ଠିକାଦାର ଓ ବିଭାଗୀୟ ଅବ୍ୟବସ୍ଥା ଉପରେ ଲୋକମାନଙ୍କ ଅସନ୍ତୋଷ
ବିଜେପୁର :- ବିଜେପୁର ଥାନା ପାଇଁ ସରକାରୀ ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ନୂତନ ଭବନ ଦୁଇ ବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦଘାଟିତ ହୋଇପାରିନାହିଁ। ଠିକାଦାର ଓ ବିଭାଗ ମଧ୍ୟରେ ଅବ୍ୟବସ୍ଥା ଯୋଗୁଁ ଭବନ ଅପରିଚାଳିତ ରହିଯାଇଛି। ଏହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଛି।
ସରକାରଙ୍କ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଦୁଇତାଲା ଥାନା ଭବନ ଆଧୁନିକ ଡିଜାଇନରେ ତିଆରି ହୋଇଛି। ପୁରୁଣା ଭବନ ଅପର୍ଯ୍ୟାପ୍ତ ଓ ଜର୍ଜର ହୋଇଯାଇଥିବାରୁ ନୂତନ ଭବନ ତିଆରି ହୋଇଥିଲା। କିନ୍ତୁ ନିମ୍ନମାନର ସାମଗ୍ରୀ ବ୍ୟବହାର ହେବା ଓ ନିରୀକ୍ଷଣରେ ଅସଙ୍ଗତି ଚିହ୍ନଟ ହେବା ପରେ ଭବନ ହସ୍ତାନ୍ତର ଅନୁମୋଦନ ଅଟକି ରହିଛି।
ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ — ପ୍ଲାଷ୍ଟର ଖସିଯାଇଛି, ବର୍ଷା ହେଲେ ଛାତ ରୁ ପାଣି ପଡ଼ୁଛି, ତଥା ବିଦ୍ୟୁତ ସଂଯୋଗ ଅସୁରକ୍ଷିତ ରହିଛି। ଏହି କାରଣରୁ ଥାନା କର୍ମଚାରୀମାନେ ନୂତନ ଭବନକୁ ଯିବାକୁ ରାଜି ହୋଇନାହାନ୍ତି।
ବିଜେପୁର ଥାନା ୨୩ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗୁରୁତ୍ୱପୂର୍ଣ୍ଣ ଥାନା ହେଲେ ମଧ୍ୟ, ପୁରୁଣା ଭବନର ସୀମିତ ସୁବିଧା ଯୋଗୁଁ ଜନସେବା ପ୍ରଭାବିତ ହେଉଛି। ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି କହିଛନ୍ତି, “କିଛି କାମ ଅଧୁରା ରହିଥିବାରୁ ଠିକାଦାର ଏପର୍ଯ୍ୟନ୍ତ ଭବନ ହସ୍ତାନ୍ତର କରିନାହାନ୍ତି। ଉପରିସ୍ତରର ଅନୁମୋଦନ ପରେ ମାତ୍ର ଭବନ ଚାଲୁ ହେବ।”
ଅନ୍ୟପଟେ ସ୍ଥାନୀୟ ସାମାଜିକ କର୍ମୀ ଓ ଜନପ୍ରତିନିଧିମାନେ ଏହି ଅବସ୍ଥା ଉପରେ ଗଭୀର ଅସନ୍ତୋଷ ଜଣାଇ ସରକାର ଓ ବରଗଡ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ତତ୍କାଳ ହସ୍ତକ୍ଷେପ କରି ଭବନ ଉଦଘାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି।
ଦୁଇ ବର୍ଷ ଧରି ଭବନ ଅପରିଚାଳିତ ରହିବା ମାତ୍ରେ ନୁହେଁ, ଏହା ସରକାରୀ ଧନର ଅପଚୟ ଓ ଜନସେବା ହାନି କରୁଛି। ଉଚ୍ଚପଦସ୍ତ ଅଧିକାରୀମାନେ ଯଦି ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ, ତେବେ ଜନସାଧାରଣରେ ପୁନଃ ବିଶ୍ୱାସ ଫେରି ପାଇବ l