ମହିଳା ଏସଏଚଜିଙ୍କୁ ପ୍ରତାରଣା ଉଦ୍ୟମ କରୁଛି ବିଜେପି: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ରାଜ୍ୟ ସରକାର ଦେଉଛନ୍ତି ବିନା ସୁଧରେ, କେନ୍ଦ୍ର ନେଉଛି ଋଣ ଉପରେ ୭ରୁ ୧୦% ସୁଧ"

 

  •  ଓଡିଶାର ମହିଳାଙ୍କୁ ମିଳୁଛି ୦% ସୁଧରେ ୫ଲକ୍ଷର ଋଣ

  •  ୫ଲକ୍ଷର ଋଣ ଉପରେ କେନ୍ଦ୍ରର ସୁଧ ହାର ୧୦%

ଭୁୁବନେଶ୍ୱର: ରାଜ୍ୟର ମହିଳା ଏସଏଚଜିମାନଙ୍କୁ ୦% ସୁଧ ହାରରେ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ କରୁଥିବାବେଳେ କେନ୍ଦ୍ର ସରକାର ଏତିକି ପରିମାଣର ଋଣ ପାଇଁ ୧୦% ସୁଧ ଆଦାୟ କରୁଛନ୍ତି । ରାଜ୍ୟର ମହିଳା ଏସଏଚଜିଙ୍କୁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଶୂନ ସୁଧ ହାରରେ ଋଣ ଯୋଗାଇବା ପରିବର୍ତ୍ତେ ସେମାନଙ୍କ ସହିତ ପ୍ରତାରଣା ଉଦ୍ୟମ କରୁଥିବା କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନିର୍ବାଚନି ସଭାରେ କହିଥିଲେ ଯେ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମ୍ୟ ଜୀବନ ମିଶନ ଅଧିନରେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କରେ ସୁଧ ହାର ୧୧% ପ୍ରତିଶତ ରହିଛି ଏବଂ ସୁଧ ସହାୟତା ବାବଦରେ କେନ୍ଦ୍ର ସରକାର ୭% ପଇଠ କରୁଥିବାବେଳେ ରାଜ୍ୟ କେବଳ ମାତ୍ର ୪% ପଇଠ କରି ବାହାବା ନେଉଛି ।
ଗଣମାଧ୍ୟମ ଆଗରେ ଡକ୍ଟର ପାତ୍ର ଦସ୍ତାବିଜ ରଖି କହିଛନ୍ତି ଯେ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମ୍ୟ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ୍‍) ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୨ ଜୁଲାଇ ୨୦ ତାରିଖରେ ମାଷ୍ଟର ସର୍କୁଲାର ଜାରି କରିଛନ୍ତି । ଆରବିଆଇର ଏହି ଦସ୍ତାବିଜର ଭାଗ-୨ର କ୍ରମିକ ନଂ-୨ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ମହିଳା ଏସଏଚଜି ପାଇଁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ୭% ହେବ । ୩ ଲକ୍ଷରୁ ଅଧିକ ଏବଂ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ୧୦% ହେବ । ଯେତେବେଳେ ଆରବିଆଇ କହିଛି ଯେ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ୭% ଏବଂ ୩ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ୧୦% ଅଟେ, ତେବେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ କ’ଣ ଓଡିଶା ବିଶେଷକରି ପଦ୍ମପୁରର ମହିଳା ଏସଏଚଜି ଗୁଡ଼ିକୁ ବିଭ୍ରାନ୍ତ କରୁନାହାଁନ୍ତି କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ଏସଏଚଜିଙ୍କ ପାଇଁ ସୁଧ ସହାୟତା ଆକାରରେ ସମଗ୍ର ସୁଧ ହାରର ୧୦% ପର୍ଯ୍ୟନ୍ତ ଦେଉଛନ୍ତି ଯାହା ଦ୍ୱାରା ମହିଳା ଏସଏଚଜି ମାନେ ୦% ସୁଧରେ ଋଣ ପାଇପାରୁଛନ୍ତି । ଯେତେବେବେଳେ ଓଡିଶା ସରକାର ୦% ସୁଧରେ ମହିଳା ଏସଏଚଜିଙ୍କ ପାଇଁ ଋଣ ବ୍ୟବସ୍ଥା କରିଛନ୍ତି ଓ ସମସ୍ତ ସୁଧ ବ୍ୟାଙ୍କ ଆକାଉଣ୍ଟରେ ପଇଠ କରୁଛନ୍ତି ସେତେବେଳେ କେନ୍ଦ୍ର ସରକାର ଏହାକୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ୭% ଏବଂ ୩ରୁ ୫ଲକ୍ଷ ଟଙ୍କାର ଋଣ ପାଇଁ ୧୦% ଧାର୍ଯ୍ୟ କରିଛନ୍ତି । ଏହା ହେଉଛି ଓଡିଶା ସରକାର ଏବଂ କେନ୍ଦ୍ର ମଧ୍ୟରେ ପାର୍ଥକ୍ୟ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ପଦ୍ମପୁର ଏବଂ ବରଗଡର ମହିଳା ଏସଏଚଜି ଗୁଡିକ ଅନ୍ୟମାନଙ୍କ ତୁଳନାରେ ଅଧିକ ସୁଧ ଦେଉଥିଲେ କାରଣ କେନ୍ଦ୍ର ସେମାନଙ୍କୁ ବର୍ଗ -୧ ପରିବର୍ତ୍ତେ ବର୍ଗ-୨ ଜିଲ୍ଲା ତାଲିକାରେ ରଖିଥିଲା । