ବିଶ୍ୱ ମ୍ୟାଲେରିଆ ଦିବସ ୨୦୨୨ରେ ଓଡ଼ିଶା ମ୍ୟାଲେରିଆ ଉପରେ ଏକ ଆଲୋକପାତ
ଭୁବନେଶ୍ୱର: ମ୍ୟାଲେରିଆର ବିଲୋପ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଯନ୍ତ୍ରଣା ଏବଂ ମୃତ୍ୟୁ ହ୍ରାସ ଦିଗରେ ଆବଶ୍ୟକ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ଏବଂ ମ୍ୟାଲେରିଆ ନିରାକରଣ ଓ ନିୟନ୍ତ୍ରଣ ଦିଗରେ ନିରନ୍ତର ପୁଞ୍ଜିନିବେଶ ଏବଂ ଦୀର୍ଘସ୍ଥାୟୀ ରାଜନୈତିକ ପ୍ରତିବଦ୍ଧତାର ଆବଶ୍ୟକତା ଉପରେ ଆଲୋକପାତ କରିବାକୁ ପ୍ରତିବର୍ଷ ଏପ୍ରିଲ ୨୫ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ମ୍ୟାଲେରିଆରେ ପରିସମାପ୍ତି ଘଟାଇବା ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଏବଂ ଆମେ ଅସୁସ୍ଥ ହେବାରୁ କିଭଳି ନିଜକୁ ସୁରକ୍ଷା ପ୍ରଦାନ କରିପାରିବା, ସେ ସମ୍ପର୍କରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଭୁବନେଶ୍ୱର ରେଳଷ୍ଟେସନକୁ ଆଲୋକରେ ସଜାଯାଇଛି ।
ବ୍ୟସ୍ତବହୁଳ ଷ୍ଟେସନ ପ୍ଲାଟଫର୍ମରେ ମୁଖ୍ୟ ବାର୍ତ୍ତାଗୁଡିକର ପ୍ରସାର ଦ୍ୱାରା ନ୍ୟାସନାଲ ସେଣ୍ଟର ଫର୍ ଭେକ୍ଟର ବର୍ଣ୍ଣ ଡିଜିଜ କଂଟ୍ରୋଲ (ଏନସିଭିବିଡିସି) ମ୍ୟାଲେରିଆ ନିରାକରଣ, ଚିକିତ୍ସା ଏବଂ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାର ଉପାୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ଲକ୍ଷ୍ୟ ରଖିଛି । ପ୍ଲାଟଫର୍ମରେ ଲାଉଡସ୍ପିକର ଏବଂ ଷ୍ଟେସନ କାନ୍ଥରେ ପ୍ରଦର୍ଶିତ ବାର୍ତ୍ତାଗୁଡିକ ପରିବେଶକୁ ପରିଷ୍କାର ରଖିବା ଏବଂ ପାଣି ଜମିରହିବାକୁ ନଦେବା, ମଶାରୀ ଏବଂ ସ୍ପ୍ରେ ବ୍ୟବହାର କରିବା ଏବଂ ଜ୍ୱର ହେଲେ ରକ୍ତ ପରୀକ୍ଷା ସହିତ ପୂର୍ଣ୍ଣାଙ୍ଗ ଚିକିତ୍ସା କରାଇବା ଭଳି ଜନସାଧାରଣଙ୍କ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରୁଛି ।
