ଭୁବନେଶ୍ୱର- ରାଜ୍ୟର ୩୦ଲକ୍ଷ ପରିବାର ୬୦ ହଜାର କୋଟି ଟଙ୍କାର ଚିଟ୍ଫଣ୍ଡ ଲୁଟ ସ୍କାମ୍ରେ ସିବିଆଇର ସଂଦେହ ଜନକ ଶିଥିଳତା, ପାରଦ୍ୱୀପ ବନ୍ଦରର ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ଓ ନିଳାଚଳ ଇସ୍ମାତନିଗମ ବିକ୍ରି ଭଳି ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିଜେଡ଼ି ଓ ବିଜେପିକୁ କଡ଼ାଟାର୍ଗେଟ କରିଛି କଂଗ୍ରେସ ।
ଆଜି କଂଗ୍ରେସ ଭବନରେ ଚଳିତ ପଂଚାୟତ ନିର୍ବାଚନ ପାଇଁ ସରକାରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ ସମାରୋହରେ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ତଥା ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ବିଜେଡ଼ି ଓ ବିଜେପି ଭିତରେ ଅଘୋଷିତ ମେଂଟ ଅଛି । ବିଜେଡ଼ି ରାଜ୍ୟରେ ଆନ୍ଦୋଳନ କରେ କିନ୍ତୁ ଦିଲ୍ଲୀରେ ଚୁପ । ରାଜ୍ୟ ବିଜେପି ବିଭିନ୍ନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରେ ରାଜ୍ୟରେ କିନ୍ତୁ ଦିଲ୍ଲୀରେ ଏମାନଙ୍କ ମୁହଁ ମଧ୍ୟ ବନ୍ଦ । ଲୋକଦେଖାଣିଆ ଭାବେ ପରସ୍ପର ବିରୋଧରେ ଲଢ଼ୁଥିଲେ ମଧ୍ୟ ଏମାନଙ୍କ ଭିତରେ ଭିତରି ସଂପର୍କ ରହିଛି । ନହେଲେ ପାରାଦ୍ୱୀପ ବନ୍ଦର ବ୍ଲାକରୋଜ ବୁଡ଼ି ଘଟଣା ଓ ଚିଟ୍ଫଣ୍ଡ ସ୍କାମର ସିବିଆଇ ତଦନ୍ତରେ ଶିଥିଳତା ଏହାର ବଳିଷ୍ଠ ପ୍ରମାଣ । ନବୀନ ସରକାରର ୨୨ ବର୍ଷରେ ୨୨ କଳାକାରନାମାର ଏକ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ ।
ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ ଚିଟ୍ଫଣ୍ଡ ସ୍କାମରେ ଶାସକ ବିଜେଡ଼ି ଦଳର ୨୭ ବିଧାୟକ ଓ ୪ଜଣ ମନ୍ତ୍ରୀ ସଂପୃକ୍ତ । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏଭଳି ବହୁ ସ୍ପର୍ଷକାତର ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଜନସଚେତନତା ଜାଗ୍ରତ କରି କଂଗ୍ରେସ ସପକ୍ଷରେ ଜନମତ ଆଣିବ ବୋଲି ଶ୍ରୀ ରାଉତରାୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ପିସିସି ଉପସଭାପତି ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ମୁଖପାତ୍ର ମନୋରଞ୍ଜନ ଦାଶ ,ଶାନ୍ତନୁ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ
- Hits: 506