ହେଡଲାଇନସ୍:

ମହାପ୍ରଭୁଙ୍କ ଟାହିଆ ଭକ୍ତଙ୍କୁ ବ୍ୟାକୁଳ କରୁଥିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଚଳିତଥର ରଥଯାତ୍ରା ଥିଲା ବେଶ ମନ ମୁଗ୍ଧକର । ଏକାକାର ହୋଇଯାଇଥିଲେ ବଡଦାଣ୍ଡରେ ଥିବା ପ୍ରତ୍ଯେକଟି ବ୍ୟକ୍ତି । ବେଶ ମନୋରମ ଥିଲା ଚଳିତଥର ତିନି ଠାକୁରଙ୍କ ପହଣ୍ଡିବିଜେ । ମନମୁଗ୍ଧକର ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ହଲାଇ ରଥକୁ ବିଜେ କରିବା । ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଥିବା ବେଳେ ଦୀର୍ଘ ଦୁଇବର୍ଷ ପରେ ମହାବାହୁଙ୍କୁ ରଥ ଉପରେ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ବେଶ୍ ଭାବବିହୋଳ ହୋଇପଡିଛନ୍ତି। ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଲା ବଡ଼ଦାଣ୍ଡ । ସକାଳୁ ସଞ୍ଜ ଯାଏଁ ଶ୍ରୀକ୍ଷେତ୍ରରେ ଶୁଭୁଥିଲା ଜଗନ୍ନାଥ ଧ୍ବନୀ । ଶ୍ରୀକ୍ଷେତ୍ର ପୁରୀ ଗଲା ଅଗଣିତ ଭକ୍ତରେ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଲା । ଅପୂର୍ବ ଥିଲା ବିଶ୍ୱ ସାଆନ୍ତଙ୍କ ସହ ଦାସଙ୍କ ମିଳନ । ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ଲାଗିଥିଲା ତିନି ରଥ ।
ସେପଟେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହୋଇଥିବା ନିର୍ଦ୍ଧାରିତ ସମୟର ତିନିଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ପବିତ୍ର ରଥଯାତ୍ରାରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନେକ ମାଣ୍ୟଗଣ୍ୟ ମନ୍ତ୍ରୀ ମାନେ ସାମିଲ ହୋଇ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିବା ଦେଖାଯାଇଥିଲା ।ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରଥାରୂଢ ଠାକୁରଙ୍କୁ ଦର୍ଶନ କରିଥିଲେ। ପରେ ତିନିରଥ ଗୋଟିଏ ପରେ ଗୋଟିଏ ଘରଘର ନାଦରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଥିଲା। ପ୍ରଥମେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ,ପରେ ମା ସୁଭଦ୍ରାଙ୍କ ଦେବୀଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା। ଦୁଇବର୍ଷ ପରେ ଭକ୍ତ ଓ ରଥାରୂଢ ଭଗବାନଙ୍କ ମହାମିଳନ ହୋଇଥିବା ବେଳେ ପୁଲିସ ବାହିନୀ ଓ ଭକ୍ତ ତିନିରଥ ଟାଣିଥିଲେ। ଅନ୍ୟପଟେ ଆଜି ରଥଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିବା ବେଳେ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଥିଲା। ସେପଟେ ସେବାୟତ ମାନେ ମହାପ୍ରଭୁଙ୍କ ନୀତିକାନ୍ତିରେ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ସହଯୋଗ କରିଥିବାରୁ ଚଳିତବର୍ଷ ପହଣ୍ଡି ଓ ରଥଟଣା ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ହୋଇଥିଲା।
