୁଥିଲେ । ହଉ ଯାହା ସରକାରଙ୍କ ଇଛା । ସନ୍ଧ୍ୟାବେଳେ ଜୋର୍ ଗୀତ, ବାଜା ଶବ୍ଦରେ ରାମ ମନ୍ଦିରରୁ ବାହାରି ପ୍ରଦର୍ଶନୀ ପଡିଆ ଆଡେ ଚାଲିଲି । କୋଶେ ଦୂରରୁ ସେ ବାଜାରେ ଛାତି ଧଡ-ଧଡ ହେଉଥିଲା, କି ରକମ-ରକମ ଲାଇଟ୍ ଫଟୋ ଉଠେଇ ଉଠେଇ ଚାଲିଲି ଆଗକୁ, ବାଟରେ ସେ ମାରୁଆଡି ଶାଢ଼ୀ ଦୋକାନୀ ବି ମୋ ସହ ଗଲେ । ହଉ ବେପାର ସିନା ହେବନି କିନ୍ତୁ ଟିକେ ଆଖିରେ ଦେଖିବା କ’ଣ ହଉଛି ।
“ଡଟ୍ ଫେଷ୍ଟ” ଭିତରକୁ ପଶିଲା ବେଳକୁ ପୋଲିସ୍ ବାବୁ ଟିକେଟ୍ ମାଗିଲେ, ଆଜ୍ଞା ଟିକେଟ୍ କ’ଣ? କଉଠୁ ମିଳିବ? ନାଚ-ଗୀତ ଦେଖିବାକୁ ପୁଣି ଟଙ୍କା? ସେ ବିରକ୍ତ ହେଇ ତଡିଲେ, ଯା’ ଆରପଟ ଖାଦ୍ୟ ମେଳାଟା ମାଗଣା ପଶି ପାରିବ, ଏପଟେ ବମ୍ବେରୁ ବଡ ବଡ କଳାକାର ଆସିବେ, ମନ୍ତ୍ରୀ, ବିଧାୟକଙ୍କ ସମୟ, ଏ ଗେଟ୍‌ରୁ ହଟ ଆଗେ । ପଶିଲୁ ଯାଇ ଖାଦ୍ୟମେଳା ପଟେ, ବାପାରେ କି ସଜା, ତଳେ କ’ଣ ଏଇ ଦଶ ଦିନରେ ସବୁଜ ଘାସ ଏ ଥୁଣ୍ଟା ପଡିଆରେ କରିଦେଲେ! ଯେଉଁ ହୋଟେଲ୍‌ର ନାଁ ଖାଲି ଶୁଣିଥିଲୁ, ବାହାରୁ ଦେଖିଥିଲୁ ସେ ଷ୍ଟଲ ସବୁ ଲାଗିଥିଲା । ବହୁତ ଗୁଡେ ଫଟୋ ଉଠେଇ ଘରକୁ ପଠେଇଲି । ମନେ ମନେ ଭାବୁଥିଲି ଆରେ କ’ଣ ପାଖରେ ପଡିଛିକି ସରକାର ଚାହିଁଲେ ଥୁଣ୍ଟା ପଡିଆରେ ଘାସ କି କଥା, ଦେଶଟାକୁ ବିଦେଶ ଭଳି କରିଦେବେ ।
ଫୋନ୍ ବାଜିଲା, ସେପଟୁ ଶୁଭିଲା କକେଇ ତମ ଭୁବନେଶ୍ୱରକୁ ପରା ବମ୍ବେରୁ ଗୀତିକାର, ହିରୋ, ହିରୋଇନ୍ ଆସିଛନ୍ତି, ଟି.ଭି.ରେ ଦେଖିଲୁ ଆମ ମୁଖ୍ୟମନ୍ତ୍ରୀ କହିଲେ ଆପଣମାନେ ଖୁସି ତ! କକେଇ ଆମକୁ ଟିକେ ନିଅ, ଆମେ ଖୁସି କେମିତି ହବୁ ଯେ, କିଛି ଉପାୟ ନଥିଲା କଷ୍ଟେ ମଷ୍ଟେ ସଂଚିଥିବା ଟଙ୍କା ଧରି ଟିକେଟ୍ ଲାଗି ଗଲି, ଟିକେଟ୍ ମିଳିଲେ ସକାଳୁ ଯାଇ ଛୁଆ ଦି’ଟାକୁ ଭାଉଜ ଆଉ ମୋ ସ୍ତ୍ରୀକୁ ନେଇ ଆସିବି ।
