ହେଡଲାଇନସ୍:

‘ମୋ ସ୍କୁଲ୍‌ ଅଭିଯାନ’କୁ ବ୍ୟାପକ କରିବାକୁ ଆହ୍ୱାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର, :ଭୁବନେଶ୍ୱରସ୍ଥ କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ଦ୍ୱିତୀୟ ଦିନ ତାଲିମ ଶିବିରରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରାମତୀ ଆଶ୍ୱଥୀ ଏସ୍‌. ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ ସମସ୍ତ ବ୍ଲକ୍‌ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷଣ ଫଳାଫଳକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ‘ବ୍ୟାକ୍‌ ଟୁ ଏକାଡେମିକ୍ସ’ ଉପରେ ଫୋକସ୍‌ କରିବାକୁ ସେ ଆହ୍ୱାନ ଦେଇଥିଲେ। ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆମର ଏକମାତ୍ର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଥିଲେ । ଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ସହ ନିଜେ ପ୍ରୋତ୍ସାହିତ ହେବାକୁ ସେ ଉପସ୍ଥିତ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିଭଳି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଫିଲ୍‌ଡ ମନିଟରିଂ ଉପରେ ଗୁରୁତ୍ୱ ଦେଇଥିଲେ। କେବଳ ସମସ୍ୟା ସମ୍ପର୍କରେ ଅଭିଯୋଗ ନ କରି ତାହାର ସମାଧାନ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସମସ୍ତ ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେମାନଙ୍କ ଅଫିସରେ ପଡ଼ି ରହିଥିବା ବିଭିନ୍ନ କୋର୍ଟ କେସ୍‌, ପେନ୍‌ସନ୍‌ ମାମଲା, ଚାକିରି ମାମଲା, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଶିକ୍ଷାନୁଷ୍ଠାନର ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ବନ୍ଧରେ ବକ୍ତବ୍ୟ ରଖି ଏସବୁ କାର୍ଯ୍ୟର ସୁଚାରୁ ପରିଚାଳନା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର ଓ ରାଜ୍ୟ ଅର୍ଥ ନିୟନ୍ତ୍ରକ ଶ୍ରୀ ଅଶୋକ କୁମାର ମହାନ୍ତି ସମସ୍ତ ଅଧିକାରୀଙ୍କୁ ପେନ୍‌ସନ୍‌ ସଂପର୍କିତ ବିଷୟଗୁଡ଼ିକ କିପରି ଶୀଘ୍ର ଫଇସଲା କରାଯାଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
‘ମୋ ସ୍କୁଲ୍‌ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶକୁ ଆହୁରି ଉନ୍ନତ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’କୁ ଅଧିକରୁ ଅଧିକ ବ୍ୟାପକ କରିବାକୁ କହିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଭାଗିତାରେ ଶିକ୍ଷାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କରିବାକୁ ସେ ଆହ୍ୱାନ ଦେବା ସହ ଗୋଷ୍ଠୀ ସହଭାଗିତାରେ କିଭଳି ଶିକ୍ଷାର ଗୁଣାତ୍ମକ ମାନକୁ ବୃଦ୍ଧି କରାଯାଇପାରିବ ତାହା ଉପରେ ବକ୍ତବ୍ୟ ରଖିଥିଲେ । ସେହିଭଳି ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘୫-ଟି ହାଇସ୍କୁଲ୍‌ ଟ୍ରାନ୍ସଫରମେଶନ’ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହ ଏହା ଅଧୀନରେ ସୃଷ୍ଟି ହୋଇଥିବା ଡିଜିଟାଲ ଭିତ୍ତିଭୂମି ଓ ଉପକରଣର ସଫଳ ଉପଯୋଗ ଦ୍ୱାରା ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସେ କହିଥିଲେ । ନିୟମିତ ମନିଟରିଂ ଦ୍ୱାରା ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ଡିଜିଟାଲ ଲାବୋରେଟୋରୀର ସଠିକ୍‌ ବ୍ୟବହାର ସୁନିଶ୍ଚିତ କରିବାକୁ ସେ ଉପସ୍ଥିତ ଜିଲ୍ଲା ଓ ବ୍ଲକ୍‌ ଶିକ୍ଷାଧିକାରୀମାନଙ୍କୁ କହିଥିଲେ ।

0
0
0
s2sdefault