ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ଗତକାଲି ସରକାରୀ ଚାକିରୀରୁ 5 ଜଣ ଅଧିକାରୀ ଏବଂ କର୍ମଚାରୀଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅଧିକାରୀ ଡଃ.ଉମାକାନ୍ତ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ଅତିରିକ୍ତ ରଚନା ଅଧିକାରୀ ଡଃ. ପ୍ରଶାନ୍ତ କୁମାର ପ୍ରହରାଜ, ଟିଭି ୟୁନିଟର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ବିଭାଗର ଅନ୍ୟ ଦୁଇ କର୍ମଚାରୀ ଶ୍ରୀ ମାଗନ୍ତା ବେହେରା ଓ ସତ୍ୟାନନ୍ଦ ବିଶ୍ୱାଳ ଗତକାଲି ଅବସରଗ୍ରହଣ କରିଥିଲେ।
ବିଭାଗର କର୍ମଚାରୀ କଲ୍ୟାଣ କମିଟି ତରଫରୁ ଆଜି ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ସଭାରେ ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ)ଶ୍ରୀ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସଂପାଦକ ଡଃ.ଲେନିନ୍ ମହାନ୍ତି, ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ଅବସରଗ୍ରହଣ କରିଥିବା ଉପରୋକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ଏବଂ ନିଷ୍ଠାର ସହ ସେମାନେ କିପରି ନିଜ ନିଜ ସ୍ତରରେବିଭାଗ ତଥା ସରକାରୀ କାର୍ଯ୍ୟ ସୁଚାରୁରୂପେସମ୍ପାଦନ କରିଥିଲେ, ସେ ସମ୍ପର୍କରେ ପ୍ରକାଶ କରିଥିଲେ । ଉପ ନିର୍ଦ୍ଦେଶକ ପାହ୍ୟାରେ ଅବସ୍ଥାପିତ ରହି ଅବସରଗ୍ରହଣ କରିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅଧିକାରୀ ଡଃ. ମହାପାତ୍ର ତାଙ୍କ ବକ୍ତବ୍ୟରେ ବିଭାଗୀୟ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଓ ପ୍ରଯତ୍ନର ସହ କରି ବିଭାଗର ସୁନାମ ବଜାୟ ରଖିବା ଏବଂ ଓଡିଶା ସୂଚନା ସେବା ପାହ୍ୟାର ଅଧିକାରୀମାନଙ୍କର କ୍ୟାଡର ପୁନର୍ଗଠନ କ୍ଷେତ୍ରରେ ତାଙ୍କର ସକ୍ରିୟ ଯୋଗଦାନ ସଂପର୍କରେ ତାଙ୍କର ଅଭିଜ୍ଞତା ଓ ଅଭିବ୍ୟକ୍ତି ପ୍ରକାଶ କରିଥିଲେ ।
ସେହିପରି ଅବସରଗ୍ରହଣ କରିଥିବା ଟିଭି ୟୁନିଟର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମହାନ୍ତିଙ୍କର ପ୍ରତିଦିନ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଦୃଶ୍ୟଶ୍ରାବ୍ୟ ସଂଗ୍ରହ ଓ ବିଭିନ୍ନ ଗଣମାଧ୍ୟମକୁ ପ୍ରେରଣ କରିବାଠାରୁ ଆରମ୍ଭ କରି କୋଭିଡ୍ ସ୍ଥିତିରେ ଲାଇଭ୍ କମନ ଫିଡ୍ ଓ ରଥ ଯାତ୍ରା ସମୟରେ ସିଧାପ୍ରସାରଣ କାର୍ଯ୍ୟରେ ତାଙ୍କର ସଂଯୋଜନା ଉଲ୍ଲେଖନୀୟ ରହିଥିଲା । ସହକାରୀ ରଚନା ଅଧିକାରୀ ଶ୍ରୀ ପ୍ରହରାଜ ଓ ଅନ୍ୟ କର୍ମଚାରୀ ଦ୍ୱୟ ମଧ୍ୟ ବିଭାଗ ପ୍ରତି କିପରି ନିଷ୍ଠା ଓ ଅନୁରକ୍ତିର ସହ କାର୍ଯ୍ୟ ସଂପାଦନ କରିଥିବା ସଂପର୍କରେ କରି ନିଜ ନିଜର ଅନୁଭୂତି ବଖାଣିଥିଲେ ।ବିଭାଗର ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଗୀତା, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରି ସମସ୍ତଙ୍କର ଅବସରକାଳୀନ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ ।
ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ଯୁଗ୍ମ ଶାସନ ସଚିବ, ସମସ୍ତ ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଓ ଅନ୍ୟ ସମସ୍ତ ବରିଷ୍ଠ ପଦାଧିକାରୀ, ଉପ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ୍ କଟକଣା ମଧ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି, ଗତକାଲି ସୂଚନା ଓ ଲୋକସମ୍ପର୍କ କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ଷଡଙ୍ଗୀ ମଧ୍ୟ ଅବସରଗ୍ରହଣ କରିଥିଲେ ଓ ଏହି ପରିପ୍ରେକ୍ଷୀରେ ଏକ କଟକ ଜିଲ୍ଲା ପ୍ରଶାସନ ତରଫରୁ କଟକରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରାଜ୍ୟ
ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା
- Hits: 402