ହେଡଲାଇନସ୍:

ସାମାଜିକ ଲଜ୍ଜ୍ୟା : ବାଲ୍ୟବିବାହ ଆଳରେ ଦେଶ ବାହାରକୁ ଚାଲାଣ ହେଉଛି ଶିଶୁ କନ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର :  କେବଳ ବିବାହ ପାଇଁ ନୁହେଁ, ଅନେକ କ୍ଷେତ୍ରରେ ବାଲ୍ୟବିବାହ କରାଯିବା ପରେ ଶିଶୁ କନ୍ୟାମାନଙ୍କୁ  ମଧ୍ୟପ୍ରାଚ୍ୟ ଏବଂ ଅନ୍ୟ ଦେଶକୁ ଚାଲାଣ କରାଯାଉଛି । ଏପରିକି ଓଡ଼ିଶାରୁ ମଧ୍ୟ ଝିଅମାନଙ୍କୁ ବିବାହ ଆଳରେ ଉତରପ୍ରଦେଶ, ପଞ୍ଜାବ ଓ ହରିଆଣା ଭଳି ରାଜ୍ୟଗୁଡ଼ିକୁ ମଧ୍ୟ ଚାଲାଣ କରାଯାଉଛି । ବିବାହ ନାଁରେ ଝିଅମାନଙ୍କୁ କିଣା ଯାଉଛି ଏବଂ ଅନ୍ୟ ରାଜ୍ୟ ଓ ଦେଶ ବାହାରେ ବିକି୍ର କରାଯାଉଛି । ଏହା ଏକ ବେଶ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିଛନ୍ତି ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସୋଆ ନ୍ୟାସନାଲ  ଇନ୍ଷ୍ଟିଚ୍ୟୁଟ ଅଫ୍ ଲ’ ର ଡିନ୍ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ । 

ସୋଆ ନ୍ୟାସନାଲ  ଇନ୍ଷ୍ଟିଚ୍ୟୁଟ ଅଫ୍ ଲ’ ଏବଂ ସାମାଜିକ ସଂଗଠନ ‘ପିକକ୍’ ପକ୍ଷରୁ ଆୟୋଜିତ “ଭାରତରେ ବାଲ୍ୟ ବିବାହ ଏବଂ ଆଇନ୍ ରୁ ନ୍ୟାୟପାଳିକା” ଶୀର୍ଷକ କର୍ମଶାଳାରେ ନିଜ ବକ୍ତବ୍ୟ ରଖି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ଅନେକ ବାଲ୍ୟବିବାହ ବାପା ମା’ଙ୍କର ଅନୁମତିରେ ହେଉଥିବା ବେଳେ କେତେକ ଅପ୍ର୍ରାପ୍ତବୟସ୍କା ନିଜେ ମଧ୍ୟ ବିବାହ କରିନେଉଛନ୍ତି । କିନ୍ତୁ ଏହାର ପରିଣାମ ଭୟଙ୍କର । ରାଜ୍ୟ ସରକାର ବାଲ୍ୟବିବାହକୁ ରୋକିବା ପାଇଁ ବିଶେଷ ଭାବେ ଚାଇଲ୍ଡ ମ୍ୟାରେଜ୍ ପ୍ରୋହିବିସନ୍ ଅଫିସର ନିଯୁକ୍ତି ଦେବା କ୍ଷେତ୍ରରେ ଜୋର ଦେଇଛନ୍ତି ପ୍ରଫେସର ପଟ୍ଟନାୟକ । 