ଟିକେଟ୍ ବାବୁଙ୍କୁ କହିଲି ମଣି ପାଞ୍ଚଟା ଟିକେଟ କେତେ? ସେ ଗଜା ଟୋକାଟେ ଥଟା କରି କହିଲା ମଣି ଟିକଟ ଶେଷ, ତିନି ଦିନ ପରର ମିଳିପାରିବ, ପାଞ୍ଚ ଟିକଟ ପାଞ୍ଚ ହଜାର ଟଙ୍କା । ହେଁ .... ପାଞ୍ଚ ହଜାର! ତା’ଠୁ କମ୍‌ରେ ହବନି । ହଁ ଶହେରୁ ଆରମ୍ଭ ହଜାରେ ଯାଏଁ । ଶହେ, ଦୁଇଶହ ହଜାରେ ସବୁ ବିକ୍ରି ଶେଷ । ପାଞ୍ଚ ଶହ ବାଲା ମିଳିବ । ଅନ୍‌ଲାଇନ୍ ବୁକ୍ କର । ଏ ଅନ୍‌ଲାଇନ୍ ପୁଣି ଗୋଟା ପାଞ୍ଚ ଶହ! ରାସ୍ତାରେ ଗୁଡେ ପିଲା ବେକରେ ପରିଚୟ ପତ୍ର ପକେଇ ବୁଲୁଥିଲେ । ଜଣଙ୍କ ପାଖକୁ ଯାଇ ଅନୁରୋଧ କଲି ବାବୁରେ ମୋ ଲାଗି ତିନିଟା ଟିକେଟ କରିଦେବ ? ସେ ମନା କଲାନି, ମୋ ଫୋନ୍ ମାଗି ସେଥିରେ କ’ଣ ସବୁ ଟିପିବାକୁ ଲାଗିଲା, ମୁଁ କହିଲି ଭାରି ଭଲ ପିଲାଟେରେ ଧନ.... ମଉସା ପନ୍ଦର ଶହ ଟଙ୍କା ଦିଅ, ମୁଁ ତମ ଲାଗି ପେମେଣ୍ଟ କରିଦେଲି । ଏତେ ଆର୍ଶିବାଦ ପରେ ବି ତା ମନ ହେଲାନି ଗୋଟେ ଅଧିକା ମାଗଣାରେ ଟିକେଟ୍ ଦେବା ଲାଗି । ଟିକେଟ୍ ଫୋନ୍‌ରେ ଅଛି । ଏ ପରା ଡିଜିଟାଲ ଯୁଗ ।
ଗଲି ଗାଁକୁ ପିଲାଙ୍କୁ କହିଲି ବୋଉ ଆଉ ଦେଠେଇ ସେ ନାଚ-ଗୀତ ଭଲ ପାଇବେନି ବୋଲି ଖାଲି ତିନିଟା ଟିକେଟ ଆଣିଛି । ବଡଟା ମୋବାଇଲ ଦେଖି ଡେଇଁ ପଡି କହିଲା କକେଇ ବ୍ଲାକ୍ ସ୍ୱାନ ଆସିବେ ସେ ଦିନ, ଚାଲ ଆଜିଠୁ ପଳେଇବା । ମୁଁ ବା କ’ଣ ଜାଣେ, ଚୁପ୍ ରହିଲି । ଟିକେଟ ଦିନର ସକାଳେ ତାଙ୍କୁ ଆଣି ଆସିଲି, ପିଲେ ବେଶ୍ ଖୁସି, ଲାଇଟ୍‌, ଚକ୍‌ମକ୍ ରାସ୍ତା, ଚିତ୍ର ଦେଖି ଦେଖି ପଶିଲୁ ଫେଷ୍ଟ ଭିତରକୁ, ହାତ ଠାରି ଆମକୁ ଚେୟାର ଦେଖେଇ ଦେଲେ, ପ୍ରାୟ ଦୁଇ ହଜାର ଲୋକ ପରେ ଆମେ । ପୁଅ ଅଭିମାନ କଲା କି ନନା ଏତେ ପଛରୁ ତ କିଛି ଦିଶିବନି । ତାକୁ ବୁଝେଇ ଦେଲି ଦେଖୁନୁ ଆମ ପଛରେ ବି କେତେ ଲୋକ, ମୁଁ ଡେରିରେ ଟିକେଟ୍ କଲି ବୋଲି ଦୂର, ହେଇ ବଡ ବଡ ଟିଭି ଲାଗିଛି ଦେଖୁନା । ଆରମ୍ଭ ହେଲା ସେ ଦୁଲ୍‌ଦୁଲ୍ ଆବାଜକୁ ଲାଇଟ୍‌, ଛୁଆ ଦିଟା ଠିଆ ହେଇ ଦେଖିଲେ, ଆଗରେ ଲୋକ ସବୁ ଠିଆ ହେଇ ପଡୁଥିଲେ ତ ପିଲାଙ୍କୁ ଦିଶୁନଥିଲା ।
