ନିମ୍ନମାନର କାର୍ଯ୍ୟ ନେଇ ଭିଜିଲାନସ ତଦନ୍ତ ପାଇଁ ଦାବି
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ବିନା ଫଳକ କାର୍ଯ୍ୟସୂଚୀରେ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଗ୍ରାମ୍ୟଉନ୍ନୟନ ବିଭାଗ କର୍ମଚାରୀ ରହିବା ପାଇଁ ଗୃହ ନିର୍ମାଣ ସହ ସେମାନଙ୍କର ସୁରକ୍ଷା ପାଇଁ ଗୃହ ଆଗରେ ପାଚେରୀ କାନ୍ଥ ନିର୍ମାଣ କରାଯାଉଛି । ତେବେ ଗ୍ରାମ୍ୟ ଉନ୍ନୟନର ଏପରି କାର୍ଯ୍ୟ ଉପରେ ସାଧାରଣରେ ସନ୍ଦେହ ପ୍ରକାଶ କରାଯିବା ସହ ନିମ୍ନମାନର କାର୍ଯ୍ୟ ନେଇ ସାଧାରଣ ଲୋକେ ଭିଜିଲାନସ ତଦନ୍ତ ପାଇଁ ଦୃଢ ଦାବି କରିଛନ୍ତି । ସୂଚନାଥାଉକି ଗତ କିଛି ମାସ ହେବ ଏହି କାର୍ଯ୍ୟାଳୟ ପରିସରରେ କନିଷ୍ଠ ଯନ୍ତ୍ରୀମାନଙ୍କ ରହିବା ପାଇଁ ଏବଂ ସେମାନଙ୍କ ଗାଡ଼ି ଥୋଇବା ପାଇଁ ଗୃହ ନିର୍ମାଣ କରାଯାଇଥିଲା । ଯେଉଁଥିରେ ବି ସମାନ କଥା ଦେଖିବାକୁ ମିଳିଥିଲା ଯାହାକି ବିନା ଫଳକରେ ଗୃହ ନିର୍ମାଣ କରାଯାଇଥିଲା । ତେବେ ଯଦି ଖୋଦ୍ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପରିସରରେ ଗୃହ , କାନ୍ଥ ପାଚେରୀ, ଗାଡ଼ି ଥୋଇବା ଷ୍ଟାଣ୍ଡ ନିର୍ମାଣ କରାଯାଉଛି ଯାହାର କୌଣସି କାର୍ଯ୍ୟସୂଚୀ କିମ୍ବା ଫଳକ ମରାଯାଉନାହିଁ ତେବେ ଏହି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ କରାଯାଉଥିବା ରାସ୍ତା କାର୍ଯ୍ୟରେ ଫଳକ ମରାଯାଉଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ରାଜ୍ୟ ସରକାର ସ୍ୱଚ୍ଛ, ନିର୍ମଳ , ଶାସନ ପାଇଁ ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ଆଦରଣୀୟ ହୋଇପାରିଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିଲା ବେଳେ ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପରିସରରେ । ଯେଉଁଠି ସରକାର ଲୋକମାନଙ୍କ ଜାଣିବା ପାଇଁ ସବୁ ସରକାରୀ କାର୍ଯ୍ୟରେ ରାଜ୍ୟ ରାଜକୋଷରୁ ଟଙ୍କା ଖର୍ଚ୍ଚ କରାଯାଇ ସମସ୍ତ କାର୍ଯ୍ୟମାନର ଫଳକ ମରାଯାଉଛି କିନ୍ତୁ ଏଠି ଏଭଳି ବିନା ଫଳକରେ କାର୍ଯ୍ୟ କାହା ସାହାସରେ କରାଯାଉଛି ତାହା ସାଧାରଣରେ ଅଭିଯୋଗ ହୋଇଛି । ଅପରପକ୍ଷରେ ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଚର୍ତୁପାଶ୍ୱର୍ରେ ଗତ କିଛି ମାସ ହେବ ନୂତନ ପାଚେରୀ କରାଯାଇଥିଲା ବେଳେ ଫୁଣି ସେହି ପାଚେରୀ ମଝିରେ ଆଉ ଏକ ପାଚେରୀ ନିର୍ମାଣର ଆବଶ୍ୟକତା କ’ଣ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ କେତେକ ହାତଗଣତି କର୍ମଚାରୀମାନଙ୍କୁ ନେଇ ଚାଲିଛି ପୁଣି ସେଥିରୁ କିଏ ଆସୁଛି କିଏ ଆସୁନାହିଁ । ତେବେ ଏଠାରେ ପ୍ରଶ୍ନ ଉଠେ ଯେଉଁଠି କର୍ମଚାରୀ ନାହାଁନ୍ତି ସେଠାରେ ଗୃହ ସହ ପାଚେରୀ ର ଆବଶ୍ୟକତା କ’ଣ ରହିଛି ? ନାଁ ଗୃହ ଉପରେ ଗୃହ ନିର୍ମାଣ କରି ସରକାରୀ ରାଜକୋଷରୁ ଟଙ୍କା ଲୁଟିବା ପାଇଁ ମସୁଧା ଚାଲିଛି । ଯାହାର ଭିଜିଲାନସ ତଦନ୍ତ ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି । ଅପରପକ୍ଷରେ ବ ର୍ମାନ ନିର୍ମାଣ କରାଯାଉଥିବା କର୍ମଚାରୀମାନଙ୍କ ପାଇଁ ଗୃହ ରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ବହୁ ସ୍ଥାନରେ କାନ୍ଥ ଫାଟିଯିବା ସହ ନୂତନ ଭାବେ ଲାଗିଥିବା ଝରକା ଓ କବାଟ ମଧ୍ୟ ଫଟା ଲାଗିଥିବାର ଅଭିଯୋଗ ହୋଇଛି । ତେବେ ଏହି ଗୃହ ନିର୍ମାଣ ରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ତେଣୁ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପରିସରରେ ନିର୍ମିତ ନୂତନ ଗୃହର କାର୍ଯ୍ୟସୂଚୀ ଫଳକ ଲଗାଯାଇନଥିବାରୁ ଏହା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗ୍ରାମବାସୀମାନେ ଏହି କାର୍ଯ୍ୟରେ ହୋଇଥିବା ଅନିୟମିତତାର ଦୃଢ ତଦନ୍ତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ଦୃଢ ଦାବି କରିବା ସହ ଏହି ସମସ୍ତ କାର୍ଯ୍ୟର କାର୍ଯ୍ୟସୂଚୀ ଫଳକ ଏବଂ ଭିଜିଲାନସ ତଦନ୍ତ ପାଇଁ ଦାବି କରିଛନ୍ତି ।