ସୁନ୍ଦରଗଡ଼ - କାଶ୍ମୀରରୁ 4 ଲକ୍ଷ ପଣ୍ଡିତଙ୍କ ନିର୍ବାସନ ଘଟଣାକୁ ଆଜି 32 ବର୍ଷ ପୁରିଥିବା ବେଳେ ତାଙ୍କୁ ପୁନଃ ଥଇଥାନ ନିମନ୍ତେ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ | ତାସହିତ ପ୍ରତ୍ୟେକ କାଶ୍ମୀର ପଣ୍ଡିତଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା ସଙ୍ଗେସଙ୍ଗେ ତାଙ୍କର ଉପଯୁକ୍ତ ଜୀବନଧାରଣ ତଥା ସାମାଜିକ ସୁରକ୍ଷା ନିମନ୍ତେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି | ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ନିର୍ବାସିତ 4 ଲକ୍ଷ କାଶ୍ମୀର ପଣ୍ଡିତଙ୍କ ଦୁଃଖ ଓ ଯାତନାମୟ ଜୀବନ କାହାଣୀ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିବା ବେଳେ ହିନ୍ଦୁ ହୋଇଥିବା ଯୋଗୁଁ ନିଜ ଦେଶରେ ସେମାନେ କେମିତି ଶରଣାର୍ଥୀ ହୋଇଗଲେ ସେ ସମ୍ୱନ୍ଧରେ ଗୋଟି ଗୋଟି ତଥ୍ୟ ଉପସ୍ଥାପନ କରିଛନ୍ତି | ତାଙ୍କ ଚିଠିରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ, ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା ହତ୍ୟା ଓ ବଳାତ୍କାରର ଶିକାର ହୋଇ ଜୀବନ ବ୍ୟାକୁଳରେ ସେଦିନ କାଶ୍ମୀର ଘାଟୀରୁ 4 ଲକ୍ଷ ହିନ୍ଦୁ ନିଜର ଧନ ସମ୍ପତ୍ତି କୋଠାବାଡି ଛାଡି ଚାଲି ଆସିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଦେଶର ବିଭିନ୍ନ ଭାଗରେ ଶରଣାର୍ଥୀ ହୋଇ ଜୀବନ ଅତିବାହିତ କରୁଛନ୍ତି | ତେବେ ଗଣତନ୍ତ୍ରକୁ ପରିହାସ କରୁଥିବା ଏହି ଘଟଣାକୁ ଆଜି 32 ବର୍ଷ ପୁରିଥିଲେ ମଧ୍ୟ ସେମାନଙ୍କ ଦୁଃଖ ଓ ଦରଦ ଶାସନତନ୍ତ୍ରର ଦୃଷ୍ଟି ଅଢୁଆଳରେ ରହିଯାଇଛି | ସଂସଦ ଠାରୁ ସମ୍ବିଧାନ ଯାଏ ସବୁଠି ସେମାନେ ହୋଇଛନ୍ତି ଅଲୋଡ଼ା ଓ ଅଣଦେଖା | ତେଣୁ ନିଜ ଭିଟା ମାଟିରେ ଶରଣାର୍ଥୀ ହୋଇ ଅଭିଶପ୍ତ ଜୀବନ ଅତିବାହିତ କରୁଥିବା 4 ଲକ୍ଷ କାଶ୍ମୀର ପଣ୍ଡିତଙ୍କୁ ପୁନଃ ଥଇଥାନ କରିବା ସହିତ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବାକୁ ଭିଏଚପି ନେତା ଶ୍ରୀ କୁସୁମ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ ରଖିଛନ୍ତି |
ରାଜ୍ୟ
କାଶ୍ମୀର ପଣ୍ଡିତଙ୍କୁ ପୁନଃ ଥଇଥାନ କରାଯାଉ - କୁସୁମ
- Hits: 692