ହେଡଲାଇନସ୍:

ନଗର କୀର୍ତ୍ତନର ତାଳେ ତାଳେ ବିଦାୟ ନେଲେ ଟୁସୁଦେବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼- ମକର ସଂକ୍ରାନ୍ତି ଠାରୁ ଲାଠିକଟା ବ୍ଲକ ଅନ୍ତର୍ଗତ ଜଳଦା ସି ବ୍ଲକରେ ପୂଜା ପାଉଥିବା କୁଡୁମୀ ସମ୍ପ୍ରଦାୟର ଆରାଧ୍ୟା ଠାକୁରାଣୀ ଟୁସୁଦେବୀ ଆଜି ମେଲାଣି ନେଇଛନ୍ତି | ଆଜି ଅପରାହ୍ନରେ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ଘରକୁ ଘର ନଗର କୀର୍ତ୍ତନ କରି ଟୁସୁଦେବୀଙ୍କୁ ବିଦାୟ ଦେଇଛନ୍ତି | ଆଜି ନଗର କୀର୍ତ୍ତନ କରି ବିଦାୟ ଦେଲାବେଳେ କଲୋନୀରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମୁଖ ମଣ୍ଡଳରେ ଏକ ବିରହ ଓ ବେଦନାର ଭାବ ସ୍ପଷ୍ଟ ରୂପେ ବାରି ହୋଇ ପଡୁଥିଲା | ଏଠାରେ ସୂଚନା ଯେ, ସବୁ ପାର୍ବଣ ଭଳି ଟୁସୁଦେବୀଙ୍କ ପୂଜା ଉତ୍ସବର ମଧ୍ୟ ଏକ ସ୍ୱତନ୍ତ୍ର କିମ୍ୱଦନ୍ତୀ ରହିଛି | ଯଦିଓ ଏହାର କୌଣସି ତସ୍ତାବେଜ ଉପଲବ୍ଧ ନାହିଁ, ତେବେ ଲୋକକଥା ଓ ଧାର୍ମିକ ବିଶ୍ୱାସ ଅନୁସାରେ ମୋଗଲ ଶାସକ ଆଲ୍ଲାହୁଦିନ ଖିଲିଜିର ଶାସନ ସମୟରେ ଝାରଖଣ୍ଡ ଛୋଟ ନାଗପୁର ଅଞ୍ଚଳର ଏକ ନିପଟ ଗାଁ ରେ ବସବାସ କରୁଥାନ୍ତି ଏକ ହିନ୍ଦୁ ପରିବାର | ଟୁସୁମୁନୀ ନାମରେ ତାଙ୍କର ଏକ ଝିଅ ଥାଏ | ଗରିବ କୁଡ଼ିଆରେ ଜନ୍ମ ହୋଇଥିଲେ ମଧ୍ୟ ଟୁସୁମୁନି ଦେଖିବାକୁ ଥାଏ ବହୁତ ସୁନ୍ଦର | ସତେ ଯେପରି ରାଜକୁମାରୀ ଟିଏ | ଖାଲି ସୁନ୍ଦର ନୁହେଁ ତ ପିଲା ଟି ଦିନରୁ ସେ ବହୁତ ସଂସ୍କାରି, ସ୍ୱାଭିମାନୀ ଓ ଧର୍ମପ୍ରେମୀ ମଧ୍ୟ ଥାଏ | ସେଥିପାଇଁ ଝିଅ ଟୁସୁମନୀଙ୍କୁ ନେଇ ମାଆ ବାପା ମଧ୍ୟ ବହୁତ ଗର୍ବିତ ଥାନ୍ତି | ସତେ ଯେମିତି ଅନ୍ଧକାର ସ୍ୱରୂପ କୁଡ଼ିଆରେ ଆଶାର କିରଣ ଟିଏ ଥାଏ ଟୁସୁମୁନି | ତେବେ ସବୁକିଛି ଠିକଠାକ ଚାଲିଥିବା ବେଳେ ହଠାତ ଦିନେ ଆଲ୍ଲାହୁଦିନର ନଜର ପଡେ ଟୁସୁମୁନିଙ୍କ ଉପରେ | ସେ ତାକୁ ରାଣୀ କରିବାକୁ ଚାହେଁ ଏବଂ ତାର ସୈନ୍ୟ ସାମନ୍ତଙ୍କୁ ନିର୍ଦେଶ ଦିଏ କୌଣସିମତେ ଟୁସୁମୁନିଙ୍କୁ ରାଜଉଆଁସକୁ ନେଇ ଆସିବା ପାଇଁ |ଏ ଖବର ପାଇଲା ପରେ ବିଚଳିତ ହୋଇପଡନ୍ତି ବାପା ମାଆ, ବିଚଳିତ ହୋଇପଡେ ଟୁସୁମୁନିଙ୍କ କଁଅଳ ହୃଦୟ | ତାପରେ ଆଲ୍ଲାହୁଦିନର କବଳରୁ ରକ୍ଷା ପାଇବା ପାଇଁ ଝିଅକୁ ଧରି ବଣ ଜଙ୍ଗଲରେ ଲୁଚି ରୁହନ୍ତି ବାପା ମାଆ | ତେବେ ଆଲ୍ଲାହୁଦିନର ସୈନ୍ୟସାମନ୍ତ ସହିତ ଦୀର୍ଘ ଦିନର ଲୁଚକାଲି ଖେଳ ପରେ ଯେତେବେଳେ ନିଜକୁ ରକ୍ଷା କରିବାର ସବୁ ବିକଳ୍ପ ଶେଷ ହୋଇଯାଏ, ଶେଷରେ ନିଜ ଧର୍ମ ଓ ସତୀତ୍ୱକୁ ରକ୍ଷାକରିବା ପାଇଁ ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ନଦୀରେ ଝାସ ଦିଏ ଟୁସୁମୁନୀ |ଟୁସୁମନୀ ହେଉଛନ୍ତି ଏଭଳି ଏକ ଚରିତ୍ର ଯିଏ ବିଧର୍ମୀ ହାତରେ ନିଜ ସତୀତ୍ୱକୁ ଲୁଟ କରିବା ଅପେକ୍ଷା ଯିବନ ହାରିଦେବା ଟାକୁ ଅଧିକ ଶ୍ରେୟସ୍କର ମନେ କରିଛନ୍ତି | ଅର୍ଥାତ ଜୀବନ ଠାରୁ ମଧ୍ୟ ଧର୍ମ ଓ ସତୀତ୍ୱ ଯେ ଜଣେ ନାରୀ ପାଇଁ ଅଧିକ ମୂଲ୍ୟବାନ ସେ ଏକଥାକୁ ନିଜ ଆଚରଣରେ ପ୍ରଦର୍ଶିତ କରି ଯାଇଛନ୍ତି | ସେଇଦିନ ଠାରୁ ଟୁସୁମୁନୀଙ୍କ ସେଇ ବଳିଦାନକୁ ସ୍ମୁତିଚାରଣ କରି କୁଡୁମୀ ସମ୍ପ୍ରଦାୟର ଲୋକମାନେ ପରବର୍ତ୍ତୀ ମୁହୂର୍ତ୍ତରେ ଟୁସୁଦେବୀ ନାମରେ ପୂଜାର୍ଚନା କରି ଆସୁଛନ୍ତି | ତାସହିତ ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ମେଳଣ ମଧ୍ୟ ଆୟୋଜିତ ହୋଇଥାଏ | ମୁଖ୍ୟତଃ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା, ନୂଆଗାଁ, ଲାଠିକଟା, ଲହୁଣୀପଡା ଓ କୋଇଡା ଆଦି ବ୍ଲକରେ ଟୁସୁଦେବୀଙ୍କ ପୂଜା ଉତ୍ସବ ବହୁ ଧୁମଧାମରେ ଅନୁଷ୍ଠିତ ହୋଇଥାଏ |

0
0
0
s2sdefault