ହେଡଲାଇନସ୍:

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ ଯୁବସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଜୁବୁଲୀ ଚରଣ ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ ଯୁବସମ୍ବାଦ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକାଞ୍ଚଳ ସମେତ ସହରାଞ୍ଚଳରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ଜଣ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀ ଯୋଗ ଦେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ । ମୁଖ୍ୟଅତିଥି ଏବଂ ସମ୍ମାନୀତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସୂଚିତ କରୁଛି । ଯୁବଗୋଷ୍ଠୀମାନେ ଭଲ ପାଠ ପଢିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଯଥା ସାଂସ୍କୃତିକ ଓ ବିଭିନ୍ନ କଳାତ୍ମକ ପ୍ରତିଯୋଗିତାରେ ଭାଗନେବା ଦ୍ୱାରା ନିଜ ନିଜ ବ୍ୟକ୍ତିତ୍ୱ ସହ ଦେଶର ବିକାଶ ଓ ପରିଚୟ ବୃଦ୍ଧି ପାଇବାରେ ସହାୟକ ହୋଇଥାଏ । ଏହି ଉତ୍ସବ ଲାଗି ଆଜି ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଗୁଡିକ ମଧ୍ୟରେ ମୋବାଇଲ ଫଟୋଗ୍ରାଫି, ପେଇନ୍‌ଟିଂ, ପୟେଟ୍ରି, ଡିକ୍ଲାମେସନ, ଯୁବ ସମ୍ବାଦ ଓ ଦଳଗତ ସାଂସ୍କୃତିକ ଉତ୍ସବ ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଓ ଏବଂ ଗଜପତି ଜିଲ୍ଲା ପରିଷଦ ସିଡିଓ ତଥା ଇଓ ରୋମାଞ୍ଚଳ ଖମାରୀ ଯୋଗ ଦେଇ କୃତୀତ୍ୱଙ୍କୁ ପୁରସ୍କୃତ କରିଥିଲେ । ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ମାନେ ହେଲେ ଫୋଟଗ୍ରାଫିରେ ପ୍ରଥମ ସ୍ଥାନରେ ସୁବାଶିସ ଜେନା, ଦ୍ୱିତୀୟ ସ୍ଥାନରେ ରାଜପୁତ ପବନ କୁମାର ଏବଂ ତୃତୀୟ ସ୍ଥାନରେ ଟି.ହେମା ସୁନ୍ଦର । ସେହିପରି ଯୁବସମ୍ମିଳନୀ ଆଲୋଚନାରେ ଇପ୍ସିତା ପାଢୀ, ସିଏଚ୍‌.ରାଧିକା ରାଣୀ, ଆର୍‌. ଜେନା ଓ ପାୟଲ ପାତ୍ର ପୁରସ୍କୃତ ହୋଇଛନ୍ତି । ଡିକ୍ଲାମେସନରେ ରୂପାଲି ରଥ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ମୃତି ରଂଜନ ଅଧିକାରୀ, ସିଏଚ୍‌.ରାଧୀକାରାଣୀ ଯଥା କ୍ରମେ ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଥିଲେ । ସେହିଭଳି ପେଇନ୍‌ଟିଂରେ ଚାନ୍ଦିନୀ କୁମାରୀ ମହାରଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନୁଜା ଭୁୟାଁ ଓ ପାଲକା ଗୀତାଞ୍ଜଳୀ ଯଥା କ୍ରମେ ଯଥା କ୍ରମେ ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଛନ୍ତି । ପୟେଟ୍ରି ଲିଖନରେ କଳ୍ପନା ନାଗବଂଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୋପିତା ପ୍ରଧାନ ଏବଂ ଅଙ୍କିତା ପଣ୍ଡା ଯଥା କ୍ରମେ ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଛନ୍ତି । ଦଳଗତ ସାଂସ୍କୃତିକ ଉତ୍ସବ ପ୍ରତିଯୋଗିତାରେ ଫୋରଷ୍ଟାର ଗ୍ରୁପ, ସୁମୀ ଆଣ୍ଡ ଗ୍ରୁପ ଓ ସୋନାଲି ଆଣ୍ଡ ଗ୍ରୁପକୁ ପୁରସ୍କୃତ କରାଯାଇଛି । କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନେ ଭୁବନେଶ୍ୱର ଠାରେ ହେବାକୁ ଥିବା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବରିଷ୍ଠ କଳାକାର ଓ ବୁଦ୍ଧିଜୀବୀ ଯଥା ମନୋଜ କୁମାର ପାଢୀ (ମୁନ୍ମା) ଡି.ପ୍ରିୟଙ୍କା, ଗଣେଶ ମହାରଣା ପ୍ରମୁଖଙ୍କ ସମେତ ୧୮ଜଣ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିବାର ଜଣାପଡିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ କେନ୍ଦ୍ରର ସ୍ୱେଚ୍ଛାସେବୀ ବି.ଭବାନୀ, ଏ. ମହେସ୍ୱର ରାଓ, ଏସ.ଜଗା ପତି, ଏସ୍‌. ପ୍ରବୀଣ, ଆଜାଦଙ୍କ ସମେତ ସଖୀୱାନ୍‌ଷ୍ଟପର ମୋହିନୀ ପ୍ରଧାନ ସହଯୋଗ କରିଥିଲେ ।

0
0
0
s2sdefault