ହେଡଲାଇନସ୍:

‘ଅନ୍ତର୍ନିବେଶୀ ଶିକ୍ଷାର ସୁଦୃଢ଼ୀକରଣ ଆଜିର ଆହ୍ୱାନ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନ୍ତର୍ନିବେଶୀ ଶିକ୍ଷା ଉପରେ ରାଜ୍ୟସ୍ତରୀୟ ପରାମର୍ଶକେନ୍ଦ୍ରିକ ସମ୍ମିଳନୀ

ଭୁବନେଶ୍ୱର :ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ଏକ ପରାମର୍ଶକେନ୍ଦ୍ରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ।
ଏହି ଅବସରରେ ଶ୍ରୀ ଜେନା ଅନ୍ତର୍ନିବେଶୀ ଶିକ୍ଷାର ସୁଦୃଢୀକରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କର ସମସ୍ୟାକୁ ସୂଚାରୁରୂପେ କିଭଳି ସମାଧାନ କରାଯିବ ତାହା ଉପରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କୁ କିଭଳି ଗୃହ, ବିଦ୍ୟାଳୟ ଓ ସମାଜରେ ସ୍ୱତନ୍ତ୍ର ଧ୍ୟାନଦେଇ ସେମାନଙ୍କର ଶିକ୍ଷଣ-ଅଭିବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ପ୍ରତି କିଭଳି ସହାନୁଭୂତି, ଉତ୍ସାହ ଓ ପ୍ରତିବଦ୍ଧତା ଜାରି ରହିବ ସେ ବିଷୟରେ ମଧ୍ୟ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏଥିପାଇଁ ଉଭୟ ସରକାରୀ, ବେସରକାରୀ ସଂସ୍ଥା ଓ ସାଧାରଣ ନାଗରିକମାନଙ୍କର ସମନ୍ୱୟର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ. ଉପସ୍ଥିତ ଥିବା ସମସ୍ତ ଅଧିକାରୀ, ସଦସ୍ୟସଦସ୍ୟାମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ହେଲେ ପରିବର୍ତ୍ତନର ଆବଶ୍ୟକତା ତଥା ଅଂଶୀଦାରଭିତ୍ତିକ ଯୋଜନା ପ୍ରଣୟନ ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର, ବେସରକାରୀ ସଂସ୍ଥା ତଥା ବିଭିନ୍ନ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଓ ସାଧାରଣ ନାଗରିକତାର ଆବଶ୍ୟକତା ରହିଛି ବୋଲି ପ୍ରାଧାନ୍ୟ ଦେଇଥିଲେ । ସେ ମଧ୍ୟ ଅନ୍ତର୍ନିବେଶୀ ଶିକ୍ଷା ପାଇଁ ବ୍ଲକ ସ୍ତରରେ ବ୍ଲକ ସାଧନ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏହି ଅବସରରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅନୁପମ ସାହା ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ପାଇଁ ସଙ୍ଗବଦ୍ଧ ହୋଇ ଏକତ୍ର ଭାବରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧିକାରୀମାନେ ସେମାନଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ଅନ୍ତର୍ନିବେଶୀ ଶିକ୍ଷା ପାଇଁ କିଛି ସମୟ ଅତିବାହିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ, ଡ. ଶୃତି ମହାପାତ୍ର, ପ୍ରତିଷ୍ଠାତା, ସ୍ୱାଭିମାନ, ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ, ୟୁନିସେଫ ରାଜ୍ୟ କାର୍ଯ୍ୟାଳୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ଅନୁଷ୍ଠାନ ଓ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ସ୍ତରୀୟ ଅନୁଷ୍ଠାନ ସମୂହ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଯୋଗଦେଇ ସେମାନଙ୍କର ମତାମତ ରଖିଥିଲେ ।
ଉକ୍ତ ସମ୍ମିିଳନୀରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ଅନ୍ତର୍ନିବେଶୀ ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ମାନସ ମନ୍ଥନ କରାଯାଇ ଦଳଗତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆଗାମୀ ଦିନରେ ସମସ୍ତଙ୍କ ସୁପାରିଶକୁ ଆଧାର କରି ଉପଯୁକ୍ତ କାର୍ଯ୍ୟ ପନ୍ଥା ଅନ୍ତର୍ନିବେଶୀ ଶିକ୍ଷାର ଉନ୍ନତି ପାଇଁ ବିଶେଷ ସହାୟକ ହେବ । ପରିଶେଷରେ ଓସେପାର ଅତିରିକ୍ତ ନିର୍ଦେଶକ ଶ୍ରୀ ସରୋଜ କୁମାର ବେହେରା ବରିଷ୍ଠ ପଦାଧିକାରୀ, ସମସ୍ତ ସଭ୍ୟସଭ୍ୟାମାନଙ୍କର ସମ୍ମିଳିତ ଯୋଗଦାନ ଓ ଅନ୍ତର୍ନିବେଶୀ ଶିକ୍ଷାର ମାନ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡିକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

0
0
0
s2sdefault