ଦୀର୍ଘ ଦୁଇବର୍ଷ ପରେ ଭକ୍ତମୟ ପରିବେଶରେ ବଡଦାଣ୍ଡରେ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଥିବା ବେଳେ ଭକ୍ତ ମଧ୍ୟ ମହାପ୍ରଭୁଙ୍କ ରଥଟଣାରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି । ମହାପ୍ରଭୁଙ୍କ ଯାତ୍ରାରେ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ଓ ହରିବୋଲ ହୁଳହୁଳି ଧ୍ୱନୀର ତାଳେ ତାଳେ ବଡଦାଣ୍ଡରେ ତିନି ରଥ ଗଡ଼ିବା ଦୃଶ୍ୟ ଅବର୍ଣ୍ଣନୀୟ ଥିଲା । ସବୁ କିଛି ଏପରି ଲାଗୁଥିଲା ଯେପରି ଭକ୍ତମାନଙ୍କୁ ଦେଖିବାକୁ ମହାପ୍ରଭୁ ବି ବ୍ୟାକୁଳ ଅଛନ୍ତି । ସେଥିପାଇଁ ଭାଇ ଓ ଭଉଣୀ ସମସ୍ତେ ସଅଳ ରଥାରୂଢ ହୋଇଥିଲେ । ଭୋର ୩ ଟା ରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ପରେ ମଇଲମ,ତଡପଲାଗି, ରୋଷହମ,ଅବକାଶ, ସୂର୍ଯ୍ୟପୂଜା ,ଦ୍ୱାରପାଳ ପୂଜା ଓ ବେଶ ଶେଷହେବା ପରେ ସକାଳ ୫.୪୦ ରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ଶେଷ ହୋଇଥିଲା। ସକାଳ ୬ ଟା ରେ ଦେଉଳ ପୁରୋହିତଙ୍କ ଦ୍ବାରା ତିନିରଥ ପ୍ରତିଷ୍ଠା କରାଯିବା ପରେ ମଙ୍ଗଳାର୍ପଣ ହୋଇ ୬.୧୫ ରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଧାଡି ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇଆସି ସୁଭଦ୍ରାଙ୍କ ରଥରେ ବିରାଜମାନ କରିବା ପରେ ଶ୍ରୀବଳଭଦ୍ର ତାଳଧ୍ୱଜ ରଥରେ , ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ଓ ଶେଷରେ ଜଗତର ନାଥ ଜଗନ୍ନାଥ ନନ୍ଦିଘୋଷ ରଥରେ ଅଧିଷ୍ଠିତ ହୋଇଥିଲେ । ପହଣ୍ଡି ସମୟରେ ମହାପ୍ରଭୁଙ୍କ ଟାହିଆ ବେଶ୍ ଆକର୍ଷଣୀୟ ଥିଲା। ସକାଳ 9 ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସରିବା ପରେ ମଦନମୋହନ ରଥକୁ ବିଜେ କରିଥିଲେ। ଏହାପରେ ଚିତାଲାଗି ଓ ବେଶଶେଷ ହେବା ପରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶ୍ରୀନହରରୁ ମେହେନାରେ ଆସି ଛେରାପହଁରା କରିଥିଲେ। ପ୍ରଥମେ ଗଜପତି ବଡଠାକୁରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ସୁନା ଖଡିକାରେ ଛେରାପହଁରା କରିଥିଲେ । ଏହା ପରେ ତିନିରଥରେ ଭୋଇ ସେବାୟତ ମାନେ ସାରଥୀଙ୍କୁ ନେଇ ଅଧଷ୍ଠିତ କରାଇବା ପରେ ମଧ୍ୟାହ୍ନ ଆରମ୍ଭ ହୋଇଥିଲା ରଥଟଣା ପ୍ରସ୍ତୁତି। ତିନିରଥରୁ ଚାରମାଳ ଫିଟାଯିବା ପରେ ଘୋଡା ସଂଯୋଗ କରାଯାଇଥିଲା । ମଧ୍ୟାହ୍ନ ସାଢେ ୧୨ ଟାରୁ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଥିଲା । ପରେ ଅପରାହ୍ନ ୧ .୨୫ ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ୨.୨୦ ରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା। ସଂଧ୍ୟା ପୂର୍ବରୁ ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା ।

 

0
0
0
s2sdefault