-
୧୨୦୦ ପିଲା ମାଗଣାରେ ପାଠ ପଢିବେ
-
ଜନଜାତି ପିଲାଙ୍କ ଶିକ୍ଷା ପାଇଁ କିସ୍ର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି, ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲ ରୂପାନ୍ତରିତ କରାଯାଇଛି - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ଖୋଲି ଶିକ୍ଷାର ଉନ୍ନତି ପାଇଁ, ବିଶେଷକରି ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍ର ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି। ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ଇଂଜିନିୟରିଂ କଲେଜ ଆଦି ଜିଲ୍ଲା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ ।
ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଆରୋପ କରୁଛନ୍ତି। ୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରକୁ ହିଁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ୪୦୦ଟି ସ୍କୁଲର ରୂପାନ୍ତର କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲର ରୂପାନ୍ତର କରାଯାଇଛି । ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସାଂସଦ ଶ୍ରୀ ସୁଜିତ କୁମାର ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇ ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସ୍ର ଉଦ୍ୟମ ପାଇଁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଉଚ୍ଚ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ କହିଲେ, କଳାହାଣ୍ଡି ଜିଲ୍ଲାରେ କିସ୍ର ଏକ ଶାଖା ଖୋଲାଯାଇଥିବାରୁ ମୁଁ ଅନନ୍ୟ ପ୍ରତିଭାର ଅଧିକାରୀ, ଜନଜାତି ସମାଜକୁ ଅଗ୍ରଣୀ ଭୂମିକାରେ ଆଗେଇ ନେଇ ଚାଲୁଥିବା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଉଛି। ନର ସେବା ହିଁ ନାରାୟଣ ସେବା। ତାହା ସେ କାମରେ ପ୍ରତିପାଦିତ କରି ଦେଖାଇଛନ୍ତି। ଓଡ଼ିଶାର ଗର୍ବ ଓ ଗୌରବ ଶ୍ରୀ ସାମନ୍ତଙ୍କୁ ଓଡ଼ିଶାବାସୀ ଏ କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ଉଚିତ ବୋଲି ସେ କହିଥିଲେ।
ରାଜ୍ୟସଭା ସାଂସଦ ସୁଜିତ୍ କୁମାର କହିଲେ, କଳାହାଣ୍ଡି ପାଇଁ ଆଜିର ଦିନ ଏକ ଐତିହାସିକ ଦିନ। କିସ୍ ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ମଧ୍ୟରେ ପରିବର୍ତନଶୀଳ ବିକାଶ ଆଣି ପାରିଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ କହିଲେ, ଏହା ହେଉଛି ଏକ ଐତିହାସିକ ପଦକ୍ଷେପ। କଳାହାଣ୍ଡି ଜିଲ୍ଲାର ଜନଜାତି ପିଲାଙ୍କୁ ପାଠ ପଢ଼ିବା ପାଇଁ ଆଉ ୫ ଶହ କିଲୋମିଟର କିସ୍-ଭୁବନେଶ୍ୱର ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ । ଏଣିକି ସେମାନେ କିସ୍-କଳାହାଣ୍ଡିରେ ଉଚ୍ଚଶିକ୍ଷାର ସୁବିଧା ପାଇ ପାରିବେ ବୋଲି ଶ୍ରୀ ଦିସାରୀ କହିଥିଲେ।
ସ୍ୱାଗତ ଭାଷଣ ଦେଇ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କହିଲେ, ୧୦ଏକର ଜମିରେ ନିର୍ମିତ ଏହି ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ୧ଲକ୍ଷ ୨୦ ହଜାର ବର୍ଗଫୁଟ ଅଂଚଳରେ ଭିତ୍ତିଭୂମି ନିର୍ମାଣ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍ଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ଭିତ୍ତିଭୂମି ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସମସ୍ତ ଅର୍ଥ କିଟ୍ ପକ୍ଷରୁ ଯୋଗାଇ ଦିଆଯାଇଛି। ଏହା କଳାହାଣ୍ଡିବାସୀଙ୍କ ସଂପତି ହୋଇ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଜୁଲାଇ ପ୍ରଥମ ସପ୍ତାହ ପରେ ଏଠାରେ ପାଠପଢ଼ା ଆରମ୍ଭ କରାଯିବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ। ଏହି ଅବସରରେ କଳାହାଣ୍ଡିରେ କିମ୍ସ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ହସପିଟାଲ୍ ଖୋଲିବା ନେଇ ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ସ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, କିସ୍-କଳାହାଣ୍ଡି ଆବାସିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ କଳାହାଣ୍ଡି ଜିଲ୍ଲାର ୧୨ଶହ ଗରିବ ଓ ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ। ପାଠ ପଢ଼ା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ। ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ୍ କିମ୍ବା କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଭୁବନେଶ୍ୱର କିସ୍ ଏଠାରେ ମଧ୍ୟ ସମ୍ପୂର୍ଣ୍ଣ ଆବାସିକ ଓ ବିନା ଦେୟରେ କଳାହାଣ୍ଡି ଜିଲ୍ଲାର ଗରିବ ଓ ଅବହେଳିତ ଜନଜାତି ପିଲାମାନେ ପାଠ ପଢିପାରିବେ। ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ।