ହେଡଲାଇନସ୍:

ଦାମଙ୍କୁ ବିଜେପିର ପ୍ରଶ୍ନ : ୪୦ ବର୍ଷର ରାଜନୀତିରେ ପାରାଦୀପ ପାଇଁ କରିଛ କଣ, ବିଜେଡିର ଉତ୍ତର : ଦାମବାବୁ ନିର୍ମାଣ କରିଥିବା ବିକାଶ ସୌଧ ଉପରେ ଠିଆ ହୋଇ ଆସ୍ଫାଳନ କରୁଛନ୍ତି ବିଜେପି ନେତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

 

ପାରାଦୀପ :  ପାରାଦୀପ ବିଧାୟକ ତଥା ମନ୍ତ୍ରୀ ଡା. ଦାମୋଦର ରାଉତ ଦୀର୍ଘ ୪୦ ବର୍ଷ ଧରି କ୍ଷମତାରେ ରହି ଓ ୧୭ ବର୍ଷ ବିଜେଡି ସରକାର ଅମଳରେ ପାରାଦୀପ ନିର୍ବାଚନ ମଣ୍ଡଳୀ ବାସୀଙ୍କ ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ସ୍ଥାନୀୟ ବିଜେପି ନେତାମାନେ ପ୍ରଶ୍ନ କରିଛନ୍ତି । ପାରାଦୀପ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ, ପାନୀୟ ଜଳ, ନିଯୁକ୍ତି,ବିଦ୍ୟୁତ ସେବା ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଅବହେଳା  ଅଭିଯୋଗରେ ପାରାଦୀପ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ରାଲି ଓ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ, ବିଜେପି ଜିଲ୍ଲା ଉପସଭାପତି ଅଜିତ କୁମାର ଦାସ୍, ପାରାଦୀପ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ସାହୁ ଓ ଯୁବମୋର୍ଚ୍ଚା ସଭାପତି ସୁସାନ୍ତ କୁମାର ସାମଲ ନେତୃତ୍ୱରେ ଅନୁଷ୍ଠିତ  ହୋଇଯାଇଅଛି ।   ଗତକାଲି ଜିରୋପଏଣ୍ଟ ନିକଟସ୍ଥ ବିଜେପି ପାର୍ଚି କାର୍ଯ୍ୟାଳୟ ପରିଷରରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ ଅଭିଯୋଗ କରି କହିଛନ୍ତି ଯେ  ପାରାଦୀପ ବନ୍ଦର ନିର୍ମାଣ ପରେ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଡା.ରାଉତଙ୍କର ଅପାରଗତା ଯୋଗୁଁ ୫ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ସେଥିରେ ନିଯୁକ୍ତି ମିଳିଲା ନାହିଁ । ସେହିପରି ପିପିଏଲ, ଇଫକୋ, ଏସ୍ଆର କାରଖାନା ମାନଙ୍କର ଆବଶ୍ୟକତା ଠାରୁ ଅତ୍ୟନ୍ତ କମ୍ ନିଯୁକ୍ତି ଏବଂ ସେଥିରୁ ବହୁଜଣଙ୍କୁ କମ୍ପାନୀ ଛଟେଇ କରିସାରିଲାଣି । ପାରାଦୀପ ସହରକୁ ଉନ୍ନତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହାକୁ ସ୍ମାର୍ଟସିଟି ଘୋଷଣା କରିସାରିଲେଣି , କିନ୍ତୁ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ଜମି ଯୋଗାଇ ନଦେଇ ଏଥିରେ ଅସହଯୋଗ କରୁଛନ୍ତି । ବିଜୁ ମେମୋରିଆଲ ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ଚିକିତ୍ସା ନିମନ୍ତେ ଥିବା ଯନ୍ତ୍ରପାତି ଖତ ଖାଇଗଲାଣି । ଏବଂ ଏଥିପାଇଁ ଛୋଟ ଛୋଟ ରୋଗ ପାଇଁ ରୋଗୀ ମାନଙ୍କୁ କଟକ ଏସିିବିକୁ ସ୍ଥାନାନ୍ତର କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ଥିବା ୧୨ଟି ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକଙ୍କ ଠାରୁ ୨୮ ଜଣ ଅଧିକ ଶିକ୍ଷୟତ୍ରୀ କାହା ସ୍ୱାର୍ଥରେ ନିଯୁକ୍ତି ପାଇଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ସର୍ବଦା ବିଜୁବାବୁଙ୍କ ଦ୍ୱାରା ପାରାଦୀପର ଜଗୁଆଳ କହିବୁଲୁଥିବା ଦାମବାବୁ ପାରାଦୀପ କୁ ସମ୍ପୂର୍ଣ୍ଣ ଅଣ ଦେଖା କରିଛନ୍ତି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଆଜିଠାରୁ ବିଜେପି ପ୍ରତିବାଦ ସଭା ଆରମ୍ଭ କରିଛି । ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ବିକ୍ଷୋଭ ସଭା କରାଯିବା ସହିତ ପାରାଦୀପ ଗଡରେ ସଚେତନତା କାର୍ଯ୍ୟକ୍ରମ ରାହାମା ଓ କୁଜଙ୍ଗରେ ବିକ୍ଷୋଭ ଓ ପ୍ରତିବାଦ ସଭା ଜାରି ରହିବ । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ଉପସଭାପତି ଅଜିତ ଦାସ, ଜୋନ ନମ୍ବର ୪ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଂଜନ ଚୌଧୁରୀ, ପାରାଦୀପ ମଣ୍ଡଳ ସଂପାଦକ ଅରୁଣ ସ୍ୱାଇଁ,  ଗଡ ମଣ୍ଡଳ ସଭାପତି ରଶ୍ମିରଂଜନ ସାମନ୍ତରାୟ ଓ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାର ଜବାବରେ  ନିଜ ପ୍ରତିକ୍ରିୟାରେ ବିଜେଡି ନେତା ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି ଯେ ଦାମବାବୁ ପାରାଦୀପ ନୁହେଁ ସମଗ୍ର ଓଡିଶାର ଏ ଦଶନ୍ଧି ର ଜଣେ ଦକ୍ଷତା ସଂପନ୍ନ ଓ ସ୍ୱାଭିମାନୀ ରାଜନେତା । ମହାବାତ୍ୟାର ବିନାଶ ପରେ ତାଙ୍କର ଦୃଢ ନେତୃତ୍ୱ ଓ ନବୀନ ବାବୁଙ୍କ ଆର୍ଶିବାଦରୁ ଏ ଅଞ୍ଚଳରେ ସର୍ବାଙ୍ଗୀନ ଉନ୍ନତି ହୋଇଛି । ଆଜି ଯେଉଁମାନେ ବିଜେପି ନେତା ହୋଇଛନ୍ତି ଏବଂ ଦାମ ବାବୁଙ୍କୁ ପ୍ରଶ୍ନ କରୁଛନ୍ତି , ସେମାନେ ମଧ୍ୟ ଦାମବାବୁ ନିର୍ମାଣ କରିଥିବା ବିକାଶ ସୌଧ ଉପରେ ଠିଆ ହୋଇଛନ୍ତି । ଏଣୁ ତାଙ୍କର ଏ ପ୍ରଶ୍ନ ପଚାରିବାର କୌଣସି ଅଧିକାର ନାହିଁ କିମ୍ବା ଲୋକ ମାନଙ୍କର ସମସ୍ୟାରେ ସେମାନେ ନଥାନ୍ତି, ଏବଂ ନିଜ ବ୍ୟବସାୟରେ ବ୍ୟସ୍ତ ଥାଆନ୍ତି । ତାଙ୍କର ବ୍ୟବସାୟଭିତ୍ତିକ ରାଜନିତୀ । ଦାମବାବୁ ୪୦ ବର୍ଷ ଧରି ସାଧାରଣ ଜନତାଙ୍କ ସେବାରେ ସର୍ବଦା ନିୟୋଜିତ ।ଏକଥା ସାଧାରଣ ଲୋକେ ଜାଣିଛନ୍ତି ଏବଂ ତାଙ୍କ ସାଥିରେ ଅଛନ୍ତି । ଏବଂ ଏଥିପାଇଁ ସ୍ଥାନୀୟ ଲୋକେ ଦାମବାବୁଙ୍କୁ ବାରମ୍ବାର ନିର୍ବାଚନରେ ଜିତାଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

0
0
0
s2sdefault