ମରାମତି ନହେଲେ ଧାରଣା ପାଇଁ ଚେତାବନୀ
ମାହାଙ୍ଗା:-ସରକାର ଜନସାଧାରଣ, ଯାନବାହନ ଗମନାଗମନ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ସଫଳ ଭାବେ ରୂପାୟନ ହୋଇପାରୁନାହିଁ । ବିଭିନ୍ନ ଜାଗାରେ ରାସ୍ତା କାର୍ଯ୍ୟ ହେଉଥିଲେ ମଧ୍ୟ ରାସ୍ତା ଗୁଡ଼ିକ ନିର୍ମାଣ ପ୍ରଣାଳୀ ଅତ୍ୟନ୍ତ ନିମ୍ନମାନର କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱ ମାତ୍ର କିଛିଦିନ ପରେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି । ଏହାର ଏକ ନଗ୍ନ ଉଦାହରଣ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ରହିଥିବା ମାହାଙ୍ଗା ବ୍ଲକ ଗୋତରା ଗ୍ରାମପଂଚାୟତ ଆପିଲୋ ଜହ୍ନିଆ ବଜାର ନିକଟସ୍ଥ ୮ନଂ କେନାଲ ପାଶ୍ୱର୍ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ଦେଖିବାକୁ ମିଳିଛି । ଏହି ରାସ୍ତାର ମରାମତି କାର୍ଯ୍ୟ ଗତ କିଛିମାସ ହେବ ହୋଇଥିଲେ ମଧ୍ୟ ଆପିଲୋ ଜହ୍ନିଆ ବଜାର ନିକଟସ୍ଥ ରାସ୍ତାର ଅବସ୍ଥା ଏକ କୃତ୍ରିମ ପୋଖରୀରେ ପରିଣତ ହୋଇଛି । ଏହି ରାସ୍ତା ଉପରେ ଗମନାଗମନ ନିମନ୍ତେ ଦୈନନ୍ଦିନ ଗୋତରା, ଉମର, ବଡ଼କ୍ଷୀର, ନିଶ୍ଚିନ୍ତକୋଇଲି, ନାହାଙ୍ଗ, ନତକାଇ, ଜୟରାମପୁର, ଜିଗ୍ନୀପୁର,ଫଗୋଳ,ବରାଦୋ,ଭଦ୍ରେଶ୍ୱର, ମାହାଙ୍ଗା ବ୍ଲକ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବହୁ ଗ୍ରାମ ପଂଚାୟତର ହଜାର ହଜାର ଲୋକ ଗମନାଗମନ ଉପରେ ନିର୍ଭର କରିଥାନ୍ତି । ଏପରିକି ବହୁ ବିଦ୍ୟାଳୟ , କଲେଜ ଛାତ୍ର ଛାତ୍ରୀ ଓ ଅଙ୍ଗନୱାଡ଼ି କେନ୍ଦ୍ରର କୋମଳମତୀ ଛାତ୍ର ଛାତ୍ରୀମାନେ ଯାତାୟତ କରିବା ନିମନ୍ତେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ବସ,ଟ୍ରକ, ଚାରିଚକିଆ ଯାନ ଓ ବାଇକ ଯାଆସ କରିଥାଏ । ମନ୍ତ୍ରୀ-ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଂଟ ଯୋଗୁଁ ନାମକୁମାତ୍ର ରାସ୍ତା ନିର୍ମାଣ କରାଯାଇ ସରକାରୀ ରାଜକୋଷରୁ ଅର୍ଥ ହରିଲୁଟ କରିନିଆଯାଇଥାଏ । ମନ୍ତ୍ରୀ-ଯନ୍ତ୍ରୀ ଓ ଠିକାଦାରଙ୍କ ଭାଗ୍ୟର ପରିବର୍ତନ ହେଉଥିଲା ବେଳେ ଏହି ରାସ୍ତାର ଭାଗ୍ୟ ପରିବର୍ତନ ଘଟୁନାହିଁ । ନିମ୍ନମାନର କାର୍ଯ୍ୟ ହେତୁ ନିର୍ମାଣର ମାତ୍ର ଅଳ୍ପ ଦିନ ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ୁଥିବାର ଅଭିଯୋଗ ହୋଇଛି । ଏପରିକି ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏଁ ଗର୍ତ ସୃଷ୍ଟି ହୋଇଛି । ରାସ୍ତାଟି ମରଣଯନ୍ତାରେ ପରିଣତ ହୋଇଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଏହି ରାସ୍ତାରେ ଯାନବାହନ ଗମନାଗମନ କରିବାତ ଦୂରର କଥା ଏପରିକି ଖାଲିପାଦରେ ଚାଲିକିଯିବା କାଠିକର ପାଠ ଅଟେ । ସେହିପରି ଭାବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ହେତୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନସ, ଦମକଳ ଗାଡ଼ି ଯାଇଆସିପାରୁନାହିଁ । ଫଳରେ ଗର୍ଭବତୀ ପ୍ରସୂତି ମହିଳା ରୋଗାଗ୍ରସ୍ତ ଲୋକେ ସର୍ବୋପରି କୋମଳମତୀ ଶିଶୁମାନେ ଡ଼ାକ୍ତରଖାନାକୁ ଚିକିତ୍ସାନିମନ୍ତେ ଯାଇନପାରି ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଥିବାର ଅଭିଯୋଗ ହୋଇଛି । ଏହି ରାସ୍ତାକୁ ମରାମତି କରାଯିବା ନିମନ୍ତେ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଆପତି ଅଭିଯୋଗ କରୁଥିଲେ ମଧ୍ୟ ଏଥିପ୍ରତି କେହିହେଲେ କର୍ଣ୍ଣପାତ କରୁନଥିବା ହେତୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ତୁରନ୍ତ ଏହି ରାସ୍ତା ମରାମତି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ଓ ଏହାର କୁପରିଣାମ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଆପିଲୋ ଗ୍ରାମବାସୀମାନେ ଚରମ ଚେତାବନୀ ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଙ୍କ ଦ୍ୱାରା ଏହି ରାସ୍ତାକୁ ମରାମତି କରାଯିବା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ଲୋକମାନେ ଦାବି କରିଛନ୍ତି ।