ହେଡଲାଇନସ୍:

ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଖେଳ ପଡିଆଓ ଷ୍ଟାଡିୟମ ପାଭିଲିୟନ ନିର୍ମାଣ ଏବଂ ଡାଏରୀ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ।

  • ଗାନ୍ଧି ଷ୍ଟାଡିୟମର ଉନ୍ନତିକରଣ ପାଇଁ 2 କୋଟି 40 ଲକ୍ଷ ଟଙ୍କା ମଞ୍ଜୁର ।

  • ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକ ଠାରେ ଓମଫେଡ ପାର୍ଲୋର ଉଦଘାଟିତ ।

ବଲାଙ୍ଗୀର (ନିରୋଜ ମିଶ୍ର) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ବଲାଙ୍ଗିର ଗସ୍ତକ୍ରମରେ ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଫୁଟବଲ ଖେଳ ପଡିଆ ଓ ଷ୍ଟାଡିୟମ ନିର୍ମାଣ, ଗାନ୍ଧି ଷ୍ଟାଡିୟମଠାରେ ପାଭିଲିୟନ ଓ ଗାଲେରୀ ଏବଂ ବି.କେ.ଏନ୍ ଦୁଗ୍ଧ ୟୁନିୟନ ଡାଏରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ଏହି ଗସ୍ତ ସମୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବଲାଙ୍ଗିରର କ୍ରୀଡା କ୍ଷେତ୍ରରେ ଗୌରବମୟ ଇତିହାସ ରହିଛି । ଖ୍ୟାତନାମା କ୍ରୀଡାବିତ୍ ଆନନ୍ଦିନୀ ଦର୍ଜୀ ଏଠାରେ ଅଭ୍ୟାସ ଆରମ୍ଭ କରିଥିଲେ । ସେ ସମୟରେ ଏହା ଲାଲମାଟି ନାମରେ ପରିଚିତ ଥିଲା । ରାଜ୍ୟ ସରକାର ଜିଲ୍ଲାରେ କ୍ରୀଡା ପାଇଁ ସୁବିଧା ଯୋଗାଇବା ସହ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ଏହି ପ୍ରକଳ୍ପସବୁର ବାସ୍ତବ ରୂପାୟନ ପାଇଁ ଉନ୍ନତିରେ ସାମିଲ ହୋଇ ଯେଉଁଠି ଆନୁଷଙ୍ଗିକ ବ୍ୟବସ୍ଥାରେ ଅଧିକ କାର୍ଯ୍ୟର ଆବଶ୍ୟକତା ରହିଛି ସେ ସମ୍ପର୍କରେ ସମ୍ବଳ ଯୋଗାଇଦେବ । ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ, ବଲାଙ୍ଗିର ଜିଲ୍ଲାପାଳ ଏବଂ ଜିଲ୍ଲା କୀଡା ସଂଘର କର୍ମକର୍ତ୍ତାମାନଙ୍କୁ ଗାନ୍ଧି ଷ୍ଟାଡିୟମକୁ ଏକ ଅତ୍ୟାଧୁନିକ ସୁବିଧା ଥାଇ ଏକ ଜାତୀୟସ୍ତରର ଷ୍ଟାଡିୟମରେ ବିକଶିତ କରିବା ପାଇଁ ଯାହା ଯାହା ଆବଶ୍ୟକତା ରହିଛି, ତାହାର ଏକ ସୁବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଗାନ୍ଧି ଷ୍ଟାଡିୟମର ଉନ୍ନତିକରଣ ପାଇଁ 2 କୋଟି 40 ଲକ୍ଷ ଟଙ୍କା ମଂଜୁର କରିଛନ୍ତି ।
ପୁନଶ୍ଚ ଶ୍ରୀ ତ୍ରିପାଠୀ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେଶ ଅନୁସାରେଭୂତଳ ଚାପ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଜିଲ୍ଲାରେ ବୃହତ ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ଏବଂ ଜଳସେଚନ କ୍ଷମତା 26,500ରୁ 50,000 ହେକ୍ଟରକୁ ବୃଦ୍ଧି କରାଯାଇଛି । ସେ ଆଶା ପ୍ରକାଶ କରିଛନ୍ତି ଯେ, ଡିସେମ୍ବର-2023 ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ।
ଜିଲ୍ଲାପାଳ ଶ୍ରୀ ଚଂଚଳ ରଣା ଅବଗତ କରାଇଥିଲେ ଯେ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଠାରେ ଫୁଟବଳ ଖେଳ ପଡିଆର ଓ ଷ୍ଟାଡିୟମ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦରୁ 1 କୋଟି 99 ଲକ୍ଷ ଟଙ୍କା ପାଣ୍ଠି ବ୍ୟୟ ହେବ । ଏହା ପ୍ରାୟ 4 ଏକର ଜମିରେ ବିକଶିତ ହେବ । ଏହି ଷ୍ଟାଡିୟମ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଆନ୍ତଃ ବିଦ୍ୟାଳୟ ଏବଂ ଆନ୍ତଃ ରାଜ୍ୟ ପ୍ରତିଯୋଗିତରେ ଅଂଶଗ୍ରହଣ ପାଇଁ ଅଭ୍ୟାସ କରିବାରେ ବ୍ୟବହୃତ ହେବ । ସେହିଭଳି ଗାନ୍ଧି ଷ୍ଟାଡିୟମରେ ପାଭିଲିୟନ ପ୍ରକଳ୍ପ ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏଥିପାଇଁ 2 କୋଟି 39 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି , ଯାହାକି ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଖର୍ଚ୍ଚ ହେବ । ଏହି ଷ୍ଟାଡିୟମର ବିକାଶ ପାଇଁ ପୂର୍ବରୁ ଜିଲ୍ଲା କ୍ରୀଡା ଆସୋସିଏସନକୁ ଜମି ଆବଣ୍ଟନ କରାଯାଇସାରିଛି ।

ଡାଏରୀ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ସଂଇତଳା, ଗୁଡଭେଲା ଓ ଦେଓଗାଁ ବ୍ଲକର 30ଟି ଗ୍ରାମର 900ରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ । ଏଥିପାଇଁ 5000 ଲିଟର ଦୁଗ୍ଧ ପ୍ରତିଦିନ କ୍ରୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ 10 ଦିନ ମଧ୍ୟରେ ସେମାନେ ଯୋଗାଉଥିବା ଦୁଗ୍ଧମୂଲ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାରେ ଏବଂ ଅତିରିକ୍ତ କର୍ମନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଆହୁରୀ ମଧ୍ୟ ‘ଆମର ଓମଫେଡ ପାର୍ଲୋର’କୁ ଉଦଘାଟନ କରି ଶ୍ରୀ ତ୍ରିପାଠୀ କହିଲେ ଯେ , ଏହା ପ୍ରକ୍ରିୟାକରଣ କରାଯାଇଥିବା ଦୁଗ୍ଧ ଏବଂ ଦୁଗ୍ଧ ଜାତ ଉତ୍ପାଦର ବଜାର ଚାହିଦା ବୃଦ୍ଧି କରିବା ଲକ୍ଷ୍ୟ ନେଇ ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପ ଜିଲ୍ଲା ପ୍ରଶାସନ ଓ ‘ଆମର ଓମଫେଡ୍’ ସରକାରୀ-ବେସରକାରୀ ସହଭାଗିତାରେ ଆରମ୍ଭ ହୋଇଛି ।
ଜିଲ୍ଲାପାଳ ଶ୍ରୀ ଚଂଚଲ ରଣାଙ୍କ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀ, ଜିଲ୍ଲା ଆଥଲେ୍ଟିକ୍ ଆସୋସିଏସନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ବିଭନ୍ନ ନାଗରିକ ସଂଗଠନ, ବିଭିନ୍ନ ଗୋଷ୍ଠୀଙ୍କୁ ନେତୃତ୍ୱ ଦେଉଥିବା ବ୍ୟକ୍ତିବିଶେଷ, ଯୁବବର୍ଗ ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault