ହେଡଲାଇନସ୍:

"ଓଡ଼ିଶାର କୃଷକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଫସଲ ବୀମା ପ୍ରଦାନ କରାଯାଉ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ସାକ୍ଷାତ କରି ଦୃଢ଼ ଦାବି ରଖିଲେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ

  • ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା କ୍ଷୋଭର ବିଷୟ

  • ଚାଷୀଙ୍କ ମଧ୍ୟରେ ବଢୁଛି ହତାଶା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର କମିଛି ଚାଷୀମାନଙ୍କ ପଞ୍ଜିକରଣ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି କରିଛନ୍ତି ।
ଚାଷୀଭାଇମାନଙ୍କ କଲ୍ୟାଣ ପାଇଁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମେତ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ବିପଦ ହ୍ରାସ କରିବାର ଏକ ପ୍ରମୁଖ ଯୋଜନା । ଏନ୍ଡିଆରଏଫ / ଏସ୍ଡିଆରଏଫ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯାଉଛି । ୨୦୧୬ ମସିହାରୁ ରାଜ୍ୟ ସରକାର ଏହି ଯୋଜନାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବୈଷୟିକ ହସ୍ତକ୍ଷେପ ଗ୍ରହଣ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରିମିୟମ୍ ସବ୍ସିଡିର କ୍ରମବର୍ଦ୍ଧିଷ୍ଣୁ ଭାର ସତ୍ତେ୍ୱ ବୀମା କମ୍ପାନୀଗୁଡ଼ିକୁ ପ୍ରିମିୟମ ସବ୍ସିଡି ଅର୍ଥରାଶି ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ସବୁବେଳେ ନିର୍ଦ୍ଧାରିତ ସମୟସୀମାକୁ ମାନି ଆସିଛନ୍ତି ।
୨୦୨୧ ଖରିଫ୍ ଋତୁରେ ବୀମା କମ୍ପାନୀଗୁଡ଼ିକ ୨୬୩ଟି ବୀମାୟୁନିଟ୍ରେ (ଗ୍ରାମ ପଞ୍ଚାୟତ/ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା)ଫସଲ କଟା ଉପରେ ଆପତ୍ତି ଉଠାଇ ଥିଲେ ଓ ଚାଷୀଭାଇମାନଙ୍କ ବୀମା ଦାବିକୁ ଅଟକାଇ ରଖିଥିଲେ । ରାଜ୍ୟସ୍ତରୀୟ କମିଟିର ହସ୍ତକ୍ଷେପ ପରେ କେବଳ ୩୮ଟି ବୀମାୟୁନିଟ୍ ପାଇଁ ବୀମା ରାଶି ମଞ୍ଜୁର ହୋଇଥିଲା । ଯଦିଓ ରାଜ୍ୟ ସରକାର ସମସ୍ତ ବୀମାୟୁନିଟ୍ ସମ୍ବନ୍ଧୀୟ ମାମଲାର ବିସ୍ତୃତ ବିଶ୍ଳେଷଣ କରିଥିଲେ | ତଥାପି ଅବଶିଷ୍ଟ ୨୨୫ଟି ବୀମାୟୁନିଟ୍ ସମ୍ବନ୍ଧୀୟ ବୀମା ରାଶି ପ୍ରଦାନକୁ ଅଟକାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟିକୁ ଲେଖିଥିଲେ । ଏହି ୨୨୫ଟି ମାମଲା ମଧ୍ୟରୁ ବୈଷୟିକ ପରାମର୍ଶଦାତା କମିଟି ୧୮୯ଟି ମାମଲାର ଶୁଣାଣି ନଭେମ୍ବର ୩ ତାରିଖ ଦିନ କରିଛି ଓ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ବୈଠକରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟର ଅନେକ ଚାଷୀଙ୍କ ସମସ୍ୟାର ସମାଧାନ କରୁନାହିଁ । ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା କ୍ଷୋଭର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଜଣାଇଥିଲେ ।
ବୀମା ରାଶି ପାଇବାରେ ଅହେତକୁ ବିଳମ୍ବ ଚାଷୀମାନଙ୍କ ଚାଷକାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ବିଶେଷକରି କୋଭିଡ୍-୧୯ ମହାମାରୀର ଆର୍ଥିକ ଦୁରବସ୍ଥାରୁ ମୁକୁଳିବା ପାଇଁ ପ୍ରୟାସ କରୁଥିବା ବେଳେ ବୀମା କମ୍ପାନୀମାନଙ୍କ ଏତାଦୃଶ ଚାଷୀ ବିରୋଧୀ ପଦକ୍ଷେପ ଅନେକ ଜିଲ୍ଲାରେ କ୍ରମାଗତ ଭାବେ ଆଇନ ଶୃଂଖଳା ପରିସ୍ଥିତି ସୃଷ୍ଟି କରୁଛି । ୨୦୨୨ ଖରିଫ୍ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଚାଷୀମାନଙ୍କ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ଘଟିଛି । ଖରିଫ ୨୦୨୧ ସମୟରେ ୧୦ ଲକ୍ଷ ୫୦ ହଜାର ହେକ୍ଟର ଚାଷ ଜମି ପାଇଁ ୧୨ ଲକ୍ଷ ୨୯ ହଜାର ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୨୦୨୨ ଖରିଫ ସମୟରେ ୯ ଲକ୍ଷ ୫୮ ହଜାର ଚାଷ ଜମି ପାଇଁ ୧୧ ଲକ୍ଷ ୪୯ ହଜାର ଚାଷୀ ନାମ ପଞ୍ଜିକରଣ କରିଛନ୍ତି ।
ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଅଂଶଗ୍ରହଣ କରି ରାଜ୍ୟ ସରକାର ମହଲାନୋବିସ୍ ଜାତୀୟ ଶସ୍ୟ ଅମଳ ପୂର୍ବାନୁମାନ କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ଅମଳର ଆକଳନ ପଦ୍ଧତି ସମ୍ବନ୍ଧରେ ନିର୍ଦ୍ଧିଷ୍ଟ କିଛି ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଦୃଷ୍ଟିକୋଣକୁ ବିଚାର କରି ରାଜ୍ୟର ଚାଷୀଭାଇମାନଙ୍କ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୈଷୟିକ ପରାମର୍ଶଦାତା କମିଟିକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି ଜଣାଇଛନ୍ତି ।
ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ସମବାୟ ସଚିବ ଶ୍ରୀ ସଂଜୀବ ଚଢା ଉପସ୍ଥିତ ଥିଲେ ।

0
0
0
s2sdefault