ଭୁବନେଶ୍ୱର- “ଭାରତ ଯୋଡ଼ୋ” କାର୍ଯ୍ୟକ୍ରମର ଆୟୋଜନ ମୁଖ୍ୟତଃ ତିନୋଟି କାରଣ ପାଇଁ କରାଯାଇଅଛି । ପ୍ରଥମତଃ ଅର୍ଥନୈତିକ ଅସମତା, ଦ୍ୱିତୀୟତଃ ସାମାଜିକ ଧୃବିକରଣ ଓ ତୃତୀୟତଃ ରାଜନୈତିକ କେନ୍ଦ୍ରୀକରଣ । ଭାରତ ଏହି ସବୁ କାରଣ ପାଇଁ ଆଜି ଭାଙ୍ଗି ତୁଟି ଯିବା ଅବସ୍ଥାରେ ପଂହଚିଛି ବୋଲି ଏ ଦେଶର ଅଗଣିତ ଜନସାଧାରଣ ଅନୁଭବ କରିଛନ୍ତି । ଏଣୁ ଭାରତକୁ ଯୋଡ଼ି ରଖିବା ପାଇଁ “ଭାରତ ଯୋଡ଼ୋ” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ ତଥା ଏଆଇସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡା. ଏ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ “ଭାରତ ଯୋଡ଼ୋ” କାଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଛନ୍ତି| | ଶ୍ରୀ ରମେଶ ଏହି “ଭାରତ ଯୋଡ଼ୋ” ଯାତ୍ରାର ମୁଖ୍ୟ ଆକର୍ଷଣ ଶ୍ରୀ ରାହୁଲ ଗାନ୍ଧୀଙ୍କର ଭାରତକୁ ଯୋଡ଼ିବା ପାଇଁ ଆବେଗ ଓ ଉଦ୍ବେଗ ସଂପର୍କରେ କହି ସ୍ପଷ୍ଟ ଭାବେ ସୂଚନା ଦେଇଥିଲେ ଯେ ରାହୁଲ ଗାନ୍ଧୀ କହିଛନ୍ତି ଏ ଯାତ୍ରା ହେଉଛି ମୋର ଏକ ତପସ୍ୟା । ବର୍ଷା, ଖରାକୁ ନମାନି କାହିଁକି ଏ ଯାତ୍ରାରେ ରାହୁଲ ଗାନ୍ଧୀ ଚାଲିଛନ୍ତି ତାହା ଶ୍ରୀ ରମେଶ ସ୍ପଷ୍ଟ ଭାବେ ଉପସ୍ଥାପନା କଲେ । ସେ କହିଲେ ଯେ ମୋଦି, ଆରସେସ ଓ ବିଜେପିର ଜନବିରୋଧି ନୀତି ନିଷ୍ପତି ପାଇଁ ଭାରତ ଆଜି ରସାତଳଗାମୀ ହୋଇପଡ଼ିଛି । ବେରୋଜଗାର, ଦାରିଦ୍ର୍ୟ, ଦରବୃଦ୍ଧି, ଜିଏସଟି ଏବଂ ଦୁଇ ପୁଞ୍ଜିପତିଙ୍କୁ ରାଷ୍ଟ୍ରର ସଂପତିକୁ ଦାନ ପ୍ରମୁଖ କଥା ଶ୍ରୀ ରମେଶ ଉଲ୍ଲେଖ କରିଥିଲେ । ଧର୍ମ, ଜାତି, ବର୍ଣ୍ଣ ଓ ଅଂଚଳର ଭେଦଭାବ ସୃଷ୍ଟିକରି ସମାଜରେ ଘୃଣା ଓ ଅସ୍ତିରତା ବଢ଼ାଇବା ହେଉଛି ବିଜେପି ଓ ଆରସେସର କାର୍ଯ୍ୟ । କେବଳ ନିର୍ବାଚନକୁ ଆଖି ଆଗରେ ରଖି ନରେନ୍ଦ୍ର ମୋଦି ଏ ହୀନ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ରାଜନୀତି କେନ୍ଦ୍ରୀକରଣ ସଂପର୍କରେ ସୂଚନା ସେ କହିଲେ ଯେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ କ୍ଷମତାକୁ ନିଜ ଆୟତରେ ରଖି ଏହାକୁ ଅପବ୍ୟବହାର କରୁଛନ୍ତି । ସାମ୍ବିଧାନିକ ସଂସ୍ଥା ଆଜି ଦୁର୍ବଳ ଏହାର ଦୁରୂପଯୋଗ ହେଉଛି । ଯେଉଁଥିପାଇଁ ଭାରତ ନିଜ ଭିତରେ ବିଭାଜିତ ହୋଇପଡ଼ିଛି ।
“ଭାରତ ଯୋଡ଼ୋ” କାର୍ଯ୍ୟକ୍ରମର ସୂଚନା ଦେଇ ସେ କହିଲେ ଯେ ଏହା କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଦକ୍ଷିଣରୁ ଉତର ପର୍ଯ୍ୟନ୍ତ ୩୫୭୧ କି.ମି. ଯାତ୍ରା । ଏହି ଯାତ୍ରା ପାଖାପାଖି ୧୫୦ ଦିନରୁ ଉର୍ଦ୍ଦ ସମୟ ଚାଲୁରହିବ । ଭାରତ ବର୍ଷର ୧୨ ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଂଚଳ ଦେଇ ଗତି କରିବ । ଏହି ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ନିଜକୁ ସାମିଲ କରି ଚାଲିଛନ୍ତି । ପ୍ରତିଦିନ ସକାଳ ୨୩ କି.