ହେଡଲାଇନସ୍:

ମୋ କଲେଜ ଅଭିଯାନ ଅଧୀନରେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ପଠନ କକ୍ଷ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ମୋ କଲେଜ ଅଭିଯାନ ଅଧୀନରେ ମୟୂରଭଞ୍ଜସ୍ଥିତ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ଏକ ପଠନ କକ୍ଷର ଉଦଘାଟନ ହୋଇଛି। ମଙ୍ଗଳବାର ମହାବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଭର୍ଚୁଆଲ ମୋଡ୍ ଜରିଆରେ ଏହାକୁ ଉଦଘାଟନ କରିଥିଲେ।

ପଠନ କକ୍ଷ ଉଦଘାଟନ ଅବସରରେ ସେ କହିଛନ୍ତି, “ଛାତ୍ରାଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାଲାଗି ଭିତ୍ତିଭୂମି ମଧ୍ୟ ଏକ ଉଲ୍ଲେଖନୀୟ ଭୂମିକା ନେଇଥାଏ। ତେଣୁ ଖୁଣ୍ଟା ମହାବିଦ୍ୟାଳୟରେ ଏହି ପଠନ କକ୍ଷ ହେବା ଦ୍ଵାରା ଛାତ୍ରଛାତ୍ରୀମାନେ ଏକ ଭଲ ପରିବେଶରେ ବିଭିନ୍ନ ପ୍ରକାର ବହି ପଢ଼ିବାର ସୁଯୋଗ ପାଇପାରିବେ।”

ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ମୋ କଲେଜ ଅଭିଯାନକୁ ୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଦୁଇଗୁଣା ଅର୍ଥାତ ୬ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏବେ ମୋଟ୍ ୯ ଲକ୍ଷ ଟଙ୍କା ଅନୁଦାନ ରାଶିରେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମିର ବିକାଶ କରାଯାଉଛି।

ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ରୀ ଇନ୍ଦୁମତୀ ଦାଶ ମହାବିଦ୍ୟାଳୟର ବିକାଶ ଲାଗି ୨ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ମହାବିଦ୍ୟାଳୟରେ ନୂଆ ପଠନ କକ୍ଷ ନିର୍ମାଣ ଅବସରରେ ସେ କହିଛନ୍ତି, “ଛାତ୍ରାଛାତ୍ରୀଙ୍କ ଲାଗି ଆମ କଲେଜରେ ଏକ ପଠନ କକ୍ଷର ଆବଶ୍ୟକତା ଥିଲା। ଖୁସିର କଥା ମୋ କଲେଜ ଅଭିଯାନ ଅଧୀନରେ ଆମ କଲେଜକୁ ନୂଆ ପଠନ କକ୍ଷଟିଏ ମିଳିଛି।”

“ଆମ ମହାବିଦ୍ୟାଳୟ ପାଇଁ ଏକ ପଠନ କକ୍ଷ ଦିନେ ସ୍ୱପ୍ନ ଥିଲା। ତେବେ ଆନନ୍ଦର ବିଷୟ ମୋ କଲେଜ ଅଭିଯାନ ଅଧୀନରେ ଆମର ପୁରାତନ ଛାତ୍ରାଛାତ୍ରୀଙ୍କର ସହଯୋଗ ରାଶି ଏବଂ ରାଜ୍ୟ ସରକାରଙ୍କଠାରୁ ଦୁଇଗୁଣା ଅନୁଦାନ ରାଶି ପାଇବା ପରେ ଆମ ମହାବିଦ୍ୟାଳୟରେ ଏହି ପଠନ କକ୍ଷଟି ନିର୍ମିତ ହୋଇପାରିଛି। ଏହାଦ୍ଵାରା ଆମ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ”, କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀ।

ଓଡ଼ିଶାର ଉଚ୍ଚଶିକ୍ଷାର ବିକାଶ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏକ ଦୂରଦୃଷ୍ଟି ସମ୍ପନ୍ନ ଏବଂ ଅଭିନବ ପ୍ଲାଟଫର୍ମ ହେଉଛି ମୋ କଲେଜ ଅଭିଯାନ। ଏହି ପ୍ଲାଟଫର୍ମ ଜରିଆରେ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସହ ଯୋଡ଼ି ହୋଇ ତାହାର ସାମଗ୍ରିକ ବିକାଶରେ ଭାଗିଦାର ହୋଇପାରୁଛନ୍ତି।

0
0
0
s2sdefault