ସାରା ଦେଶରେ ବାଲ୍ୟବିବାହର ପରିମାଣ ୨୭ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ୨୧ ପ୍ରତିଶତ ରହିଛି । ଉଦ୍ବେଗଜନକ ପ୍ରସଙ୍ଗ ହେଉଛି ଏହାର ପରିମାଣ ହ୍ରାସ ପାଇବା ଅପେକ୍ଷା ବୃଦ୍ଧି ପାଇବାରେ ଲାଗିଛି ।  ୨୦୧୧ର ସେନ୍ସସ୍ ଅନୁଯାୟୀ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ କେନ୍ଦୁଝରରେ ବାଲ୍ୟବିବାହର ସଂଖ୍ୟା ଅଧିକ  । ମାଲକାନଗିରିରେ ବାଲ୍ୟବିବାହର ପରିମାଣ ୭୮.୧% ରହିଥିବା ବେଳେ ନବରଙ୍ଗପୁରରେ ୭୨.୫% , କୋରାପୁଟରେ ୬୨.୧%, ରାୟଗଡାରେ ୫୮.୩%, ଗଞ୍ଜାମରେ ୫୧.୫%, ନୟାଗଡ଼ରେ ୪୩.%, ଗଜପତିରେ ୪୩.% ଓ ମୟୂରଭଞ୍ଜରେ ୪୨.୨ ପ୍ରତିଶତ ରହିଛି  । ଏପରିକି ଓଡ଼ିଶାର ଉପକୂଳରେ ମଧ୍ୟ ବାଲ୍ୟବିବାହର ପରିମାଣ ବଢ଼ିବାରେ ଲାଗିଥିବା କର୍ମଶାଳାରେ ସୂଚନା ଦେଇଛନ୍ତି ପିକକ ଆବାହକ ଶ୍ରୀ ରଞ୍ଜନ ମହାନ୍ତି । 

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣିପୁର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଲକ୍ଷ୍ମୀକାନ୍ତ ମହାପାତ୍ର କହିଥିଲେ ଯେ ଦାରିଦ୍ର୍ୟ, ନିରକ୍ଷରତା ଏବଂ ଅନ୍ଧବିଶ୍ୱାସ ଯୋଗୁଁ ବାଲ୍ୟବିବାହ ଆମ ଦେଶରେ ବଢ଼ିବାରେ ଲାଗିଛି । ଯୌତୁକ  ମଧ୍ୟ ବାଲ୍ୟବିବାହର ପ୍ରମୁଖ କାରଣ । ତେବେ ଏଭଳି ଏକ ସାମାଜିକ ବ୍ୟାଧିରୁ ମୁକୁଳିବା ପାଇଁ ସଚେତନତାର ଆବଶ୍ୟକତା ରହିଛି । ସରକାର ଓ ସାମାଜିକ ସଂଗଠନମାନେ ଶିଶୁକନ୍ୟାମାନଙ୍କର ପିତାମାତାମାନଙ୍କୁ ବାଲ୍ୟବିବାହ ଠାରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଜରୁରୀ ବୋଲି ଜଷ୍ଟିସ୍ ମହାପାତ୍ର କହିଥିଲେ । 

ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଆଇନଜୀବୀ  ଶ୍ରୀ ସୌର୍ୟ  ସୁନ୍ଦର ଦାସ କହିଥିଲେ ଯେ ଝାଡଖଣ୍ଡ, ବିହାର, ଉତରପ୍ରଦେଶ ତୂଳନାରେ ଆମ ରାଜ୍ୟରେ ବାଲ୍ୟବିବାହର ସଂଖ୍ୟା କମ୍ । ତେବେ ଏହାକୁ କିଭଳି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିବ ସେ ଦିଗରେ ସଚେତନ କରାଯିବାର ଆବଶ୍ୟକତା ରହିଛି । ଆଇନ୍ର ଫାଙ୍କ ଦେଇ ବାଲ୍ୟବିବାହ ଭଳି ସାମାଜିକ ବ୍ୟାଧି ବ୍ୟାପି ଚାଲିଥିବା ବେଳେ ସରକାର ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାର ଆବଶ୍ୟକତା ଥିବା ଶ୍ରୀ ଦାସ କହିଥିଲେ । 

 

 

 

0
0
0
s2sdefault