ପାରମ୍ପରିକ ଭାବରେ ଓଡ଼ିଶାରେ ଅଧିକ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ରହିଆସିଛି, କିନ୍ତୁ ୨୦୧୬ରୁ ୨୦୨୧ ମଧ୍ୟରେ ଏଥିରେ ଆକ୍ରାନ୍ତ ହେବା ଘଟଣା ୯୪% ହ୍ରାସପାଇଛି । ଦୀର୍ଘସ୍ଥାୟୀ କୀଟନାଶକଯୁକ୍ତ ମଶାରୀ (ଏଲଏଲଆଇଏନ) ଭଳି ସମ୍ପୂର୍ଣ୍ଣ ନୂତନ ସମାଧାନକୁ ଏଥିପାଇଁ ଧନ୍ୟବାଦ ଦେବାକୁ ହେବ ଏବଂ ସୀମାନ୍ତ ଅଞ୍ଚଳଗୁଡିକରେ ସରକାର ସମୁଦାୟ ରାଷ୍ଟ୍ରକୁ ତାହାର ମ୍ୟାଲେରିଆ ବିଲୋପ ଲକ୍ଷ୍ୟ ହାସଲ ଦିଗରେ ଆଗେଇନେବାରେ ସମର୍ଥ କରାଇଛି । ବିଶ୍ୱସ୍ତରୀୟ ଲକ୍ଷ୍ୟ ହାସଲ ନିମନ୍ତେ ଭେକ୍ଟର ବାହିତ ରୋଗ ନିରାକରଣ ଦିଗରେ ଉଲ୍ଲେଖନୀୟ ଭାବର ବୃହତ୍ ପଦକ୍ଷେପ ନେଇ ୨୦୧୯ରୁ ୨୦୨୦ ମଧ୍ୟରେ ଭାରତ ସମଗ୍ର ଦେଶରେ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୫୦% ହ୍ରାସ କରିପାରିଛି ।
“ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଭେକ୍ଟର ନିୟନ୍ତ୍ରଣ ଏକ ଚାଲେଞ୍ଜ ସୃଷ୍ଟି କରିଛି । ଏଲଏଲଆଇଏନ୍ର ବ୍ୟାପକ ବ୍ୟବହାର ଭଳି ନୂତନ ଭେକ୍ଟର ନିୟନ୍ତ୍ରଣ ପଦକ୍ଷେପ ସହିତ ଔଷଧ ଏବଂ ଟିକା କ୍ଷେତ୍ରରେ ନବସୃଜନ ସାମ୍ପ୍ରତିକ ସମୟର ଆବଶ୍ୟକତା ହୋଇଛି । ଏତଦ୍ବ୍ୟତୀତ ପରିବେଶ ଇଞ୍ଜିନିୟରିଂ ଓ ଗ୍ରାମାଞ୍ଚଳ ବାସଗୃହ ନିର୍ମାଣ କ୍ଷେତ୍ରରେ ନବୋନ୍ମେଷ ସହିତ ଆନ୍ତଃ କ୍ଷେତ୍ରସ୍ତରୀୟ ସହଯୋଗ ମଧ୍ୟ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବ,” ବୋଲି ଡା.ଶୁଭାଶିଷ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟସେବା, ନ୍ୟାସନାଲ ଭେକ୍ଟର ବର୍ଣ୍ଣ ଡିଜିଜ କଂଟ୍ରୋଲ ପ୍ରୋଗ୍ରାମ (ଏନଭିବିଡିସିପି) କହିଛନ୍ତ୍ି ।
ଓଡ଼ିଶା ଭଳି ରାଜ୍ୟରେ ଯେଉଁଠାରେ ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ପହଞ୍ଚ କ୍ଷେତ୍ରରେ ଚାଲେଞ୍ଜ ରହିଛି, ବିଶେଷକରି କୋଭିଡ-୧୯ ମହାମାରୀରୁ ପୁନରୁଦ୍ଧାର ସମୟରେ ବିଭିନ୍ନ ସମସ୍ୟା ଲାଗରହିଛି, ଉକ୍ତ ରାଜ୍ୟ ମଧ୍ୟ ଦେଶରେ ମ୍ୟାଲେରିଆର ଭାରି ବୋଝ ବହନ କରୁଛି । ମ୍ୟାଲେରିଆରୁ ଆମ ନିଜକୁ ସୁରକ୍ଷିତ ରଖିବାର ଗୁରୁତ୍ୱ ସମ୍ପର୍କରେ ଜନସଚେତନତାରେ ବୃଦ୍ଧି ଘଟାଇ ଏବଂ ମ୍ୟାଲେରିଆଜନିତ ଅସୁସ୍ଥତା ଓ ମୃତ୍ୟୁ ଏଡାଇବାକୁ ମୁଖ୍ୟ ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୦୩୦ ସୁଦ୍ଧା ଭାରତରୁ ମ୍ୟାଲେରିଆ ନିରାକରଣ କରିବା ଅଭିଯାନକୁ ବେଗଗାମୀ କରାଇବା ଆଶା ରଖିଛି ।








