ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ସୁକିନ୍ଦାରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ‘ଘରଚଟିଆକୁ ଭଲ ପାଆନ୍ତୁ’ ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱେଚ୍ଛାସେବୀମାନଙ୍କୁ ୪୦ଟି ପକ୍ଷୀ ବସା ବାକ୍ସ ବଣ୍ଟନ

ସୁକିନ୍ଦା: ବର୍ତ୍ତମାନ ସମୟରେ ଘରଚଟିଆଙ୍କ ସଂଖ୍ୟାରେ ଉତ୍‌ଥାନ ପତ୍ତନ ଦେଖାଯାଉଥିବାବେଳେ ଘରଚଟିଆଙ୍କ ସଂଖ୍ୟାରେ ବୃଦ୍ଧି ଆଣିବା ସମ୍ପର୍କିତ ବାର୍ତ୍ତାର ପ୍ରସାର ପାଇଁ ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ମେ ୨୩ ତାରିଖ ଦିନ ଓଡ଼ିଶାର ଯାଜୁପର ଜିଲ୍ଲାରେ ଅବସ୍ଥିତ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ‘ଘରଚଟିଆକୁ ଭଲ ପାଆନ୍ତୁ’ ନାମକ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରାଯାଇଛି ।

ଘରଚଟିଆଙ୍କ ସଂରକ୍ଷଣ ପାଇଁ ଆଗେଇ ଆସିଥିବା ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ ବିଜ୍ଞାନ ସମ୍ମତ ଡିଜାଇନ୍ ଏବଂ ତୃଣମୂଳସ୍ତରରୁ ପ୍ରାପ୍ତ ତଥ୍ୟ ଅନୁସାରେ ପ୍ରସ୍ତୁତ ପକ୍ଷୀ ବସା ପାଇଁ ଉଦ୍ଦିଷ୍ଟ କୃତ୍ରିମ ବାକ୍ସ ବଣ୍ଟନ କରାଯାଇଛି । ଏହି ପ୍ରଜାତିର ପକ୍ଷୀଙ୍କ ସଂରକ୍ଷଣ ଦିଗରେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପକ୍ଷୀମାନଙ୍କୁ ବାକ୍ସ ମଧ୍ୟରେ ଅଧିକ ବସା ନିର୍ମାଣରେ ସହାୟତା କରିବା ହେଉଛି ଏହି ପଦକ୍ଷେପର ଲକ୍ଷ୍ୟ ।

ଅନ୍ତର୍ଜାତୀୟ ଜୈବ ବିବିଧତା ବିଶେଷଜ୍ଞ ଡଃ ରାଣ୍ଡାଲ ଡି ଗ୍ଲାହୋଲ୍ଟ, ଟାଟା ଷ୍ଟିଲ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା ସହିତ ଆନୁଷ୍ଠାନିକ ଭାବେ ଏହି ପଦକ୍ଷେପର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବନ୍ୟପ୍ରାଣୀ ଏବଂ ପରିବେଶ ଅନୁସନ୍ଧାନକାରୀ ଜୈବ ବିଜ୍ଞାନୀ ଗାୟତ୍ରୀ ଦେବୀ ଏବଂ ଟିଏସ୍‌ଏମ୍‌ଏଲ୍‌ର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପଦକ୍ଷେପକୁ ନେଇ ଉତ୍ସାହିତ ଡଃ ରାଣ୍ଡାଲ ଡି ଗ୍ଲାହୋଲ୍ଟ କହିଛନ୍ତି ଯେ, “ଘରଚଟିଆକୁ ଭଲ ପାଆନ୍ତୁ କାର୍ଯ୍ୟକ୍ରମ ଟାଟା ଷ୍ଟିଲ ମାଇନିଂର ଜୈବବିବିଧତା ପରିଚାଳନା ଯୋଜନା ଅନ୍ତର୍ଗତ ନିଆଯାଇଥିବା ଏକ ପ୍ରମୁଖ ପଦକ୍ଷେପ । ତୃଣମୂଳସ୍ତରରେ ନିଆଯାଇଥିବା ଏହି ପଦକ୍ଷେପ ଦ୍ୱାରା ଘରଚଟିଆମାନଙ୍କ ସଂରକ୍ଷଣ କରାଯାଇପାରିବ ଏବଂ ଜୈବ ବିବିଧତାକୁ ସୁଦୃଢ କରିବାରେ ଏହା ସହାୟକ ମଧ୍ୟ ହେବ” ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ସତିଜା କହିଛନ୍ତି ଯେ, “ନିଜ କାର୍ଯ୍ୟକ୍ଷେତ୍ରରେ ଜୈବ ବିବିଧତାର ସଂରକ୍ଷଣ ଓ ପୁନଃସଂସ୍ଥାପନ ପାଇଁ ଆମ ପକ୍ଷରୁ ବିଭିନ୍ନ ପରିବେଶ ସମ୍ପର୍କିତ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଜୈବ ବିବିଧତାର ସଂରକ୍ଷଣର ସଫଳତା ପାଇଁ ସ୍ଥାନୀୟ ଲୋକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଁ ଆଶା କରୁଛି ଯେ ଏହି ଅଭିଯାନ ଘରଚଟିଆ ସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ବହୁମାତ୍ରାରେ ସହାୟକ ହେବ” ।

ସାଧାରଣ ପ୍ରଜାତିର ପକ୍ଷୀମାନଙ୍କର ପ୍ରତିନିଧିତ୍ୱ କରୁଥିବା ସାଧାରଣ ଘରଚଟିଆ ପକ୍ଷୀ ସର୍ବତ୍ର ଦୃଶ୍ୟମାନ ଏବଂ ମାନବ ସହିତ ପରିଚିତ ଏକ ଢେଣାଧାରୀ ସାଥୀ । ଗତ କିଛି ବର୍ଷ ହେବ ଏମାନଙ୍କ ସଂଖ୍ୟାରେ ଉତ୍‌ଥାନ ଓ ପତ୍ତନ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ଘରଚଟିଆ ଏବଂ ସେମାନଙ୍କ ବାସସ୍ଥଳୀର ସଂରକ୍ଷଣ ଦିଗରେ ଏକ ଆଶା ଜାଗ୍ରତ କରିଛି ।

0
0
0
s2sdefault