ରାଉରକେଲା (ବସନ୍ତ ଜେନା): ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ରାଉରକେଲା ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର । ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ ଫିଲାନଥ୍ରପିକ୍ ସଂସ୍ଥା ପକ୍ଷରୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ସହିତ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ସହାୟତା ଓ ପରାମର୍ଶ ଯୋଗାଇ ଦିଆଯିବ ।
ଏହି ପ୍ରତିଯୋଗିତାରେ ସାମିଲ ହୋଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଉରକେଲା ସହରର ଛେଣ୍ଡ୍ଠାରେ ଏକ ୫ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି । ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସେଠାରେ ସଂରକ୍ଷଣ କରିପାରୁଛନ୍ତି । ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ସେମାନଙ୍କ ଜୀବିକା କରିପାରିଛନ୍ତି । ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରିଛି ।
‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ରେ ମୋଟ ୯୯ଟି ଦେଶ ଭାଗ ନେଇଥିଲେ । କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାରକରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ପ୍ରଥମ ଦଫାରେ ରାଉରକେଲା ସହିତ ୫୦ଟି ସହର ମନୋନୀତ ହୋଇଥିଲେ । ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ରାଉରକଲୋ ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇ ଏକ ନୂଆ ଉଚ୍ଚତାକୁ ଯାଇ ପାରିଛି ।ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ନିଗମର କର୍ମକର୍ତ୍ତା ଏବଂ ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟ
‘ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ଚୂଡ଼ାନ୍ତ ତାଲିକାରେ ରାଉରକେଲା
- Hits: 351