ହେଡଲାଇନସ୍:

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗରପାଲି ବ୍ଲକରେ ଯୁଗ୍ମ ଜନଶୁଣାଣି।। ୨୫ ଅଭିଯୋଗରୁ ୫ର ତୁରନ୍ତ ସମାଧାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ରାଉରକେଲା: (ବସନ୍ତ କୁମାର ଜେନା ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଟାଙ୍ଗରପାଲି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ଲୋକମାନେ ଯୋଗ ଦେଇଥିଲେ। ସେମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜନଶୁଣାଣିରେ ମୋଟ ୨୫ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୫ଟିର ସମାଧାନ ଜନଶୁଣାଣି ଶିବିରରେ ହିଁ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରି ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଲୋକମାନେ ରାସ୍ତା ମରାମତି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ସ୍ୱାସ୍ଥ୍ୟଜନିତ ସମସ୍ୟା ଆଦି ପ୍ରସଙ୍ଗ ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଚାଷଜମିକୁ ଜଳସେଚନ ସହିତ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ଲୋକମାନେ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ।

ପୂର୍ବରୁ କେତେକ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ରାଶି ଲାଗି ଆବେଦନ କରିଥିଲେ। ଏହି ଜନଶୁଣାଣି ଅବସରରେ ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆସିଥିବା ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେହିପରି ଦୁଇ ଜଣଙ୍କୁ ରେଡକ୍ରସ୍‌ ସୋସାଇଟିରୁ ସହାୟତା ଦିଆଯାଇଥିଲା।

ଜନଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଟାଙ୍ଗରପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଏବଂ ବିଡିଓ ଐଶ୍ୱର୍ଯ୍ୟା ଭୂୟାଁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

0
0
0
s2sdefault