ଏହି ପୁରସ୍କାରର ହକଦାର କେବଳ ମୁଁ ନୁହେଁ, ଚଳଚ୍ଚିତ୍ର ପାଇଁ ସମର୍ପିତ ପ୍ରତି ଓଡ଼ିଆ ସାମ୍ବାଦିକଙ୍କୁ ଉତ୍ସର୍ଗୀତ : ସୂର୍ଯ୍ୟ ଦେଓ
ନୂଆଦିଲ୍ଲୀ : ବିଜ୍ଞାନ ଭବନଠାରେ ଆଜି ୨୦୨୦ବର୍ଷ ପାଇଁ ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ଏବଂ ଦାଦାସାହେବ ଫାଲକେ ପୁରସ୍କାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ରହିଥିଲେ ।
ହିନ୍ଦି ଫିଲ୍ମର ବିଶିଷ୍ଟ ଓ ବରିଷ୍ଠ ଅଭିନେତ୍ରୀ ଆଶା ପାରେକ୍ ୨୦୨୦ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଛନ୍ତି । ଅନ୍ୟପଟରେ ଏହି ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଓଡ଼ିଶା ପାଇଁ ସ୍ୱତନ୍ତ୍ର ସମ୍ମାନ ଆଣିଦେଇ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ି ଦେଇଛି । ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ସର୍ବପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଓଡ଼ିଆ ଚଳଚ୍ଚିତ୍ର ଉପରେ ଆଧାରିତ କାଲି ପାଇଁ ‘କାଲି’ର ସିନେମା ପୁସ୍ତକକୁ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଆ ଚଳଚ୍ଚିତ୍ର ଉପରେ ଓଡ଼ିଆ ଭାଷାରେ ଲିଖିତ ଏହି ପୁସ୍ତକ ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ଏକ ବିରଳ ସମ୍ମାନର ହକଦାର ହୋଇ ଓଡ଼ିଶାର ଗର୍ବ ଓ ଗୌରବ ବୃଦ୍ଧି କରିଛି ବୋଲି ପୁରସ୍କାର ପ୍ରଦାନ ବିଚାରକମଣ୍ଡଳୀ ଓ ଦିଲୀ ବୁଦ୍ଧିଜୀବୀମାନେ ମତଦେଇଛନ୍ତି ।
କାଲି ପାଇଁ ‘କାଲି’ ପୁସ୍ତକର ଲେଖକ ସୂର୍ଯ୍ୟଦେଓ ଏବଂ ପ୍ରକାଶକ ବନୋଜ ତ୍ରିପାଠୀଙ୍କୁ ୬୮ତମ ରଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରିବା ଅବସରରେ ଲେଖକ ସୂର୍ଯ୍ୟଦେଓ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତାକୁ ଓଡ଼ିଆ ଭାଷାର ପୁସ୍ତକ କାଲି ପାଇଁ କାଲିର ସିନେମା ସର୍ବପ୍ରଥମ ଥର ପାଇଁ ଏହି ପୁରସ୍କାର ମିଳିଛି । ଏହି ପୁରସ୍କାରର ହକଦାର କେବଳ ମୁଁ ନୁହେଁ, ଯେଉଁ ଓଡ଼ିଆ ସାମ୍ବାଦିକମାନେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କର ମଧ୍ୟ ଏହି ପୁରସ୍କାରରେ ଭାଗ ରହିଛି । ଏହାସସହିତ ଓଡ଼ିଶାର ସାଢେ ୪କୋଟି ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କୁ ମୁଁ ଏହି ପୁରସ୍କାରର ଶ୍ରେୟ ଦେବା ଅବସରରେ ଯେଉଁମାନେ ମୋତେ ସବୁବେଳେ ପ୍ରେରଣା ଓ ସମ୍ମାନ ଯୋଗାଇ ଦେଇଛନ୍ତି ସେମାନଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି । ମୋର ଅଧିକାଂଶ ପୁସ୍ତକର ପ୍ରକାଶକ ବନୋଜ ତ୍ରିପାଠୀ ଓ ସ୍ୱତନ୍ତ୍ର ଭାବେ ପକ୍ଷୀଘର ପ୍ରକାଶନୀ ସଂସ୍ଥାକୁ ମୁଁ ସାଧୁବାଦ ଦେଉଛି । କାରଣ ସେମାନଙ୍କର ସହଯୋଗ ନମିଳିଥିଲେ ଏହି ବିରଳ ପୁରସ୍କାର ଓ ସମ୍ମାନ ମିଳିବା ସମ୍ଭବ ହୋଇନଥାନ୍ତା ।
ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକାଶକ ବନୋଜ ତ୍ରିପାଠୀ ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରି କହିଛନ୍ତି," କାଲି ପାଇଁ କାଲିର ସିନେମା ପୁସ୍ତକ ଯେଉଁ ବିରଳ ସମ୍ମାନର ଅଧିକାର ପାଇଛି ସେଥିପାଇଁ ଜଣେ ପ୍ରକାଶକ ହିସାବରେ ମୁଁ ଅନେକ ଖୁସି ଏବଂ ଏହି ସମ୍ମାନ ମୋତେ ଅନେକ ପ୍ରେରଣା ସାଉଣ୍ଟିବାର ସୁଯୋଗ ଯୋଗାଇବ । ଏହି ପୁରସ୍କାର ଆଗାମୀ ଦିନରେ ଓଡ଼ିଶାର ପ୍ରକାଶକମାନଙ୍କୁ ଯଥେଷ୍ଟ ଅନୁପ୍ରାଣୀତ କରିବା ସହିତ ନୂଆନୂଆ ଚିନ୍ତାଧାରାର ପୁସ୍ତକ ପ୍ରକାଶ କରିବାକୁ ଉତ୍ସାହର ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ କଳାକାରମାନଙ୍କ ପାଇଁ ଯେଉଁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି | ଏହାଦ୍ୱାରା ଭବିଷ୍ୟତରେ ଏଭଳି ଆହୁରି ପୁରସ୍କାର ଓ ସମ୍ମାନ ଓଡ଼ିଶା ପାଇପାରିବ ବୋଲି ମୋର ଆଶା । ତେବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରକାଶକମାନଙ୍କ ପାଇଁ ସ୍ୱତନ୍ତ୍ର ସାହାଯ୍ୟ ସୃଷ୍ଟି କରିବାକୁ ଏହି ସମ୍ମାନ ମିଳିବା ଅବସରରେ ମୁଁ ଅନୁରୋଧ କରୁଛି | କାରଣ ଏହି ସମ୍ମାନ ଓଡ଼ିଶାର ପ୍ରକାଶକ ଓ ଚଳଚ୍ଚିତ୍ର ଅଧ୍ୟାୟର ଏକ ଅନନ୍ୟ ମାଇଲଖୁଣ୍ଟି ସ୍ଥାପନ କରିଛି ।"