ବେରୁଆାଁ ନଦୀର ଗଡହରିଶପୁର ଠାରେ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ ହେଲା ଶିଳାନ୍ୟାସ
ଜଗତସିଂହପୁର(ସୁମନ୍ତ ଦାସ): ଗତକାଲି ଅପରାହ୍ଣରେ ବାଲିକୁଦା-ଏରସମା ବିଧାୟକ ତଥା ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକଅନ୍ତର୍ଗତ ଘୋଷାଘର ଗ୍ରାମ ନିକଟରେ ଅଳକାନଦୀ ଉପରେ ଗୁନେଇମୁହଁ କ୍ରିକର ଅତିରିକ୍ତ ୬ଟି ସ୍ଲୁଇସ୍ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ନିମନ୍ତେ ୪କୋଟି ୪୩ ଲକ୍ଷଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ଏହି କ୍ରିକରେ ୮ଟି ସ୍ଲୁଇସ୍ ଥିଲା । ଏହି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ଦ୍ୱାରା ବାଲିକୁଦା ବ୍ଲକର ୧୦ଟି ଗ୍ରାମର ୮୧୬୧ ଜନସାଧାରଣ ଉପକୃତ ହୋଇପାରିବେ । ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ଦ୍ୱାରା ସମୁଦ୍ର ଜଳ ପ୍ରବେଶ କରିପାରିବ ନାହିଁ ଏବଂ ଉଦ୍ବୃତ ବର୍ଷାଜଳ ନିଷ୍କାସନ ସୁବିଧାରେ ହୋଇପାରିବ । ଏହି ସ୍ଲୁଇସ୍ ନିର୍ମାଣ ଦ୍ୱାରା ବର୍ଷା ଦିନରେ ବନ୍ୟାଜଳ ନିଷ୍କାସିତ ହେବା ସହିତ ଏବଂ ଅନ୍ୟ ଦିନ ମାନଙ୍କରେ ଗେଟ୍ ବନ୍ଦ କରାଯାଇ ସମୁଦ୍ର ଜଳ ପ୍ରବେଶକୁ ପ୍ରତିରୋଧ କରାଯିବ ଏବଂ ମଧୁର ଜଳ ଗଛିତ କରାଯାଇ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇପାରିବ । ଏହି ସ୍ଲୁଇସ୍ ଗେଟ୍ ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କର ଦୀର୍ଘ ଦିନର ଦାବି ପୁରଣ ହୋଇପାରିବ ବୋଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ପୂର୍ବରୁ ଚାଷଜମି ଜଳମଗ୍ନ ହୋଇ ବାର୍ଷିକ ଫସଲ କ୍ଷତିଗ୍ରସ୍ତ ହେଉଥିଲା ବେଳେ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଏହି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ଦ୍ୱାରା ବର୍ଷାଜଳ ସୁଗମ ଭାବେ ନିଷ୍କାସିତ ହେବା ସହିତ ଜଳମଗ୍ନକୁ ପ୍ରତିରୋଧ କରାଯାଇ ପାରିବ । ଏହା ଦ୍ୱାରା ମଧ୍ୟ ଅଳକା ବୁଡି ଅଂଚଳର ପ୍ରାୟ ୧୦ ହଜାର ଲୋକଙ୍କର ସବୁଦିନିଆ ଅସୁବିଧା ଦୂର ହୋଇପାରିବ । ହସୁଂଆ ନଦୀର ଖନନ ଓ ଜଟାଧାରୀ ମୁହାଣର ଖନନ କାର୍ଯ୍ୟ ସମାପ୍ତ ହେବା ପରେ ଜନସାଧାରଣଙ୍କର ଦୀର୍ଘ ଦିନର ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ଜଗତସିଂହପୁର ଜଳସେଚନ ବିଭାଜନ ଦ୍ୱାରା କରାଯାଉଛି । ଏହି ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଛାୟତ,ଏରସମା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ସ୍ୱାଇଁ,ପାର୍ଥ ସାରଥୀ ରାଉତ,ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରାଖାଲ ଦାସ, ସ୍ଥାନୀୟ ସରପଂଚ,ଆଇନଜୀବୀ ପ୍ରକାଶ ପ୍ରଧାନ,ଜଳ ସଂପଦ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ଲବ କେଶରୀ ସାହୁ,ଅନିଲ୍ କୁମାର ରାଉତରାୟ,ଦିଲ୍ଲୀପ କୁମାର ସାହୁ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ପରେ ପରେ ମନ୍ତ୍ରୀ ଶ୍ରୀ ଦାସ ଏରସମା ବ୍ଲକ ଅନ୍ତର୍ଗତ ଗଡହରିଶପୁର ଠାରେ ବେରୁଆଁ ନଦୀ ଉପରେ ୧୫୯୯.