କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ଅବରୋଧ
ଭୁବନ : ଅଜଣା ଗାଡି ଧକ୍କାରେ ମଟରସାଇକେଲ ଚାଳକ ମୃତ। ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ ଭୁବନ ଓ୍ବାର୍ଡ ନମ୍ବର - ୨ ର ଦାମୋଦର ସାହୁ ୬୦ ବର୍ଷ। ଜାତିୟ ରାଜପଥ ୫୩ ମହିଳା ମହାବିଦ୍ୟାଳୟ ରାସ୍ତା ଓଭର ବ୍ରିଜ ତଳେ ସର୍ଭିସ ରୋଡରେ ଘଟିଲା ଦୁର୍ଘଟଣା। ଦାମୋଦର ନିଜ ମଟରସାଇକେଲରେ କୋହ୍ଲସାହି ପଟରୁ ଓଭରବ୍ରିଜ ତଳେ ଯାଉଥିବା ସମୟରେ କାମାକ୍ଷାନଗର ପଟରୁ ଦ୍ରୁତ ଗତିରେ ଆସିଥିବା ଏକଗାଡି ଧକ୍କା ଦେଇଥିଲା। ଖବର ପାଇ ଭୁବନ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦାମୋଦରଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅଭିଯୋଗ ପାଇ ଭୁବନ ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ମହିଳା ମହାବିଦ୍ୟାଳୟ ନିକଟରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ କି ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା ।











