ହେଡଲାଇନସ୍:

ଯନ୍ତ୍ରୀ-ଠିକାଦାର ମାଲେମାଲ, ଲୋକ ହେବେ ବେହାଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନିମ୍ନମାନର ରାସ୍ତା ଓ ପୋଲ ନିର୍ମାଣକୁ ଜେଏମଏମର ବିରୋଧ ଓ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓର ଚେତାବନୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା-ଅମର୍ଦ୍ଧା ଭାୟା ଚିତ୍ରଡ଼ା ରାସ୍ତା ସହିତ ଉକ୍ତ ରାସ୍ତାରେ ଥିବା ଜମ୍ଭୀରା ନଦୀ ଉପରେ ପୋଲର ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି ଝାମୁମୋ । ପୂର୍ତ୍ତ ଓ ନିର୍ମାଣ ବିଭାଗ ସହିତ ଠିକାଦାର ଉକ୍ତ ନିର୍ମାଣ କାର୍ଯ୍ୟ ଦୁଇଟି ନିମନ୍ତେ ହୋଇଥିବା ଚୁକ୍ତିନାମା ଆଧାରରେ ବାରିପଦା-ଅମର୍ଦ୍ଧା ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୧୬ ଜାନୁଆରୀ ୧୮ରୁ ଆରମ୍ଭ ହୋଇ ୨୦୧୮ ଜାନୁଆରୀ ୧୭ରେ ସମାପ୍ତି ହେବାର ରହିଥିଲା । କିନ୍ତୁ ନିର୍ମାଣ କାର୍ଯ୍ୟ ସମାପ୍ତିର ଅବଧି ପରିସମାପ୍ତି ହୋଇସାରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହେବାର ନାମ ଧରୁ ନାହିଁ । କିନ୍ତୁ ଠିକାଦାରଙ୍କୁ ବିଭାଗ ପକ୍ଷରୁ ୨୪୮୬.୭୦ ଲକ୍ଷ ଟଙ୍କା ପୈଠ ହୋଇସାରିଛି । ରାସ୍ତାର ନିର୍ମାଣ କାର୍ଯ୍ୟ ତଦାରଖ କରିବା ନିମନ୍ତେ କୌଣସି ବିଭାଗୀୟ ଅଧିକାରୀ ରହୁ ନ ଥିବାରୁ ଏହାର ସୁଯୋଗ ଉଠାଇ ଠିକାଦାର ତାର ଇଚ୍ଛା ଅନୁସାରେ କାର୍ଯ୍ୟ କରିଛି । ଫଳରେ ରାସ୍ତା ନିର୍ମାଣ ଶେଷ ନ ହେଉଣୁ ନଷ୍ଟ ହେବା ଆରମ୍ଭ କରିଛି । ପୁଣି ରାସ୍ତାର ଉଭୟ ପାଶ୍ୱର୍ରେ ରହିଥିବା ଡ୍ରେନର ନିର୍ମାଣ କାର୍ଯ୍ୟ ମଧ୍ୟ ଅତି ନିମ୍ନ ମାନର ର ହୋଇଛି । ଠିକାଦାର କାର୍ଯ୍ୟାଦେଶ ନେଇଥିବା ସମୟରେ କରିଥିବା ଚୁକ୍ତିନାମା ଅନୁସାରେ ରାସ୍ତା ନିର୍ମାଣରେ କଞ୍ଚାମାଲ ଆଦି ବ୍ୟବହାର କରାଯାଇ ନାହିଁ । ସେହିପରି ଜମ୍ଭୀରା ନଦୀ ଉପରେ ଚାଲିଥିବା ପୋଲର ନିର୍ମାଣ କାର୍ଯ୍ୟ ମଧ୍ୟ ସମାନ ଅବସ୍ଥା । ପୋଲ ନିର୍ମାଣ ନିମନ୍ତେ ବ୍ୟୟ ଅଟକଳ ୨୩୪୪.୦୪ ଲକ୍ଷ , କାର୍ଯ୍ୟ ଆରମ୍ଭ ୨୦୧୬ ଜୁଲାଇ ୧୨   ଓ କାର୍ଯ୍ୟ ସମାପ୍ତିର ଅବଧି ୨୦୧୮ ଜୁଲାଇ ୧୧ ରହିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାହା କେବଳ ଠିକାଦାର ଓ ପୂର୍ତ୍ତ ଓ ନିର୍ମାଣ ବିଭାଗକୁ ଜଣା ରହିଥିବା ସମୟରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାରଙ୍କୁ ୫୩୨.୮୨ ଲକ୍ଷ ଟଙ୍କା ପୈଠ ହୋଇସାରିଛି । ପୋଲର ମଝି ଖମ୍ବ ସହିତ ଦୁଇ ପାଶ୍ୱର୍ର ଖମ୍ବର ନିର୍ମାଣ କାର୍ଯ୍ୟ ପ୍ଲାନ ଓ ଏଷ୍ଟିମେଣ୍ଟ ଅନୁସାରେ କରା ନ ଯାଇ ନିମ୍ନମାନର ନିର୍ମାଣ କାର୍ଯ୍ୟ ଚାଲିଛି । ଏଠାରେ ମଧ୍ୟ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ କୌଣସି ବିଭାଗୀୟ ଅଧିକାରୀ ରହୁ ନାହାନ୍ତି । ଫଳରେ ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ହେଉଥିବା ଏହି ଦୁଇ ଗୋଟି କାର୍ଯ୍ୟରେ ନିମ୍ନମାନର କଞ୍ଚା ମାଲର ବ୍ୟବହାର, ନିର୍ମାଣ କାର୍ଯ୍ୟ ଚାଲୁ ରହୁଥିବା ସମୟରେ କୌଣସି ବିଭାଗୀୟ  ଇଞ୍ଜିନିୟର କାର୍ଯ୍ୟର ତଦାରଖ ନ କରିବା, ଜନସାଧାରଣଙ୍କ ବମନାଗମନର ସୁବିଧା ନିମନ୍ତେ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ଆଦି ଦାବି ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ଏ ଦିଗରେ ତିଳେହେଲେ କର୍ଣ୍ଣପାତ କରୁନଥିବାର ପରିଲକ୍ଷିତ ହୋଇଛି । ଫଳରେ ଏହି ଦୁଇ ନିର୍ମାଣ କାର୍ଯ୍ୟକୁ ପରୀକ୍ଷା ନିରୀକ୍ଷା କରିବା ସଂଗେସଂଗେ ଉନ୍ନତମାନର ନିର୍ମାଣ କାର୍ଯ୍ୟ ପ୍ଲାନ ଏଷ୍ଟିମେଣ୍ଟ ଅନୁସାରେ କରାଯାଇ ଲୋକାର୍ପିତ କରା ନ ଗଲେ ଜେଏମଏମ ପକ୍ଷରୁ ଉକ୍ତ ରାସ୍ତା ଉପରେ ହରତାଳ କରାଯିବ ଓ ପୂର୍ତ୍ତ ଓ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରିବ ବୋଲି ଝାମୁମୋର ଯୁବ ଶାଖା ସଭାପତି ରାକେଶ ବେହେରା ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

0
0
0
s2sdefault