ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : କଟକ - ଚାନ୍ଦବାଲି ରାସ୍ତା ପାଶ୍ୱର୍ ନିଶ୍ଚିନ୍ତକୋଇଲି ବ୍ଲକ ବାହାବଳପୁର ଛକଠାରେ ବୁଧବାର ରାତିରେ ତରବରିଆ ଭାବେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଖୋଲାଯାଇଛି । ଗୁରୁବାରଦିନ ସକାଳୁ ସ୍ଥାନୀୟ ବାହାବଳପୁର ଗ୍ରାମର ଲୋକମାନେ ଏହାକୁ ଦେଖି ତୀବ୍ର ବିରୋଧ କରିବା ସହିତ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ରାଜରାସ୍ତାରେ ଆନେ୍ଦାଳନ କରିଛନ୍ତି । ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ କଟକ - ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ବନ୍ଦ୍ କରିଥିବାରୁ ବହୁ ଗାଡି ମଟର ଦୀର୍ଘ ସମୟ ଅଟକି ରହିବା ସହ ସାଧାରଣରେ ଯାତାୟାତରେ ସମସ୍ୟା ଉପୁଜିଥିଲା । ଏଠାରେ ଖୋଲାଯାଇଥିବା ମଦ ଦୋକାନଟିର ସରକାରୀ ଲାଇସେନ୍ସ ଏହି ସ୍ଥାନର ହୋଇନଥିବାରୁ କାହା ସ୍ୱାର୍ଥରେ ହଠାତ୍ ଏଠି ମଦଦୋକାନ ଖୋଲାଯାଇଛି ସେ ନେଇ ଗ୍ରାମବାସୀମାନେ ପ୍ରଶ୍ନକରିଛନ୍ତି । ମଦଦୋକାନ ଖୋଲାଯାଇଥିବା ନିକଟରେ ଏକ ବେସରକାରୀ ଡାକ୍ତରଖାନା, ଛାତ୍ରୀ ନିବାସ, ଜନବସତି ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଏକ ବଡ ବସ୍ତି ରହିଛି । ମଦ ଦୋକାନ ଖୋଲା ହେଉ ହେଉ ସ୍ଥାନୀୟ ଗ୍ରାମର ଜନୈକ ଯୁବକ ମଦ୍ୟପାନ କରି ଅଚେତ ଅବସ୍ଥାରେ ସକାଳୁ ସେହି ଦୋକାନ ସମ୍ମୁଖରେ ପଡିଥିବା ଦେଖି ଗ୍ରାମାବାସୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା । ପୂର୍ବରୁ ଏଠାରେ ମଦ ଦୋକାନ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲେ ମଧ୍ୟ ସ୍ଥାନୀୟ ଆଇ ଆଇ ସି, ତହସିଲଦାର, ଜିଲ୍ଲାପାଳ, ଅବକାରୀ କମିଶନର, ଅବକାରୀ ମନ୍ତ୍ରୀ ସର୍ବପରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନ ଖୋଲିବା ପାଇଁ ଅଭିଯୋଗ ମଧ୍ୟ କରାଯାଇଥିଲା । ଏପରିକି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କୌଣସି ପରିସ୍ଥିତିରେ ଏଠାରେ ମଦ ଦୋକାନ ଖୋଲଯାଇ ପାରିବ ନାହିଁ ବୋଲି ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏତେ ସବୁ ଘଟଣା ହେବାପରେ କାହା ସାହସରେ ଏଠାରେ ମଦ ଦୋକାନ ଖୋଲାଯାଇଛି ସେ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି । ତୁରନ୍ତ ଏଠାରେ ମଦ ଦୋକାନ ଉଚ୍ଛେଦ ପାଇଁ ଦାବି ହୋଇଛି । ଖବର ପାଇ ଆଇଆଇସି ଚିନ୍ମୟୀ ସାହୁ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନରର ନେତୃତ୍ୱ ନେଉଥିବା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, ସ୍ଥାନୀୟ ସରପଂଚ ତିଲୋତ୍ତମା ରାଉତ ଓ ଯୁବନେତା ଜ୍ଞାନରଂଜନ ରାଉତଙ୍କ ସହିତ ଆଲୋଚନା କରିଥିଲେ । ଏଠାରେ ମଦ ଦୋକାନକୁ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ସହିତ ଆଇ ଆଇ ସି ଆଲୋଚନା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ରାଜ୍ୟ
ବାହାବଳପୁର ଛକଠାରେ ଗ୍ରାମବାସୀଙ୍କ ଧାରଣା ପରେ ମଦ ଦୋକାନ ବନ୍ଦ କଲା ପ୍ରଶାସନ
- Hits: 340