ହେଡଲାଇନସ୍:

ଆରପାରିରେ ମହାନ୍ ସାରସ୍ଵତ ସାଧକ ଶ୍ରୀ ରଜତ କର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

  • ଡ଼. ରଜତ କରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

  • ଶୋକଵ୍ୟକ୍ତ କଲେ ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ

ଭୁବନେଶ୍ୱର,: ମହାନ୍ ସାରସ୍ଵତ ସାଧକ , ପ୍ରଚଣ୍ଡ ବାଗ୍ମୀ, ଅନନ୍ୟ ଗବେଷକ, ଶ୍ରୀଜଗନ୍ନାଥ ସଂସ୍କୃତି ର ସମର୍ପିତ ଉପାସକ ତଥା ଓଦା ସାରସ୍ୱତ ଆକାଶର ଉଜ୍ଜ୍ୱଳତମ ଜ୍ୟୋତିଷ୍କ ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀ ରଜତ କର ଆଉ ନାହାନ୍ତି | ଓଡ଼ିଶାର ସାରସ୍ୱତ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଆକାଶରେ ଏକ ବିରାଟ ଶୁନ୍ୟତା ସୃଷ୍ଟି କରି ଆରପାରିକୁ ଚାଲିଯାଇଛନ୍ତି | ପ୍ରବୀଣ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ବିଗତ ଦୀର୍ଘ ୬୦ ବର୍ଷ ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ରହିଥିଲା ।

ତାଙ୍କ ସାରସ୍ୱତ ସୃଷ୍ଟି ମଧ୍ୟରେ ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୁତିର, ଅନ୍ଧପୁଟୁଳି , ଚନ୍ଦନ ହଜୁରୀ, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ବାଇଶି ପାବଚ୍ଛ ,ବୀର ଚାଖି ଖୁଣ୍ଟିଆ, ଜନମାନସରେ ଭଞ୍ଜ  ଆଦି ଅନ୍ୟତମ | ତାଙ୍କ ବିୟୋଗରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି |

ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି | .ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା | ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ | ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି |

 ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଓ ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ତାଙ୍କର ଅବଦାନ ଅକଳ୍ପନୀୟ । ସାହିତ୍ୟ କ୍ଷେତ୍ରରେ ନିଜର ଅନନ୍ୟ ସାଧନା ପାଇଁ ସେ ଓଡ଼ିଆ ପାଠକଙ୍କ ନିକଟରେ ଯଶସ୍ୱୀ ହୋଇପାରିଥିଲେ । ଲୋକନାଟ୍ୟ ‘ପାଲା’କୁ ଜୀବନ୍ତ ରଖିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଟିଭି ଓ ରେଡ଼ିଓରେ ରଥଯାତ୍ରାର ଭାଷ୍ୟକାର ଭାବେ ଓଡ଼ିଆ ଜନମାନସରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ତାଙ୍କର କାଳଜୟୀ ସାହିତ୍ୟ ରଚନା ଚିର ସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ ସୁବକ୍ତାଙ୍କୁ ହରାଇଲା ।
ସେହିପରି ମାହାଙ୍ଗା ମାଟିର ବରପୁତ୍ର ଶ୍ରୀଯୁକ୍ତ କରଙ୍କ ଦେହାନ୍ତରେ ଗଭୀର ଶୋକଵ୍ୟକ୍ତ କରିଛନ୍ତି ଆଇନ, ପଞ୍ଚାୟତିରାଜ, ପାନୀୟଜଳ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଶ୍ରୀ ପ୍ରତାପ ଜେନା ଗଭୀର ଶୋକଵ୍ୟକ୍ତ କରିଛନ୍ତି | ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ "ବିଶିଷ୍ଟ ସାରସ୍ୱତ ସାଧକ, ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରଚଣ୍ଡ ବାଗ୍ମୀ, ଭଞ୍ଜ ସାହିତ୍ୟର ଅନନ୍ୟ ଗବେଷକ ଶିକ୍ଷାବିତ ତଥା ମାହାଙ୍ଗା ମାଟିର ଗୌରବ ପଦ୍ମଶ୍ରୀ ବିଜେତା ଶ୍ରୀଯୁକ୍ତ ରଜତ କରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ଯୁଗର ଅବସାନ ଘଟାଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।"

0
0
0
s2sdefault