ମି ଯାତ୍ରା କରାଯାଉଛି । ଏହି ଯାତ୍ରା ସମୟରେ ଶ୍ରୀ ରାହୁଲ ଗାନ୍ଧୀ କୃଷକ, ଶ୍ରମିକ, ମତ୍ସ୍ୟଜୀବି ଓ ସମାଜର ବିଭିନ୍ନ ବର୍ଗଙ୍କ ସହିତ ଆଲୋଚନା କରୁଛନ୍ତି । ଏପରିକି ବହୁମାତ୍ରାରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ବୁଦ୍ଧିଜୀବି ମାନେ ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିବା ସହିତ ଆଲୋଚନା ମଧ୍ୟ କରୁଛନ୍ତି । ବିରୋଧି ମାନେ “ଭାରତ ଯୋଡ଼ୋ”ର ଆବଶ୍ୟକତା ଓ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କରୁଛି ବୋଲି ପ୍ରଶ୍ନ କରୁଥିବା ବେଳେ ଶ୍ରୀ ରମେଶ କହିଲେ ଯେ ଏହା କେବଳ ଭାରତବର୍ଷକୁ ଘୃଣା, ଦ୍ୱେଷ, ହିଂସା, ଧର୍ମ ନାମରେ ବିଭାଜିତ କରୁଥିବା ଶକ୍ତିମାନେ ଏହି ପ୍ରଶ୍ନ କରୁଛନ୍ତି ବୋଲି ଉତର ରଖିଥିଲେ । ଏହି ଅବସରରେ ଶ୍ରୀ ରମେଶ କହିଥିଲେ ଯେ “ଭାରତ ଯୋଡ଼ୋ” ଓଡ଼ିଶା କାର୍ଯ୍ୟକ୍ରମ ଅକ୍ଟୋବର ୩୧ ତାରିଖ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାର୍ଦ୍ଧ ଦିବସରେ ଭୁବନେଶ୍ୱର ସ୍ଥିତ ଇନ୍ଦିରାପାର୍କ ଠାରୁ ଶୁଭାରମ୍ଭ କରାଯିବ । ଓଡ଼ିଶାରେ ଏକ ଯୁଗଳବନ୍ଦି ସରକାର ଚାଲିଛି । ଏମାନେ ଓଡ଼ିଶାରେ ଅଲଗାର ଛଳନା କରୁଥିଲା ବେଳେ ଦିଲ୍ଲୀରେ ଏକାଠି । ଏହି ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ପ୍ରଧାନମନ୍ତ୍ରୀଙ୍କ ଇଂଗିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଠବସ ହୁଅନ୍ତି । ଏହି ପରିକ୍ରମା କାର୍ଯ୍ୟକ୍ରମ ଓଡ଼ିଶାରେ ପରିବର୍ତନ ଆଣିବ । “ଭାରତ ଯୋଡ଼ୋ” ଯାତ୍ରାର ଅଧ୍ୟକ୍ଷ ଶ୍ରୀ ଦିଗ୍ବିଜୟ ସିଂ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଲେ ଏହି ଭାରତ ଯୋଡ଼ ମାଧ୍ୟମରେ କଂଗ୍ରେସ ଭାରତ ବର୍ଷର ପ୍ରତ୍ୟେକ ପରିବାର ବର୍ଗଙ୍କ ପାଖରେ ବାର୍ତା ପଂହଚିବା ମୁଖ୍ୟ ଉଦ୍ଦେଶ୍ୟ । ତତ୍ ସହିତ ଶାନ୍ତି, ସଂହିତ, ସଦ୍ଭାବନା ଓ ଭାଇଚାରାକୁ କାୟାମ ରଖିବା ପାଇଁ ଏହି ଯାତ୍ରାର ଉଦ୍ଦେଶ୍ୟ । ବୁଥ୍ ରୁ ପ୍ରଦେଶ ପର୍ଯ୍ୟନ୍ତ ଦାୟୀତ୍ୱରେ ଥିବା କଂଗ୍ରେସ ପଦାଧିକାରୀ ମାନେ କେତୋଟି ପରିବାର କୁ ଏହି ଯାତ୍ରା ସହିତ ଯୋଡ଼ିଛନ୍ତି ତାର ମଧ୍ୟ ତଥ୍ୟ ରହିବ ବୋଲି କହିଛନ୍ତି ।
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ “ଭାରତ ଯୋଡ଼ୋ”- ଓଡ଼ିଶା କାର୍ଯ୍ୟକ୍ରମରେ ସବିଶେଷ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ଏହି ଯାତ୍ରା ରାଜ୍ୟର ୨୬ ଟି ଜିଲ୍ଲାର ୨୨୫୦ କି.ମି. ପଦଯାତ୍ରା ଏବଂ ପ୍ରତିଦିନ ୨୦ କି.