ମୁଁ ଦେଖିଲି ଆଗରେ କିଛି ଚେୟାର ଖାଲି ପଡିଛି, ଉଠିଯାଇ ବାବୁକୁ ହାତ ଯୋଡି କହିଲି ଆଜ୍ଞା ଆଗରେ ତ ଖାଲି ଅଛି ଛୁଆ ଦି’ଟା କେତେ ମନରେ ଆଇଛନ୍ତି । ହୋ ବାୟାଟା କି ସେ ସବୁ ଭି.ଆଇ.ପି. ପାସ୍ ବାଲାଙ୍କ ଚେୟାର । ତ ମୁଁ କହିଲି ଆଜ୍ଞା ମୁଁ ବି ପାଞ୍ଚଶହ ଲେଖେ ଟିକେଟ କରିଛି । ସେ ବିରକ୍ତ ହେଇ କହିଲେ ଯାଇ ଜାଗାରେ ବସ୍ ନହେଲେ ଏଠୁ ବିଦା କରିଦେବି । ହଉ କାନ ମୁଣ୍ଡା ଆଉଁସି ବସିଲି । ପିଲେ ସେ ବଡ ଟିଭିରେ ବି ଦେଖି ଖୁସ୍ । ମୁଁ ଦେଖୁଥିଲି ଆଗରେ ବସିଥିବା ତଥା କଥିତ ଭିଆପିଙ୍କ ଲାଗି ଟ୍ରେରେ ସଜା ହେଇ ଚା’ ଜଳଖିଆ ଯୋଗାହେଉଛି । ହଁ ଏ ଥଣ୍ଡାରେ କପେ ଆମକୁ ମିଳନ୍ତାନି । ହେଲେ ସେ ସୁବିଧା ନଥିଲା ଆମେ ଟିକେଟ କିଣିଥିବା ଲୋକଙ୍କ ଲାଗି । ଦଶଟାରେ ସରିଲା, ପିଲେ ଭୋକ, ଭୋକ କହି ସେ ଫୁଡ ଫେଷ୍ଟିଭାଲ ଆଡେ ଟାଣିଲେ, ମୁଁ ତ ଆଗରୁ ଦେଖିସାରିଥିଲି ସେଠି ଗୋଟେ୍ କପ୍ ଆଇସିକ୍ରିମ୍ ବି ଦେଢ଼ଶହ ଟଙ୍କା, ତ’ ତାଙ୍କୁ ବୁଝା ଶୁଝା କରି ରାମ ମନ୍ଦିର ଗଳି ପଛପଟେ ଚାଟ୍ ବାଲା ପାଖେ ଚାଟ୍ ଖୋଇଲି, ଆଉ ଭାବୁଥିଲି ବାଃ କି ନିୟମ ଭିଆଇପି ଯିଏ ଟିକେଟ୍ ହଜାରେ କ’ଣ ପାଞ୍ଚ ହଜାରରେ ବି କିଣି ପାରିବେ ତାଙ୍କ ଲାଗି ମାଗଣା ପାସ୍‌, ଚା’ କଫି । ଆଉ ମୋ ଭଳି ଗାଁ ଗହଳିରୁ ଆମ ରାଜଧାନୀ ଭୁବନେଶ୍ୱର ସତେ କି ଅପହଞ୍ଚ ଆମେରିକା ।
ଛୁଆ ଦି’ଟା ଖୁସିରେ କୁହା କୁହି ହେଉଥିଲେ ଆପଣ ମାନେ ଖୁସି ତ......ହଁ ଆମେ ବହୁତ ଖୁସି, ଆଉ ମୁଁ ଭାବୁଥିଲି ଧାର ଆଣିଥିବା ଟଙ୍କା କେତେ ମାସରେ ଶୁଝିବି । ସକାଳେ ସେ ଶାଢ଼ୀ ବେପାରୀ ପଚାରିଲା ଭାଇନା କ’ଣ ଦେଖିଲେ କାଲି, ଆଉ ମୁଁ ଧାଡିଏ ଉତ୍ତର ଦେଲି “ଡଷ୍ଟ ଫେଷ୍ଟ ଉବାଚ” ।

ପ୍ରଶାସନିକ ଅଧିକାରୀ
ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌, ଭୁବନେଶ୍ୱର, ଓଡିଶା
ମୋ- ୭୦୦୮୩୯୬୬୫୪

0
0
0
s2sdefault