୭୩ ଲକ୍ଷଟଙ୍କା ବ୍ୟୟରେ ଏକ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସେତୁ ନିର୍ମାଣ ଦ୍ୱାରା ଏରସମା ବ୍ଲକର ଗଡହରିଶପୁର ଓ ବାଲିକୁଦା ବ୍ଲକର କୁସୁପୁର ମଧ୍ୟରେ ସିଧାସଳଖ ଗମନାଗମନ ସୁବିଧା ହୋଇପାରିବ । ବାଲିକୁଦା ଓ ଏରସମା ଲୋକମାନଙ୍କ ପାଇଁ ଏହି ସେତୁ ସଂଯୋଗୀକରଣ ସେତୁ ଭାବେ ଉପଯୋଗୀ ହେବ । ଅଳକା ନଦୀ ମୁହାଣ ବଙ୍ଗୋପସାଗର ନିକଟବର୍ତୀ ଏରସମାର ଗଡହରିଶପୁର ଓ ବାଲିକୁଦାର କୁସୁପୁରକୁ ବିଭାଜିତ କରୁଅଛି । ବର୍ତମାନ ପର୍ଯ୍ୟନ୍ତ ଏଠାକାର ଜନସାଧାରଣ,ଚାଷୀମାନେ ଦେଶୀଡଙ୍ଗା ମାଧ୍ୟମରେ ଗମନାଗମନ ଓ କୃଷିଜାତ ଦ୍ରବ୍ୟ ପରିବହନ କରିଆସୁଛନ୍ତି । ଜୁଆରିଆ ନଦୀ ହେତୁ ଦେଶୀଡଙ୍ଗା ଦ୍ୱାରା ଯାତାୟତ ଓ ପରିବହନ ସଦା ସର୍ବଦା ବିପଦପୂର୍ଣ୍ଣ ଏବଂ ବିଶେଷ କରି ଚାଷୀମାନେ କୃଷିଜାତ ଦ୍ରବ୍ୟ ଓ ଯନ୍ତ୍ରପାତି ପରିବହନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ଏହି ସେତୁ ନିର୍ମାଣ ଦ୍ୱାରା ବାଲିକୁଦା ଓ ଏରସମା ବ୍ଲକର ଜନସାଧାରଣ ଓ ଜନପ୍ରତିନିଧିମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ଏହା ଦ୍ୱାରା ବାଲିକୁଦା ବ୍ଲକର ୮ଟି ପଂଚାୟତର ୧୫୦୦୦ ଲୋକ ଓ ଏରସମା ବ୍ଲକର ୫ଟି ପଂଚାୟତର ୮୦୦୦ ଲୋକ ଉପକୃତ ହୋଇ ପାରିବେ । ଏହି ସୁଉଚ୍ଚ ସେତୁ ୧୧୭.୧୦ ମିଟର ଦୀର୍ଘ ବିଶିଷ୍ଟ ଏବଂ ବାମ ଓ ଦକ୍ଷିଣ ଆପ୍ରୋଚ ୭୦୦ ମିଟର ନିର୍ମାଣ ହେବ । ଏହି ସେତୁ ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କର ବନ୍ୟା କ୍ଷୟକ୍ଷତି,ଲୁଣାଜଳ ପ୍ରବେଶ ଦ୍ୱାରା ଯାତାୟାତରେ ଆଉ ଅସୁବିଧା ହେବ ନାହିଁ । ଏରସମା ଓ ବାଲିକୁଦା ବ୍ଲକର ସ୍ଥାନୀୟ ଜନସାଧାରଣଙ୍କର ଗମନାଗମନରେ ଅସୁବିଧାକୁ ଲକ୍ଷ୍ୟକରି ବାଲିକୁଦା-ଏରସମା ବିଧାୟକ ତଥା ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ଦାସଙ୍କ ପ୍ରଚେଷ୍ଟାରେ ଏହି ସୁଉଚ୍ଚ ସେତୁ ନିର୍ମାଣ ସମ୍ଭବ ହୋଇପାରିଛି ।
ଏହି ଶିଳାନ୍ୟାସ ସ୍ଥାପନ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଛାୟତ,ଏରସମା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ସ୍ୱାଇଁ, ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରାଖାଲ ଦାସ, ପାର୍ଥ ସାରଥୀ ରାଉତ, ସ୍ଥାନୀୟ ସରପଂଚ,ଆଇନଜୀବୀ ପ୍ରକାଶ ପ୍ରଧାନ,ଜଳ ସଂପଦ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ଲବ କେଶରୀ ସାହୁ,ଅନିଲ୍ କୁମାର ରାଉତରାୟ,ଦିଲ୍ଲୀପ କୁମାର ସାହୁ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।