ମି. ପଦଯାତ୍ରା ହେବ । ଏହି ପଦଯାତ୍ରା ୧୦୦ ଦିନ ଧରି ଅନୁଷ୍ଠିତ ହୋଇ ଜାନୁଆରୀ ୩୦ ତାରିଖରେ ଭୁବନେଶ୍ୱରରେ ସମାପ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ । ଦୀର୍ଘ ୨୨ ବର୍ଷ ଧରି ନବୀନ ସରକାର ଓଡ଼ିଶାର ଜନସାଧାରଣଙ୍କୁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୋଇ ନାହାନ୍ତି । ବର୍ଷକୁ ୨ଲକ୍ଷ ଚାକିରି, ପ୍ରତ୍ୟେକ ବ୍ଲକରେ ୩୫% ଚାଷଜମିରେ ଜଳସେଚନ ଯୋଗାଇବା, ଉତମ ସ୍ୱାସ୍ଥ୍ୟ ଯୋଗାଇ ଦେବା, କୃଷିର୍ଭିତିକ ଶିଳ୍ପ ସହିତ ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ବହୁ କିଛି କରିବାର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ୨୨ ବର୍ଷ ଭିତରେ ଆଜି ସ୍କୁଲର ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଲକ୍ଷ ଲକ୍ଷ ଯୁବକ ବେକାର, ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଠିକା କର୍ମଚାରୀ ରୂପେ ନିଯୁକ୍ତି ଦିଆଯାଉଛି । କୃଷକ ଆତ୍ମହତ୍ୟା ଓ ସଂଗଠିତ ଅପରାଧରେ ସାଇବର ଠକାଇ ଆଦି ରାଜ୍ୟ ଚରମ ସୀମାରେ ପଂହଚିଲାଣି । ଠିକ୍ ସେହିଭଳି ଭାବରେ ୮ ବର୍ଷ ଭିତରେ ମୋଦି ସରକାର ଭାରତବାସୀଙ୍କୁ ଯେତେସବୁ ପ୍ରତିଶୃତି ଦେଇଥିଲେ ଗୋଟିଏ ବି ପ୍ରତିଶୃତିକୁ ପାଳନ କରିବାରେ ସମର୍ଥ ହୋଇନାହାନ୍ତି । ୨ କୋଟି ଚାକିରି, ୧୫ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ, କଳାଧନ ଫେରାଇ ଆଣିବା କଥା ଏକ ଭେଳିକିରେ ପରିଣତ ହୋଇଛି । ଦରଦାମ ବୃଦ୍ଧିରେ ଆଜି ସାରାଦେଶ ହନ୍ତସନ୍ତ । ଏହି ପଦଯାତ୍ରାର ସୁପରିଚାଳନା ପାଇଁ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଏବଂ ପଂଚାୟତ ସଂଯୋଜକ, ବୁଥ ସଂଯୋଜକ, ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନ ମାନଙ୍କର ସଂଯୋଜକ ନିଯୁକ୍ତି ହୋଇଛନ୍ତି । ପଦଯାତ୍ରା ସମୟରେ ପଂଚାୟତ ସ୍ତରରୁ ସାଧାରଣ ଜନତା ଆସି କିପରି ଏହି ଯାତ୍ରାରେ ଯୋଡ଼ି ହେବେ ତାର ଯୋଜନା ପ୍ରସ୍ତୁତ ହୋଇଛି । ପଦଯାତ୍ରା ସମୟରେ ବ୍ୟାପକ ପରିମାଣରେ ପ୍ରଚାରପତ୍ର ଜନସଚେତନା ପାଇଁ ବଂଟନ କରାଯିବ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ପଦଯାତ୍ରା ସମୟରେ ସେ ଅଂଚଳର ସବୁବର୍ଗର ଲୋକଙ୍କ ସହିତ ଆଲୋଚନା କରିବେ । ଏହି ଅବସରରେ ଭାରତ ଯୋଡ଼ୋ – ଓଡ଼ିଶା ସଂପର୍କରେ ଏକ ରୋର୍ଡମ୍ୟାପ ପୁସ୍ତିକା ଉନ୍ମୋଚନ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ବାବଦରେ ସମ୍ୟକ ତଥ୍ୟ ରଖିବା ସହିତ ଧନ୍ୟବାଦ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ଭାରତ ଯୋଡ଼ୋ – ଓଡ଼ିଶା ସଂଯୋଜକ ରବିନ୍ଦ୍ର ସେଠୀ, ସହ ସଂହ ସଂଯୋଜକ ନକୁଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଭାରତକୁ ଯୋଡ଼ି ରଖିବା ପାଇଁ “ଭାରତ ଯୋଡ଼ୋ” କାର୍ଯ୍ୟକ୍ରମ : ଜୟରାମ ରମେଶ
- Hits: 298