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ କଷ୍ଟ ଭୋଗିବାକୁ ଦେଲେ ନାହିଁ । ସୁଧର ସମ୍ପୂର୍ଣ୍ଣ ଭାର ସେ ଶୂନ କରିଦେଲେ । ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ପାଇଁ ଓଡିଶାର ସମସ୍ତ ଜିଲ୍ଲା ସମାନ । ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ଗ୍ରହଣ କରିନଥାନ୍ତେ ତେବେ ବରଗଡର ଏସଏଚଜି ଗୁଡ଼ିକର କିଭଳି ଅସୁବିଧା ହୋଇଥାନ୍ତା ତାହା ଆପଣ କଳ୍ପନା କରିପାରିବେ କି? ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି? ଏହା ହେଉଛି କେନ୍ଦ୍ରୀୟ ପକ୍ଷପାତିତା ବୋଲି ଡକ୍ଟର ପାତ୍ର କହିଛନ୍ତି ।
ଏଭଳି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ୪ ଲକ୍ଷ ମହିଳା ଏସଏଚଜି ଆକାଉଣ୍ଟକୁ ପ୍ରାୟ ୫୦୦ କୋଟି ପ୍ରଦାନ କରିଛନ୍ତି । ବରଗଡରେ ଗତ ତିନିବର୍ଷ ମଧ୍ୟରେ ଏସଏଚଜିଙ୍କ ଆକାଉଣ୍ଟକୁ ଓଡିଶା ସରକାର ୧୧.୧୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ପଦ୍ମପୁରକୁ ଓଡିଶା ସରକାର ସୁଧ ସହାୟତା ବାବଦରେ ୩.୦୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଯଦି ଆମ ସରକାର ଏଭଳି ପଦକ୍ଷେପ ନେଇ ନଥାନ୍ତେ, ବରଗଡରେ ଆମର ଏସଏଚଜି ଗୁଡିକ ଋଣ ପାଇପାରିଥାନ୍ତେ କି? ଓଡିଶାରେ ଲକ୍ଷ ଲକ୍ଷ ଏସଏଚଜି ଏକ ବୃହତ ସୁଧ ବୋଝର ସମ୍ମୁଖୀନ ହୋଇଥାନ୍ତେ ଏବଂ ଏହା ଏସଏଚଜି ମଧ୍ୟରେ ଥିବା ଉଦ୍ୟୋଗୀ ଉଦ୍ୟମ ବାଧାପ୍ରାପ୍ତ ଦେଇଥାନ୍ତା । ଆରବିଆଇର ଏଭଳି ସର୍କୁଲାର କାହିଁକି? ଏହା କ’ଣ ମହିଳାଙ୍କ ସଶକ୍ତିକରଣ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହାର ଉତ୍ତର ଦେଇ ପାରିବେ କି? ସେ ଏସଏଚଜି ପାଇଁ ସୁଧକୁ ଶୂନ କରିପାରିବେ କି? ଆମର ଏସଏଚଜି ଗୁଡିକ ଏହାର ଏକ ଉତ୍ତର ଚାହାନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୯ ନଭେମ୍ବରରେ ଏହା ଘୋଷଣା କରିଛନ୍ତି ଏବଂ ଏହା ୧ ଏପ୍ରିଲ ୨୦୨୨ ଠାରୁ କାର୍ଯ୍ୟକାରୀ ହେବ । ଓଡିଶାର ଯେକୌଣସି ଏସଏଚଜି ୫ ଲକ୍ଷ ପର୍ଯ୍ୟନ୍ତ ଶୂନ ସୁଧରେ ଋଣ ପାଇପାରିବେ । ଏହି ସୁଧ ସିଧାସଳଖ ଓଡ଼ିଶା ସରକାର ସେମାନଙ୍କ ଆକାଉଣ୍ଟରେ ପ୍ରଦାନ କରିବେ । ଏହା ସ୍ୱଚ୍ଛ ଏବଂ ବୁଝିବା ସହଜ ଅଟେ । ସମସ୍ତ ଏସଏଚଜି ଗୁଡ଼ିକୁ ସମାନ ଭାବରେ ବ୍ୟବହାର କରାଯାଏ ଏବଂ ଏହା ଏସଏଚଜିର ଅଭିବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଏ । ଆସନ୍ତା ୫ ବର୍ଷରେ ଏସଏଚଜିକୁ ୫୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ୧୨୦୦ କୋଟି ଟଙ୍କାର ସୁଧ ସହାୟତା ସୁବିଧା ଆକଳନ କରାଯାଇଛି । ଏହା ସିଧାସଳଖ ଏସଏଚଜିଙ୍କ ଆକାଉଣ୍ଟକୁ ଯିବ । ଏହା ହେଉଛି ଓଡିଶାର ମହିଳା ଏସଏଚଜି ଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା । ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସସ୍ମିତ ପାତ୍ରଙ୍କ ସହ ମାନ୍ୟବର ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ପ୍ରବକ୍ତା ସୁଶ୍ରୀ ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ ।

0
0
0
s2sdefault