ହେଡଲାଇନସ୍:

ଗଜପତି ଜିଲ୍ଲାରେ ଆସନ୍ତା ୨୧ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଅହିଂସା ରଥ ପରିଭ୍ରମଣ : ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ୨୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ପରିଭ୍ରମଣ କରିବାକୁ ଥିବା ଅହିଂସା ରଥକୁ କିଭଳି ଭାବରେ ମହା ଆଡମ୍ବରରେ ଗଜପତି ଜିଲ୍ଲାରେ ସ୍ବାଗତ କରାଯିବ ସେଥି ସକାଶେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜାତୀୟତା ଭାବ ଜାଗ୍ରତ ନିମନ୍ତେ ଉଦ୍ଦିଷ୍ଟ ଏହି ରଥ ପରିଭ୍ରମଣ ସମୟରେ ସମସ୍ତ ପ୍ରକାର ବ୍ଯବସ୍ଥା କରିବାକୁ ନିର୍ଦ୍ଦେଶ ଦେଇ କିଭଳି ସୂଚାରୁ ରୂପେ ରଥଟିକୁ ଭବ୍ଯ ସମ୍ବର୍ଦ୍ଧନା ଦେଇ ଦେଶ ମାତୃକା ନିମନ୍ତେ ଲଢିଥିବା ଶହୀଦ୍ ବୀର ମାନଙ୍କ ପ୍ରତି ଗଜପତି ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ସେଥି ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଜଣାଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ କାର୍ଯ୍ୟକ୍ରମଟି କିଭଳି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥି ସକାଶେ ସମସ୍ତଙ୍କ ସହଯୋଗ କାମନା କରି ଗାନ୍ଧିଜୀଙ୍କ ପାରଳାଖେମଣ୍ଡି ଗସ୍ତ ଅବସରରେ ଯେଉଁ ଯେଉଁ ସ୍ଥାନ ମାନଙ୍କରେ ସଭାକାର୍ଯ୍ୟ କରିଥିଲେ ସେହି ଅଞ୍ଚଳ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି ବୋଲି ଅବଗତ କରାଇଥିଲେ। ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣର କାର୍ଯ୍ୟସୂଚୀର ପୁଙ୍ଖାନୁପୁଙ୍ଖ ବିବରଣୀ ଉପସ୍ଥାପନ କରିଥିଲେ।
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ଅହିଂସା ରଥର ଶୁଭାରମ୍ଭ କରିଥିଲେ। ଏହି ଦୁଇଟି ଅହିଂସା ରଥ ଓଡିଶାର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରି ଗଜପତି ଜିଲ୍ଲାକୁ ଆସିବ। ୨୧ ତାରିଖ ଦିନ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କାଶୀନଗର ବ୍ଲକ ଅନ୍ତର୍ଗତ କତଗୁଡ଼ା ଠାରେ ମହାସମାରୋହରେ ରଥ ଦୁଇଟିକୁ ସ୍ବାଗତ କରାଯିବ। ସ୍ବାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ବାର୍ତ୍ତା ଜିଲ୍ଲାରେ ପ୍ରଚାର କରାଯିବ। ଗୋଟିଏ ରଥ କାଶୀନଗର ବ୍ଲକ ସମେତ ଗୁମ୍ମା , ନୂଆଗଡ ଓ ଦ୍ଵିତୀୟ ଦିନରେ ଆର୍. ଉଦୟଗିରି ଓ ମୋହନା ବ୍ଲକରେ ପରିଭ୍ରମଣ କରିବ।
ସେହିପରି ଦ୍ବିତୀୟ ରଥଟି କାଶୀନଗର , ଗୋଷାଣୀ ପାରଳାଖେୁଣ୍ଡି ଓ ଦ୍ବିତୀୟ ଦିନରେ ରାୟଗଡ ଓ ମୋହନା ବ୍ଲକ ଆଦି ଏୈତିହାସିକ ସ୍ଥାନ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଅହିଂସା ରଥକୁ ୨୧ ତାରିଖ ଦିନ ପାରଳାଖମୁଣ୍ଡି ପୌରପରିଷଦ ପକ୍ଷରୁ ଏକ ବିରାଟ ସ୍ବାଗତ ସମ୍ବର୍ଦ୍ଧନା ସହ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ସହ ସଂଶ୍ଲିଷ୍ଟ ପାରଳାଖେୁଣ୍ଡି ସହରରେ ପରିଭ୍ରମଣ କରିବ। ଏ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜିଲ୍ଲାର କାଶୀନଗର , ପାରଳାଖେମଣ୍ଡି ଓ ମୋହନା ଠାରେ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଟିକୁ ସ୍ବାଗତ ଅବସରରେ ବିଶାଳ ଶୋଭାଯାତ୍ରାରେ ସମସ୍ତ ଜନସାଧାରଣ , ଲୋକପ୍ରତିନିଧି , ସହରର ମାନ୍ୟଗଣ୍ୟ ବ୍ୟକ୍ତି , ବିଦ୍ୟାଳୟ , ମହାବିଦ୍ୟାଳୟ କର୍ମକର୍ତ୍ତା , ଛାତ୍ରଛାତ୍ରୀ , ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ , ଅଙ୍ଗନଓ୍ବାଡି କର୍ମୀ ମାନେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି। ପ୍ରତ୍ଯେକ ବ୍ଲକ୍ ହେଡକ୍ବାର୍ଟର ମାନଙ୍କରେ କିଭଳି ଭାବେ ଅହିଂସା ରଥକୁ ସ୍ବାଗତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ , ଜନ ସଚେତନତା , ସ୍ଵାଧୀନତା ସଂଗ୍ରାମୀଙ୍କ ଉତ୍ତର ଦାୟାଦ ମାନଙ୍କୁ ସମ୍ମାନୀତ କରାଯିବ ସେଥିନିମନ୍ତେ ସଂପୃକ୍ତ ଗୋଷ୍ଠୀ ଉନ୍ନମୟନ ଅଧିକାରୀ , ତହସିଲଦାର , କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ ମାଇକ୍ରୋପ୍ଲାନ୍ କରି ସେହି ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲାକୁ ଏହି ଅହିଂସା ରଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଯେପରି ସଫଳ ହେବ ସେଥିନିମନ୍ତେ ଜିଲ୍ଲାର ସମସ୍ତ ଅଧିକାରୀ , କର୍ମଚାରୀ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଜଣାଇଛନ୍ତି।
ବୈଠକରେ ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜୟରାମ ଶତପଥୀ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ଗଜପତି ଶ୍ରୀ ଲଳିତ କୁମାର କହଁର , ପାରଳାଖେମଣ୍ଡି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୂମାଇ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପଠୀ , ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , କାର୍ଯ୍ୟ ନିର୍ବାହୀ ଅଧିକାରୀ , ସିଡିପିଓ ପ୍ରମୁଖ ଭିଡିଓ କନଫରେନ୍ସ ଦ୍ବାରା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault