ହେଡଲାଇନସ୍:

ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ବ ହେବ ଜରାଜୀର୍ଣ୍ଣ ଗୃହ ମଧ୍ୟରେ ଚାଲିଛି ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସା କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନୂତନ ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ପୋଲିସ ବିଭାଗ ର ଜବରଦଖଲ ଯୋଗୁଁ କାର୍ଯ୍ୟ ଆରମ୍ଭରେ ଶିଥିଳତା

  •  ପୋଲିସ ବିଭାଗର ଜବରଦଖଲକୁ ଉଚ୍ଛେଦ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଗୋଚାଷୀମାନଙ୍କ ଦାବି

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : :-ଦୀର୍ଘ ୫୦ବର୍ଷରୁ ଉର୍ଧ୍ଵ ହେବ ଏକ ଜରାଜୀର୍ଣ୍ଣ ଗୃହ ମଧ୍ୟରେ ଚାଲିଛି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ । ଯେଉଁ ପ୍ରାଣୀ ଚିକିତ୍ସାଳୟ ଉପରେ ଏହି ବ୍ଲକ ଅଂଚଳର ୩୮ ଟି ପଂଚାୟତ ର ଗୋପାଳକ, ଛେଳିମେଣ୍ଢା ପାଳକ, କୁକୁଡା ଫାର୍ମ ଏବଂ ଅନ୍ୟାନ୍ୟ ପ୍ରାଣୀ ପାଳକମାନେ ନିର୍ଭର କରିଥାନ୍ତି । ମୋଟ ୪୫ହଜାରରୁ ଉଦ୍ଧ୍ୱର୍ ବୃହତ୍ ପ୍ରାଣୀ ଓ ୩୫ହଜାରରୁ ଉଦ୍ଧ୍ୱର୍ କ୍ଷୁଦ୍ର ପ୍ରାଣୀ ଚିକିତ୍ସା ନିମନ୍ତେ ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ଏହି ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ଗୃହର ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏଠାରେ ସଠିକ ଭାବରେ ଅଫିସ କାର୍ଯ୍ୟ ମଧ୍ୟ କରିହେଉନାହିଁ । ଏହି କାର୍ଯ୍ୟାଳୟଟି ମୁଖ୍ୟ ରାସ୍ତା ଠାରୁ ବହୁ ଖାଲରେ ରହିଥିବାରୁ ଟିକିଏ ବର୍ଷା ହେଲେ ଅଫିସ ମଧ୍ୟକୁ ବର୍ଷା ଜଳ ପ୍ରବେଶ କରିବା ସହ ବିଭିନ୍ନ ପ୍ରକାର ସରୀଶୃପ ମଧ୍ୟ ପଶିଯାଇଥାନ୍ତି । ଅପରପକ୍ଷରେ ବହୁ ବର୍ଷ ହୋଇଯାଇଥିବାରୁ ଏହି ପ୍ରାଣୀ ଚିକିତ୍ସାଳୟ ଘରର ଛାତରୁ ଟିକିଏ ବର୍ଷା ହେଲେ ପାଣି ଝରୁଥିବାବେଳେ କାନ୍ଥ ଗୁଡିକ ଅତ୍ୟନ୍ତ ଦୁର୍ବଳ ହୋଇପଡିଲାଣି । ଯେଉଁଥି ପାଇଁ ପ୍ରାଣୀ ଚିକିତ୍ସାଳୟ କର୍ମକ ।ର୍ମାନେ ଏବଂ ଗୋଚାଷୀ ମାନେ ମଧ୍ୟ କାର୍ଯ୍ୟାଳୟକୁ ଯିବା ପାଇଁ ସୁରକ୍ଷିତ ମଣୁନାହାଁନ୍ତି । ଏପରି ସ୍ଥଳେ ଗୋପାଳକ, ଛେଳିମେଣ୍ଢା ପାଳକ, କୁକୁଡା ଫାର୍ମ ଚାଷୀ ଏବଂ ଅନ୍ୟାନ୍ୟ ପ୍ରାଣୀ ପାଳକମାନଙ୍କ ଦୁଃଖ ବୁଝିପାରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର କାର୍ଯ୍ୟାଳୟର ଏକ ନୂତନ ଗୃହ ନିର୍ମାଣ ପାଇଁ ରାଜ୍ୟ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଥିଲା । ଏହି ନୃତନ ଗୃହ ନିର୍ମାଣ କରିବା ନିମନ୍ତେ ୬୪ଲକ୍ଷ ଟଙ୍କା ରୁ ଉର୍ଧ୍ଵ ଟଙ୍କା ମଞ୍ଜୁର କରାଯାଇଛି । ଟେଣ୍ଡର ମାଧ୍ୟମରେ ଗୃହ ନିର୍ମାଣ କାର୍ଯ୍ୟ କରିବା ପାଇଁ ଓଡିଶା କନ୍ଷ୍ଟ୍ରକ୍ସନ୍ କର୍ପୋରେସନ୍ କୁ ଦାୟିତ୍ୱ ଦିଆଯାଇଛି । ଏପରିକି ମନ୍ତ୍ରୀ ଶ୍ରୀ ଜେନା ଏହି ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ପରିଦର୍ଶନରେ ଆସି ଏହାର ସ୍ଥିତି ଦେଖିବା ପରେ ତୁରନ୍ତ ନୂତନ ଗୃହ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନୂତନ ଗୃହଟିି ନିର୍ମାଣ କରାଯିବା ପାଇଁ ତିନି ହଜାର ବର୍ଗଫୁଟ୍ ବିଶିଷ୍ଟ ଘର ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ପୁରୁଣା କାର୍ଯ୍ୟାଳୟକୁ ନଭାଙ୍ଗି ଏହାର ପାଶ୍ୱର୍କୁ ଲାଗି ରହିଥିବା ଜମିରେ ଗୃହ ନିର୍ମାଣ କରିବା ପାଇଁ ସ୍ଥିର ହୋଇଥିଲା । ନିର୍ମାଣକାରୀ କମ୍ପାନୀର ଯନ୍ତ୍ରୀମାନେ ଆସି ଜାଗା ପରିଦର୍ଶନ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ସମସ୍ତ ବନ୍ଦୋବସ୍ଥ ମଧ୍ୟ କରିଥିଲେ । ହେଲେ ପୋଲିସ ହାଉସିଂ କର୍ପୋରେସନ୍ ପ୍ରାଣୀ କାର୍ଯ୍ୟାଳୟ ର ୪ହଜାରରୁ ଉର୍ଧ୍ଵ ବର୍ଗଫୁଟ୍ ଜାଗାକୁ ପାଚେରୀ ବୁଲାଇ ଜବରଦଖଲ କରି ରଖିଥିବାରୁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଗତ ଅଗଷ୍ଟ ମାସରୁ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ହୋଇଥିଲେ ମଧ୍ୟ ଇତି ମଧ୍ୟରେ ୬ମାସ ବିତିଗଲାଣି ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବାରୁ ପ୍ରାଣୀମାନଙ୍କ ଚିକିତ୍ସା ସେବାରେ ବାଧକ ସୃଷ୍ଟି ହେଉଛି | ଏହି କାରଣରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଖୁବ୍ ଶୀଘ୍ର ପୋଲିସ ବିଭାଗ ତରଫରୁ ଏହି ଜବରଦଖଲକୁ ଉଚ୍ଛେଦ କରାଯାଇ ତୁରନ୍ତ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସାଧାରଣରେ ଦୃଢ ଦାବି ହୋଇଛି ।

0
0
0
s2sdefault